ଗୋପାଳପୁର: ପ୍ରତିବର୍ଷ ନୂଆବର୍ଷ ପାଳନ ଅବସରରେ ଗୋପାଳପୁର ବେଳାଭୂମି ଲୋକାରଣ୍ୟ ରହୁଥିବା ବେଳେ ଗତ ୨ ବର୍ଷ ହେବ ଯେମିତି ଏଥିରେ ବିରାମ ଲାଗି ଯାଇଛି। ଚଳିତବର୍ଷ ମଧ୍ୟ ପ୍ରଶାସନିକ କଟକଣା ଯୋଗୁଁ ପୁଣିଥରେ ବେଳାଭୂମି ଖାଁ ଖାଁ ଲାଗୁଥିଲା। ଅନେକ ପର୍ଯ୍ୟଟକ ଦୂରଦୂରାନ୍ତରୁ ଆସି ଗୋପାଳପୁର ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ପହଞ୍ଚିଲେ। କରୋନା କଟକଣା ପାଇଁ ଗୋପାଳପୁର ଯିବାକୁ ପୁଲିସ ସେମାନଙ୍କୁ ଅନୁମତି ଦେଇନଥିଲା। ଫଳରେ ସେମାନେ ସେଠାରୁ ନିଜ ଗନ୍ତବ୍ୟସ୍ଥଳକୁ ଫେରିଯାଇଥିଲେ।
ଓମିକ୍ରନ ସଂକ୍ରମଣ ରୋକିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ବେଳାଭୂମିକୁ ଯିବା ପାଇଁ ବାରଣ କରାଯାଇଛି। କଟକଣା ଯୋଗୁଁ ବେଳାଭୂମିରେ ଉଠା ଦୋକାନୀ ଓ ପର୍ଯ୍ୟଟକଙ୍କ ଗହଳି ନ ଥିବାରୁ ବେଳାଭୁମି ଜନଶୂନ୍ୟ ଥିବାବେଳେ କେବଳ ପୁଲିସ ହିଁ ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ଶାନ୍ତି ଶୃଙ୍ଖଳା ପାଇଁ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।



