ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ପଣ୍ଡିତ ଗୋପବନ୍ଧୁ
ଜୟନ୍ତୀ ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି
ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ
ଆଠଗଡ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନିସ୍ୱାର୍ଥପର ଜନସେବକ, ବିଶିଷ୍ଟ ସାରସ୍ୱତ ସାଧକ ତଥା ସମାଜ ଖବରକାଗଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜନ୍ମଜୟନ୍ତୀ ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପାଳିତ ହୋଇଯାଇଛି। ମହିଳା କଲେଜ ସନ୍ନିକଟ ପୂଜ୍ୟପୂଜା ପୀଠରେ ପ୍ରତିଷ୍ଠିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ଓ ଅନ୍ୟମାନେ ସାମୂହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ଗୋପବନ୍ଧୁଙ୍କ ପରି ନିସ୍ୱାର୍ଥପର ଜନସେବକ ଆଜିର ଦିନରେ ମିଳିବା ଅସମ୍ଭବ ବୋଲି ମୁଖ୍ୟଅତିଥି ନଗରପାଳ ଶ୍ରୀମତୀ ରାଉତ ପ୍ରକାଶ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନରେ ସେବାକୁ ବ୍ରତ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ପୂର୍ବତନ କାଉନସିଲର ଶିବଶଙ୍କର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତି, ୨ନଂ ୱାର୍ଡ କାଉନସିଲର ପୂର୍ଣ୍ଣିମା ବେହେରା, ୬ନଂ ୱାର୍ଡ କାଉନସିଲର ସିପ୍ରା ଦାଶ, ୭ନଂ ୱାର୍ଡ କାଉନସିଲର ମମତା ଦାସ, ବିଜେଡି ଯୁବ ସଂଗଠକ ପ୍ରକାଶ ରାଉତ, ଅଲୁପ ଦାଶ ପ୍ରମୁଖ ଯୋଗଦେଇ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନଗରପାଳ, ଉପନଗରପାଳ ଓ ଅନ୍ୟମାନେ ରାସରସିକପୁର, ଗୋପବନ୍ଧୁ ମହିଳା କଲେଜ ଓ ବିଶ୍ୱନାଥ ବିଦ୍ୟାପୀଠରେ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ସରକାରୀ ବାଳିକା ହାଇସ୍କୁଲ
ଆଠଗଡ ସରକାରୀ ବାଳିକା ହାଇସ୍କୁଲରେ ମହାନ ଦେଶଭକ୍ତ, ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଶିକ୍ଷୟିତ୍ରୀ ଶୁଭଶ୍ରୀ ପରିଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟିନୀ ମହାନ୍ତି ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକପାତ କରି ତାଙ୍କର ସେବା ଓ ତ୍ୟାଗର ତୁଳନା ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ମହାନ୍ତିଙ୍କ ସମେତ ଶିକ୍ଷୟିତ୍ରୀ ଦୀପିକା ନାୟକ, ଶୁଭଶ୍ରୀ ପରିଡା, ମୁଖ୍ୟକିରାଣୀ ସୁଶାନ୍ତ ପଣ୍ଡା, ସମାଜସେବୀ ସରସୀ ରଞ୍ଜନ ପଟ୍ଟନାୟକ ଓ ସାମ୍ବାଦିକ ସନ୍ତୋଷ ବାରିକ ପ୍ରମୁଖ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବିଶ୍ୱନାଥ ବିଦ୍ୟାପୀଠ
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଜନସେବକ, ସାରସ୍ୱତ ସ୍ରଷ୍ଟା, ସାମ୍ବାଦିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୫ତମ ଜନ୍ମଜୟନ୍ତୀ ସର୍ବପୁରାତନ ଶିକ୍ଷାନୁଷ୍ଠାନ ବିଶ୍ୱନାଥ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷୟିତ୍ରୀ ସରିତା ମିଶ୍ର ଓ ଶିକ୍ଷକ କାଶିନାଥ ସାହୁ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଅବତାରଣା କରିବା ସହ ତାଙ୍କ ଆଦର୍ଶକୁ ପାଥେୟ କରି ଜନସେବାରେ ବ୍ରତୀ ହେବା ପାଇଁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁଙ୍କ ସମେତ ଅନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା।
ଗୋପବନ୍ଧୁ ମହିଳା କଲେଜ
ଆଠଗଡସ୍ଥିତ ଗୋପବନ୍ଧୁ ମହିଳା କନିଷ୍ଠ ଓ ସ୍ନାତକ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ୧୪୫ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାରମ୍ଭରେ କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣିଙ୍କର ପ୍ରତିମୂର୍ତ୍ତିରେ ଅଧ୍ୟାପିକା ଓ କର୍ମଚାରୀଗଣ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବରିଷ୍ଠ ପ୍ରାଧ୍ୟାପିକା ପ୍ରମୋଦିନୀ ଜେନା, ସୂର୍ଯ୍ୟକାନ୍ତି ମହାପାତ୍ର, ସରିତା ଆଚାର୍ଯ୍ୟ, ଶୁଭସ୍ମିତା ଦାସ ଓ ବିଜୟାଲକ୍ଷ୍ମୀ ମହାନ୍ତିି ଏଥିରେ ଯୋଗଦେଇ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନ ବିଷୟରେ ସ୍ମୃତିଚାରଣ କରିଥିଲେ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଜଣାଇଥିଲେ। କଲେଜର ଅନ୍ୟ ଅଧ୍ୟାପିକା ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଗୋପବନ୍ଧୁ ବିଜ୍ଞାନ କଲେଜ
ଆଠଗଡର ସର୍ବପୁରାତନ ଉଚ୍ଚଶିକ୍ଷାନୁଷ୍ଠାନ ଗୋପବନ୍ଧୁ ବିଜ୍ଞାନ କଲେଜରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ମହାନ ଦେଶ ସେବକ, ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ଏଥିରେ ଅଧ୍ୟକ୍ଷତା କରି ଗୋପବନ୍ଧୁଙ୍କ ତ୍ୟାଗ ଓ ସେବାର ପଟ୍ଟାନ୍ତର ନାହିଁ ବୋଲି ପ୍ରକାଶ କରିବା ସହ ତାଙ୍କ ନୀତି, ଆଦର୍ଶ ଓ ସେବା ମନୋଭାବକୁ ଅନୁସରଣ କରି ଜନସେବାରେ ବ୍ରତୀ ହେବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଅନିରୁଦ୍ଧ ସେନାପତି, ପ୍ରାକ୍ତନ ଗ୍ରନ୍ଥାଗାରିକ ସୁବାସ ରାଉତ, ଡେମୋନଷ୍ଟ୍ରେଟର ସଚ୍ଚିଦାନନ୍ଦ ଜେନା, କର୍ମଚାରୀ ଅଜିତ ପାଇକରାୟଙ୍କ ସମେତ ଅନ୍ୟ ଅଧ୍ୟାପକ ଓ କର୍ମଚାରୀ ଗୋପବନ୍ଧୁଙ୍କ ଜୀବନୀ ସଂପର୍କରେ ସ୍ମୃତିଚାରଣ କରିଥିଲେ। କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ ଓ ତାଙ୍କର ପ୍ରିୟଶିଷ୍ୟ ତଥା କଲେଜର ପ୍ରତିଷ୍ଠାତା ପଦ୍ମଭୂଷଣ ଡଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।
ଗୋପବନ୍ଧୁ ବାଳିକା ହାଇସ୍କୁଲ, ଖୁଣ୍ଟକଟା
ଆଠଗଡ ବ୍ଲକର ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲରେ ବିଶିଷ୍ଟ ଜନସେବକ ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଶିକ୍ଷୟିତ୍ରୀ ଜୟଶ୍ରୀ ଜେନା, ବିନୋଦିନି ସାହୁ ଓ କର୍ମଚାରୀ ଜୟକୃଷ୍ଣ ନାୟକ ପ୍ରମୁଖ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ସ୍ମୃତିଚାରଣ କରିଥିଲେ। ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାରେ ନିଜକୁ ବ୍ରତୀ କରିପାରିଲେ ତାହା ପୂଣ୍ୟାତ୍ମାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶିକ୍ଷୟିତ୍ରୀ ଦ୍ୱୟ ମତବ୍ୟକ୍ତ କରିଥିଲେ। ସ୍କୁଲ ପରିସରରେ ପ୍ରତିଷ୍ଠିତ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା। କର୍ମଚାରୀ ବୈଦ୍ୟନାଥ ରଣା ଧନ୍ୟବାଦ ଅର୍ପଣ କରିଥିଲେ।
ସାବିତ୍ରୀ ରଥ ବିଦ୍ୟାପୀଠ, ସମସରପୁର
ଆଠଗଡ ବ୍ଲକ ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ସେହି ମହାନ ଦେଶଭକ୍ତ ଓ ସମାଜସେବୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ଓ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଗୋପବନ୍ଧୁଙ୍କ ସେବା ମନୋଭାବ ଏବଂ ଦେଶଭକ୍ତି ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ସେଭଳି ଜଣେ ଆଦର୍ଶବାଦୀ ବ୍ୟକ୍ତିତ୍ୱ ଆଜିର ଦିନରେ ବିରଳ ବୋଲି ଉଭୟ ଶିକ୍ଷକ କହିବା ସହିତ ଗୋପବନ୍ଧୁ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଶ୍ରୀନିବାସ ଗଣ୍ଠିଆ ଓ ଅନେକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ବିଜେଡି କାର୍ଯ୍ୟାଳୟ, ଆଠଗଡ
ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ରାଧାଗୋବିନ୍ଦପୁରସ୍ଥିତ ଦଳୀୟ କାର୍ଯ୍ୟାଳୟ ସୂର୍ଯ୍ୟଭବନଠାରେ ମହାନ ଜନସେବକ ତଥା ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଦଳର ଜିଲ୍ଲା ଉପସଭାପତି ନୃସିଂହ ଚରଣ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ତ୍ୟାଗ ଓ ସେବା ମନୋଭାବ ଅତୁଳନୀୟ ଏବଂ ସେ ଥିଲେ ଦୀନ, ଦୁଃଖୀ ଓ ଦରିଦ୍ରଙ୍କ ଦରଦୀ ବନ୍ଧୁ ବୋଲି ମତବ୍ୟକ୍ତ କରିଥିଲେ। ତାଙ୍କର ନୀତି, ଆଦର୍ଶ, ତ୍ୟାଗ ଓ ସେବା ମନୋଭାବକୁ ପାଥେୟ କରି ସେବାକୁ ବ୍ରତଭାବେ ଗ୍ରହଣ କରିବା ଲାଗି ଶ୍ରୀ ମହାପାତ୍ର ଆହ୍ୱାନ ଜଣାଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଧାରଣ ସଂପାଦକ ଅଶୋକ ରାଉତ ଓ ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ଶୁଭେନ୍ଦୁ ବେଉରା ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋପବନ୍ଧୁଙ୍କ ତ୍ୟାଗପୁତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ସମସ୍ତ ଅତିଥିଙ୍କ ସମେତ ଅନ୍ୟମାନେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶ୍ରୀଧର ମାଝି, ନିର୍ମଳ ଦାସ, ପ୍ରଭାକର ମହାନ୍ତି, ବିଶ୍ୱଜିତ୍ ମାଝିଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗଦାନ କରିଥିଲେ।
Comments are closed.