ସେବା ଓ ସେବକ ସପ୍ତାହ ଉପଲକ୍ଷେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ; ୧୫୪ ୟୁନିଟ ରକ୍ତ ସଂଗ୍ରହ

ଗୁରୁଡିଝାଟିଆ : ସ୍ୱେଚ୍ଛାକୃତ ରକ୍ତଦାତା ସମାଜର ବନ୍ଧୁ। ସେମାନଙ୍କ ଉଦାର ମହନୀୟ ଭାବ ରକ୍ତପାଇଁ ଯୂଝୁଥିବା ରୋଗୀ ମୁହଁରେ ନୂତନ ଆଶା ସଞ୍ଚାର କରିଥାଏ। ପ୍ରତ୍ୟେକ ରକ୍ତଦାତା ଈଶ୍ୱର ଆଶୀର୍ବାଦପ୍ରାପ୍ତ ବୋଲି ପୂଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ଅବସରରେ ସେବା ଓ ସେବକ ସପ୍ତାହ ପାଳନ ଉପଲକ୍ଷେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଲୋକସେବକ ମଣ୍ଡଳ ଓଡିଶା ଶାଖା ଅଧ୍ୟକ୍ଷ ପଣ୍ଡିତ ନିରଞ୍ଜନ ରଥ ଉଦଘାଟନ କରି ଉପରୋକ୍ତ ମତପ୍ରକାଶ କରିଥିଲେ। “ସମାଜ” ଓ ଆରତୀ କାରଖାନାର ମିଳିତ ଆନୁକୂଲ୍ୟରେ ଘଣ୍ଟିଖାଲସ୍ଥିତ ଆରତୀ କାରଖାନା ପରିସରରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଶ୍ରୀ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରକ୍ତଦାତାଙ୍କ ମନ ଭାବନା ଓ ହୃଦୟ ସର୍ବଦା ପରୋପକାର ଭାବରେ ଅଭିପ୍ରେତ ବୋଲି କହିବା ସହ ରକ୍ତଦାତାଙ୍କୁ ଉତ୍ସାହ ପ୍ରଦାନ କରି ସେମାନଙ୍କ ଦାନର ମୂଲ୍ୟ ଅତୁଳନୀୟ ବୋଲି କହିଥିଲେ।

ଆରତୀ କାରଖାନା ସଭାପତି ଇଂ ଲାଲା ତରୁଣ ପ୍ରକାଶ ନାରାୟଣ ରକ୍ତଦାନ ଶିବିରରେ ଅଧ୍ୟକ୍ଷତା କରି କହିଥିଲେ ଆଧୁନିକ ଚିକିତ୍ସା ବିଜ୍ଞାନ ଅଭିବୃଦ୍ଧି ସତ୍ୱେ ରକ୍ତର ବିକଳ୍ପ ବାହାରିନାହିଁ। ଜଣେ ରକ୍ତଦାତା ଅନ୍ୟର ଜୀବନ ବଞ୍ଚାଇଥାଏ। ତେଣୁ ସେମାନଙ୍କ ଋଣ ସର୍ବଦା ଅପୁରଣୀୟ ବୋଲି କହିବା ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସମାଜର ଅବହେଳିତ ଦୁଃସ୍ଥ ଜନସାଧାରଣଙ୍କ ଯଥାର୍ଥ ପ୍ରତିନିଧି ଭାବରେ ଜନକଲ୍ୟାଣ ଦିଗରେ ନିଜକୁ ନିୟୋଜିତ କରି ଜୀବନକୁ ସଳିତାଭଳି ଜାଳିଦେଇଥିଲେ।ଯଥାର୍ଥରେ ଗୋପବନ୍ଧୁ ଥିଲେ ଅଭାବୀ ଦୁସ୍ଥ ମଣିଷର ଶେଷ ଆଶା ଓ ଭରଷା ବୋଲି ଶ୍ରୀ ନାରାୟଣ କହିଥିଲେ । ଶ୍ରୀମତୀ ରେଣୁ ନାରାୟଣ ଅତିଥି ଭାବରେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସାମ୍ବାଦିକ ଶ୍ୱେତକାନ୍ତ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୫୪ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।କଟକ ରେଡକ୍ରସ ବ୍ଲଡବ୍ୟାଙ୍କର ଡାକ୍ତର ଅମ୍ଲାନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲଡବ୍ୟାଙ୍କ କର୍ମଚାରୀ ସନ୍ଦୀପ କୁମାର ସ୍ୱାଇଁ,ଶାରଦା ଓଝା,ପ୍ରସନ୍ନ କୁମାର ସ୍ୱାଇଁ, ବିଜୟ କୁମାର ସ୍ୱାଇଁ, ସରୋଜ କୁମାର ମହାନ୍ତି, ଲକ୍ଷ୍ମୀଧର ପୃଷ୍ଟି ଓ ସଞ୍ଜୟ କୁମାର ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଗୋପବନ୍ଧୁ ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ତଥା ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ରାଜଶ୍ରୀ ସାମନ୍ତରାୟ ଓ ବିଦ୍ୟାର୍ଥୀମାନେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ସହଯୋଗ ଯୋଗାଇ ଦେଇଥିଲେ। କାରଖାନାର ଉପସଭାପତି ପରମେଶ ଭଟ୍ଟାଚାର୍ଯ୍ୟ,ବଲଜିତ୍ ସିଂ, ବରିଷ୍ଠ ପ୍ରବନ୍ଧକ ସରୋଜ କୁମାର ଜେନା,ଲୋକ ସଂପର୍କ ପାରିପାଶ୍ୱର୍ିକ ଉନ୍ନୟନ ଅଧିକାରୀ ଶରତ କୁମାର ନିଶାଙ୍କ , ସବ୍ୟସାଚୀ କାନୁନଗୋ , ଡାକ୍ତର ସୁଧାକର ସିଂ ଓ କାରଖାନା ଶ୍ରମିକ କର୍ମଚାରୀ ସଂଘର ସଦସ୍ୟ ରଞ୍ଜିତ ବରାଳ, ସନ୍ତୋଷ ପ୍ରଧାନ,ଆଲୋକ ରାଉତ ଉପସ୍ଥିତ ରହିଥିଲେ।

Comments are closed.