ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ; ୫%କୁ ଖସିଲା ଜିଡିପି ଅଭିବୃଦ୍ଧି ହାର
ନୂଆଦିଲ୍ଳୀ : ଆର୍ଥିକ ମାନ୍ଦାବସ୍ଥାରୁ ଦେଶର ଜିଡିପି ଅଭିବୃଦ୍ଧି ହାରରେ ହ୍ରାସ ପରିଲକ୍ଷିତ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ ଘରୋଉ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୫.୮%ରୁ ହ୍ରାସ ପାଇ ୫%ରେ ପହଞ୍ଚିଛି। ଆର୍ଥିକ ମନ୍ତ୍ରାଳୟର କେନ୍ଦ୍ର ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଗତ ବର୍ଷ ଏହି ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୮% ରହିଥିଲା ଓ ଗତବର୍ଷର ଶେଷ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ହାର ୫.୮% ଥିଲା।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାରରେ ସାଢେ ୬ ବର୍ଷର ସବୁଠାରୁ ମାନ୍ଦା ଗତି ଦେଖିବାକୁ ମିଳିଛି। ବିନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୦.୬% ଥିଲାବେଳେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୫.୧%ରୁ ହ୍ରାସ ପାଇ ୨%, ଉତଖନନ କ୍ଷେତ୍ରରେ ଅଭିବୃଦ୍ଧି ହାର ୦.୪%ରୁ ବୃଦ୍ଧି ପାଇ ୨.୭%ରେ ପହଞ୍ଚିଛି। ନିର୍ମାଣ କ୍ଷେତ୍ରରେ ଗତ ବର୍ଷ ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ହାର ୯.୬%ରୁ ହ୍ରାସ ପାଇ ଚଳିତ ବର୍ଷର ଏହି ତ୍ରୈମାସରେ ଅଭିବୃଦ୍ଧି ହାର ୫.୭%ରେ ପହଞ୍ଚିଛି। ହୋଟେଲ, ପରିବହନ ଏବଂ ବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହାର ୭.୮%ରୁ ହ୍ରାସ ପାଇ ୭.୧%ରେ ପହଞ୍ଚିଛି। ସେହିପରି ଆର୍ଥିକ, ରିୟଲ ଇଷ୍ଟେଟ ସେକ୍ଟରରେ ଅଭିବୃଦ୍ଧି ହାର ୬.୫%ରୁ ହ୍ରାସ ପାଇ ୫.୯%ରେ ପହଞ୍ଚିଛି। କାର୍ଭି ଷ୍ଟକ ବ୍ୟାକିଂ ସିଇଓ ରାଜୀବ ସିଂହଙ୍କ କହିବା ଅନୁସାରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଏବେ ଅଟୋମୋବାଇଲ ଉଦ୍ୟୋଗ, ଘରୋଇ ଆମଦାନୀ, ବିମାନ ଯାତ୍ରାରେ ହ୍ରାସ ଦେଖିବାକୁ ମିଳୁଛି। ଏବେ ଆରବିଆଇଠାରୁ ମିଳିବାକୁ ଥିବା ଅର୍ଥକୁ ସରକାର ଏହି କ୍ଷେତ୍ରରେ ବ୍ୟବହାର କରିପାରିବେ। ଏହାଦ୍ୱାରା ଅର୍ଥନୀତିକୁ ଗତି ମିଳିବ। ସରକାର ଆରବିଆଇଠାରୁ ପାଉଥିବା ୧.୭୬ ଲକ୍ଷ କୋଟି ଟଙ୍କାର ବ୍ୟବହାର ଏକ୍ଷେତ୍ରରେ ନକଲେ ସଂକଟ ବଢିଯିବ। ଫିଚ ଇଣ୍ଡିଆ ରେଟିଂ ଚଳିତ ବର୍ଷ ଜିଡିପି ଅଭିବୃଦ୍ଧି ହାର ୬.୭% ରହିବ ବୋଲି ଅନୁମାନ କରିଛି। ଗତ ବର୍ଷ ଫିଚ ଇଣ୍ଡିଆ ରେଟିଂ ଭାରତର ଜିଡିପି ଅଭିବୃଦ୍ଧି ହାର ୭.୩% ରହିବ ବୋଲି ଅନୁମାନ କରିଥିଲା।
Comments are closed.