ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଦଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ ଗତିରେ ଅବକ୍ଷୟ ହେଉଛି। ଯାହାଫଳରେ ବେଳାଭୂମି ନଷ୍ଟ ହେବାସହ ବଟେଶ୍ୱରଠାରୁ ସମୁଦ୍ର କୂଳକୁ ସଂଯୋଗ ରାସ୍ତା ମଧ୍ୟ ଜୁଆର ମାଡରେ ଭାଙ୍ଗି ଗଲାଣି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ସମୁଦ୍ର କୂଳ ଲଙ୍ଘିବା ସହ ବେଳାଭୂମି ସମ୍ପୂର୍ଣ୍ଣ ନଷ୍ଟ ହେଲାଣି, ଯାହାକୁ ନେଇ ଚିନ୍ତା ପ୍ରକଟ କଲେଣି ବୁଦ୍ଧିଜୀବୀ ଓ ପରିବେଶବିତ। ମୁଖ୍ୟତଃ ଭାବେ ଗୋଖରକୁଦାଠାରୁ ବଟେଶ୍ୱର ପୀଠ ପର୍ଯ୍ୟନ୍ତ ବେଳାଭୂମି ଅଧିକ ମାତ୍ରାରେ ଅବକ୍ଷୟ ହେଉଛି। ଝାଉଁ ଜଙ୍ଗଲ ମଧ୍ୟ ନଷ୍ଟ ହେଲାଣି। ସେହି ପୀଠକୁ ଯାଉଥିବା ପର୍ଯ୍ୟଟକମାନେ ସମୁଦ୍ର କୂଳକୁ ଗଲେ ସେଠାରେ ଆଉ ବୁଲିବାକୁ ବେଳାଭୂମି ନାହିଁ। ଫଳରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟପଟେ ବର୍ତମାନ ଯେଉଁଭଳି ଭାବେ ବେଳାଭୂମି ନଷ୍ଟ ହେଉଛି, ତା’ ପାଇଁ ଯଦି କିଛି ସ୍ଥାୟୀ ପ୍ରତିକାର ସରକାରଙ୍କ ପକ୍ଷରୁ ନହୁଏ ତାହେଲେ ସ୍ଥାନୀୟ ଅଞ୍ଚଳ ପ୍ରତି ଆସୁଥିବା ବିପଦକୁ ଏଡାଇ ଦେଇ ହେବନାହିଁ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ, ଗତ ୨୦୦୬-୦୭ମସିହାରେ ଏହିଭଳି ଉଚ୍ଚ ଲହଡି ଏବଂ ସମୁଦ୍ର କୂଳ ଲଙ୍ଘିବା ଫଳରେ ପୁରୁଣା ପୋଡମପେଟା ଗ୍ରାମର ଅନେକ ଘର ଭାଙ୍ଗିବା ସହ ଜାଲ, ଡଙ୍ଗା ମଧ୍ୟ ଭାସି ଯାଇଥିଲା। ଏହିଭଳି ବାରମ୍ବାର ହେବା ଯୋଗୁଁଁ ୨୦୧୨ ମସିହାରେ ସେଠାରୁ ପ୍ରାୟ ୧୪୨ ପରିବାରକୁ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରିତ କରାଯାଇଥିଲା। ସେହିପରି ପରବର୍ତ୍ତୀ ସମୟରେ ବଳକା ପରିବାରଙ୍କୁ ଫାଇଲିନ ପରେ ଓଡିଆରପି ଯୋଜନାରେ ମୟୁରପଦା ନିକଟରେ ଥିବା କାଜୁ ଜଙ୍ଗଲରେ ଥାଇଥାନ କରାଗଲା। ଫଳରେ ସେମାନେ ଏହି ସମସ୍ୟାରୁ ବଞ୍ଚିଗଲେ।
ଅନ୍ୟପଟେ ବେଳାଭୂମି ନଷ୍ଟ ହେବାଯୋଗୁଁଁ ଗତ ୨୦୨୧ମସିହାରେ ଋଷିକୁଲ୍ୟା ମୁହାଣ ଅଞ୍ଚଳ ବେଳାଭୂମିରେ ବିରଳ ଅଲିଭ ରିଡେଲ ସାମୁଦ୍ରିକ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ହୋଇପାରି ନଥିଲା। ଚଳିତ ବର୍ଷ ଏହି ଗଣ ଅଣ୍ଡାଦାନ ପ୍ରକ୍ରିୟା ଠିକ୍ ହୋଇଥିଲା। ବର୍ତମାନ ଯେଉଁଭଳି ଭାବେ ବେଳାଭୂମି ଅବକ୍ଷୟ ହେଉଛି ତାହାଲେ ଗଣ ଅଣ୍ଡାଦାନ ପ୍ରକ୍ରିୟାବେଳେ ସମସ୍ୟା ଉପୁଜିପାରେ ବୋଲି ମତ ପ୍ରକାଶ ପାଉଛି। ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।



