www.samajalive.in
Saturday, December 6, 2025
19.1 C
Bhubaneswar

ଗଞ୍ଜାମରେ ପହଞ୍ଚିଲା୪ ବସ୍‌, ସୁରତରୁ ଆଉ ୨ ବାହାରିଲା

ଫୁଲବାଣୀ/ବ୍ରହ୍ମପୁର : ତିନିଦିନ ତଳେ ଓଡ଼ିଆ ଶ୍ରମିକଙ୍କୁ ନେଇ ସୁତର ଛାଡିଥିବା ୪ବସ ଆଜି ଫୁଲବାଣୀ ଦେଇ ଗଞ୍ଜାମ ଜିଲା ସୀମାନ୍ତରେ ପ୍ରବେଶ କରିଛି। ରାତି ୧୦ଟା ବେଳେ ଏହିସବୁ ବସ୍ ଫୁଲବାଣୀ ପାର କରି ଗଞ୍ଜାମ ଜିଲା ଅଭିମୁଖେ ଯାଇଛି। ଏହି ୪ ବସରେ ଦୁଇ ଶତାଧିକ ଶ୍ରମିକ ରହିଛନ୍ତି। ଫୁଲବାଣୀରେ ପହଞ୍ଚିବା ପରେ କନ୍ଧମାଳ ପୁଲିସ୍‍ ପ୍ରଶାସନ ପକ୍ଷରୁ ସେଗୁଡିକୁ ଏସକର୍ଟରେ କନ୍ଧମାଳ ଜିଲା ପାର କରାଇଛି। ବେଳେ ରାତି ପ୍ରାୟ ସାଢେ ୯ଟାରେ ବସ୍‍ ଗୁଡ଼ିକ ଫୁଲବାଣୀ ସହର ପାର ହୋଇଥିଲା। ଏକ ସ୍ୱତନ୍ତ୍ର ରାସ୍ତାରେ ଉକ୍ତ ବସ୍‍ଗୁଡ଼ିକ ପୁଲିସ୍‍ ହେପାଜତରେ ପାର ହୋଇଥିଲା। ଏହି ସବୁ ବସ୍‍ ଫୁଲବାଣୀ ପାର ହେବା ବେଳେ ଟ୍ରାଫିକ୍‍ ବ୍ୟବସ୍ଥାକୁ ପୁଲିସ୍‍ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଲକଡ଼ାଉନ୍‍ ଯୋଗୁଁ କେହି ରାସ୍ତାରେ ନଥିଲେ ମଧ୍ୟ ଉକ୍ତ ବସ୍‍ ଗୁଡ଼ିକ ଫୁଲବାଣୀ ଆସୁଥିବା ଖବର ପାଇ କେହି ବାହାରକୁ ଚାଲି ଆସିବାର ସମ୍ଭାବନାକୁ ଦେଖି ପୁଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ସୁରତରେ ବ୍ୟତିବ୍ୟସ୍ତ ଅବସ୍ଥାରେ ରହିଥିବା ଓଡ଼ିଆମାନେ ନିଜ ଖର୍ଚ୍ଚରେ ଭିଟାମାଟି ଫେରିବାରେ ଲାଗିଛନ୍ତି। ଦୁଇଦିନ ଭିତରେ ୯ଟି ଗାଡି ଗଞ୍ଜାମ ଅଭିମୁଖେ ବାହାରିଥିବା ବେଳେ ଆଜି ରାତିରେ ଆଉ ୨ଟି ବସ୍ ସୁରତର କରୋଦରା ଅଞ୍ଚଳରୁ ଗଞ୍ଜାମ ଜିଲା ଅଭିମୁଖେ ଯାତ୍ରାରମ୍ଭ କରିଛି। ଏହି ବସରେ ଗଞ୍ଜାମ ବ୍ଲକର ଶ୍ରମିକମାନେ ରହିଥିବା ସୂଚନା ମିଳିଛି। ସେହିପରି ଆଉ ୪ଟି ବସ୍ ଗଞ୍ଜାମ ଏବଂ ବାଲେଶ୍ବର ଅଭିମୁଖେ ବାହାରିବାର ସମ୍ଭାବନା ରହିଛି। ଗଞ୍ଜାମକୁ ୩ଟି ଏବଂ ବାଲେଶ୍ବରକୁ ଗୋଟିଏ ବସରେ ଶ୍ରମିକମାନେ ବିଳମ୍ବିତ ରାତିରେ ବାହାରୁଥିବା ସୂଚନା ମିଳିଛି। ସୁରତ ଜିଲା ପ୍ରଶାସନର ପରିବର୍ତ୍ତିତ ନିୟମାନୁଯାୟୀ ସାମାଜିକ ଦୂରତା ବଜାୟ ଆଧାରରେ ଏହିସବୁ ବସକୁ ବାହାରକୁ ଯିବା ପାଇଁ ଅନୁମତି ମିଳିଛି। ଗତକାଲି ରାତିରେ ସୁରତର ବିଭିନ୍ନ ନଗରରୁ ୪ଟି ବସ୍ ଗଞ୍ଜାମ ଅଭିମୁଖେ ବାହାରିଥିଲା। ପରିବର୍ତ୍ତିତ ନିୟମାନୁସାରେ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରତି ବସରେ ୩୬ଜଣ ଲେଖାଏଁ ଯାତ୍ରୀ ନେବାକୁ ଅନୁମତି ମିଳିଥିବା ସେଠାକାର ଶ୍ରମିକ ସେବା ସଂଘ ସୂତ୍ରରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେବା ମଧ୍ୟରେ ଶହେରୁ ଅଧିକ ବସ୍ ଗଞ୍ଜାମ ସମେତ ଓଡ଼ିଶାର ଅନ୍ୟାନ୍ୟ ଜିଲା ଅଭିମୁଖେ ବାହାରିବା ସମ୍ଭାବନା ରହିଛି। ଏଥିପାଇଁ ବୁକିଂ ଆରମ୍ଭ ହୋଇଯାଇଛି। ଟିକଟ କରାଇ ଦେବାକୁ ଦଲାଲ ମାତିଥିବା ବେଳେ ବସ୍ ମାଲିକମାନେ ଦର ମଧ୍ୟ ଅହେତୁକ ବଢାଇ ଦେଇଛନ୍ତି। ସୁରତର ବେଡ ରୋଡ, ଡାଏମଣ୍ଡନଗର ଏବଂ ପାଣ୍ଡ୍ୟସରାରୁ ବାହାରିବାକୁ ଥିବା ୩ଟି ବସ୍ ଗଞ୍ଜାମ ଜିଲା ଅଭିମୁଖେ ଏବଂ ରେଳଷ୍ଟେସନ ନିକଟରୁ ବାଲେଶ୍ବର ଅଭିମୁଖେ ଆଉ ଏକ ବସ ରାତିରେ ବାହାରିବ ବୋଲି ଜଣାପଡିଛି।

- Advertisement -

ଗୋଟିଏ ପଟେ ପେଟଜ୍ବାଳା ଏବଂ ଅନ୍ୟପଟେ ବାସ ଅଭାବ କାରଣରୁ ଗଞ୍ଜାମ ଶ୍ରମିକମାନେ ଆଉ ମୁହୂର୍ତ୍ତେ ସୁରତରେ ରହିବାକୁ ଉଚିତ ମଣୁ ନାହାଁନ୍ତି। ବହୁ ଶ୍ରମିକ ଘୋର ଆର୍ଥିକ ଅନଟନରେ ରହିଛନ୍ତି। କିଏ ଧାର ଉଦ୍ଧାର କରୁଛି ତ କିଏ ଘରୁ ବ୍ୟାଙ୍କରେ ଟଙ୍କା ମଗାଇ ବସ୍ ଟିକଟ ବୁକିଂ କରୁଛନ୍ତି। ଲକଡାଉନ ଅବଧି ଶେଷ ହେବା ପରେ ପରେ ବସ୍ ପଠାଇ ସୁରତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ହେଁ ଓଡ଼ିଆମାନେ ଧୈର୍ଯ୍ୟହରା ହୋଇପଡିଛନ୍ତି। କାଳେ ଲକଡାଉନ ଅବଧି ବୃଦ୍ଧି ପାଇବ ଏବଂ ନୀତିନିୟମରେ କିଛି ପରିବର୍ତ୍ତନ ହେବ ସେହି ଆଶଙ୍କାରେ ବହୁ ଶ୍ରମିକ ସୁରତ ଛାଡିବାକୁ ଛଟପଟ ହୋଇ ବସରେ ଟିକଟ ବୁକିଂ କରିବାକୁ ଘୁରି ବୁଲି ଦଲାଲର ଶିକାର ହୋଇଛନ୍ତି। ଓଡ଼ିଆ ଶ୍ରମିକଙ୍କ ବ୍ୟାକୁଳତାକୁ ଦେଖି ସୁରତର ବସ ମାଲିକମାନେ ଗାଡି ଦର ଅହେତୁକ ବୃଦ୍ଧି କରିଛନ୍ତି। ରାତି ପାହିଲେ ଏବେ ଖାଦ୍ୟ ଚିନ୍ତା ଛାଡି କେଉଁଠିକୁ ଗଲେ ବସରେ ସିଟ ଖଣ୍ଡିଏ କରି ହେବ ସେହି ଲକ୍ଷ୍ୟରେ ଓଡ଼ିଆ ଶ୍ରମିକମାନେ ଘୁରି ବୁଲୁଛନ୍ତି।
ଏଣେ ଗୁଜୁରାଟର ସୁରତ ସହରରେ କରୋନା ପଜିଟିଭ ସଂଖ୍ୟା ଦିନକୁ ବଢିବାରେ ଲାଗିଛି। ଲକଡାଉନ, ସଟଡାଉନ ଓ ରେଡ ଆର୍ଲଟ ଭଳି ଘୋଷଣା କରାଯାଇଛି। ସୁରତ ସହରର ବସ୍ତି ଅଞ୍ଚଳକୁ ଏବେ କରୋନା ବ୍ୟାପି ଯାଇଥିବାରୁ ଶ୍ରମିକମାନେ ଆଉ ଓଡ଼ିଶା ସରକାରଙ୍କ ବ୍ୟବସ୍ଥା କାର୍ଯ୍ୟକାରୀକୁ ଅପେକ୍ଷା ନକରି କିପରି ହେଲେ ଭିଟାମାଟିକୁ ଫେରଯିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି।

ଓଡ଼ିଆମାନେ ଯେତେଶୀଘ୍ର ସମ୍ଭବ ସୁରତ ଛାଡିଲେ ସହର ପାଇଁ ଭଲ ହେବ ଭାବି ଭିଟାମାଟିକୁ ଯିବାକୁ ଚାହୁଁଥିବା ଓଡ଼ିଆଙ୍କ ପାଇଁ ବସ ଅନୁମତିପତ୍ର ଯୋଗାଇବା ବ୍ୟବସ୍ଥାରେ କେତେକ ରାଜନେତା ସହଯୋଗ କରୁଥିବା ସୂଚନା ମିଳିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories