୩ ବର୍ଷରେ ୫୫୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ
କାରବାର ରୋକିବ ବହୁମୁଖୀ ସ୍କ୍ୱାଡ୍ : ମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟରେ ମାଦକଦ୍ରବ୍ୟ କାରବାର ବୃଦ୍ଧି ପାଇଛି। ବିଶେଷକରି ଗଞ୍ଜେଇ କାରବାର ବହୁମାତ୍ରାରେ ବଢ଼ିଛି। ଗତ ୩ବର୍ଷରେ ଚଢ଼ଉ ବେଳେ ୫୫୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ପ୍ରତିବର୍ଷ ଚଢ଼ଉ ବେଳେ ଜବତ ଗଞ୍ଜେଇ ପରିମାଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି।
ରାଜ୍ୟରେ ଗତ କିଛି ବର୍ଷ ହେଲା ମାଦକଦ୍ରବ୍ୟର କାରବାର ବଢ଼ିଯାଇଛି। ଚୋରା ମଦଠୁ ଆରମ୍ଭ କରି ଗଞ୍ଜେଇ ପର୍ଯ୍ୟନ୍ତ ଅବକାରୀ ସାମଗ୍ରୀର ବହୁଳ ଉପଯୋଗ ହୋଇଛି। ସହରାଞ୍ଚଳ ସହ ଗ୍ରାମାଞ୍ଚଳରେ ବି କାରବାର ବୃଦ୍ଧି ପାଉଛି। ପଡ଼ୋଶୀ ରାଜ୍ୟ ତଥା ଆଭ୍ୟନ୍ତରୀଣ ଅଞ୍ଚଳରୁ ରାଜ୍ୟ ରାଜଧାନୀ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ପୁଲିସ ଓ ଅବକାରୀ ଚଢ଼ଉରେ କିଛି ମାତ୍ରାରେ ଗଞ୍ଜେଇ ଜବତ ହେଉଥିବା ବେଳେ ବହୁ ପରିମାଣରେ ପୁଲିସ ହାତରେ ଲାଗୁନଥିବା କୁହାଯାଉଛି। ଗତ ୩ବର୍ଷରେ ପୁଲିସ ଓ ଅବକାରୀ ବିଭାଗ ଚଢ଼ଉରେ ୫୫୬.୮୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ୨୦୧୯-୨୦ ବର୍ଷରେ ୮୫.୨୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ ୧୭୦.୨୧ କ୍ୱିଣ୍ଟାଲ ଜବତ ହୋଇଛି। ଯାହା ପୂର୍ବ ବର୍ଷର ଦୁଇଗୁଣ। ସେହିପରି ୨୦୨୧-୨୨ ବର୍ଷରେ ୩୦୧.୩୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହା ପୂର୍ବ ବର୍ଷଠାରୁ ଢେର ଅଧିକ। ପୁଲିସ ଓ ଅବକାରୀ ବିଭାଗର ଚଢ଼ଉ ସତ୍ତ୍ୱେ ପ୍ରତିବର୍ଷ ଏହି କାରବାର ବଢ଼ୁଥିବା ଜଣାପଡିଛି। ବିଶେଷକରି ମାଲକାନଗିରି, କଟକ ଓ ଖୋର୍ଦ୍ଧା ଜିଲା ସମେତ ବ୍ରହ୍ମପୁରରେ ଅଧିକ ପରିମାଣରେ ଗଞ୍ଜେଇ ଜବତ ହୋଇଛି। ସେହିପରି ନବରଙ୍ଗପୁର, ବୌଦ୍ଧ ଆଦି ଜିଲାରେ ମଧ୍ୟ ବ୍ୟାପକ ଭାବେ ଏହି କାରବାର ହେଉଛି। କିଛି ଜିଲାରେ ସ୍ୱଳ୍ପ ପରିମାଣର ଗଞ୍ଜେଇ ଜବତ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟରେ ବ୍ୟାପକ ଗଞ୍ଜେଇ କାରବାର ହେଉଥିବା ସମ୍ପର୍କରେ ଅବକାରୀ ବିଭାଗ ଅବଗତ ଅଛି। ଏହାକୁ ନିୟନ୍ତ୍ରଣ କରିବାକୁ ଚଢ଼ଉ ଜୋରଦାର କରାଯାଇଥିବା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସୂଚନା ଦେଇଛନ୍ତି। ମାଦକ ଦ୍ରବ୍ୟ କାରବାର ରୋକିବାକୁ ପୁଲିସ, ଅବକାରୀ, ଜଙ୍ଗଲ ଓ ରାଜସ୍ୱ ଅଧିକାରୀଙ୍କୁ ନେଇ ବହୁମୁଖୀ ସ୍କ୍ୱାଡ୍ ଗଠନ କରାଯାଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
Comments are closed.