www.samajalive.in
Saturday, December 6, 2025
19.1 C
Bhubaneswar

ଭୂଗୋଳରୁ ହଜିଯିବ ଆଦିବାସୀ ଗାଁ !

ପାତ୍ରପୁର: ଆନ୍ଧ୍ରପ୍ରଦେଶ ସୀମାନ୍ତ ଗଞ୍ଜାମ ଜିଲାର ପାତ୍ରପୁର ତହସିଲର ଶତାଧିକ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି। ଏହି ତହସିଲର ଗଜପତି ଜିଲା ସୀମାନ୍ତରେ ୧୪ ବର୍ଷ ପୂର୍ବେ ଚିହ୍ନଟ ହରଡ଼ାପାଟୁ ନୂଆଁସାହି ଆଦିବାସୀ ଗ୍ରାମ ପୂର୍ବଭଳି ଗଜପତି ଜିଲା ରାଜସ୍ବ ରେକର୍ଡରେ ରହିଛି। ତିତଲି ବାତ୍ୟା ପରେ ଗ୍ରାମର ସମସ୍ତ ଘର ମାଟିରେ ମିଶିବା ଫଳରେ ଅଧିକାଂଶ ପରିବାର ଗ୍ରାମ ଛାଡି ଅନ୍ୟତ୍ର ଚାଲିଯାଇଥିବାରୁ ହରଡ଼ାପାଟୁ ନୂଆଁସାହି ଗ୍ରାମ ଭୂଗୋଳରୁ ଲିଭିଯିବା ଆଶଙ୍କା ଦେଖାଦେଇଛି।

ଜିଲା ପୁନର୍ଗଠନ ବେଳେ ଗଞ୍ଜାମ ଜିଲାର ବୁରାତାଲ ଓ ଆଙ୍କୁଲି ପଞ୍ଚାୟତର କେତେକ ଗ୍ରାମ ଗଜପତି ଜିଲା ରାଜସ୍ବ ରେକର୍ଡରେ ଥିବାରୁ ଭୋଟଦାନରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ପାଇଁ ଗଜପତି ଜିଲା ଉପରେ ଲୋକମାନେ ନିର୍ଭର କରୁଥିଲେ। ପରବର୍ତ୍ତୀ ସମୟରେ ଗଜପତି ଜିଲା ଅଧୀନରେ ଥିବା କିଛି ଗ୍ରାମ ବାଦ୍‌ ପଡି ଗଞ୍ଜାମ ଜିଲାର ଚିକିଟି ତହସିଲକୁ ଆସିଥିଲା। ୧୯୯୬ରେ ଚିକିଟି ତହସିଲରେ ଥିବା ପାତ୍ରପୁର ଲୋକଙ୍କ ସୁବିଧା ପାଇଁ ପାତ୍ରପୁରଠାରେ ତହସିଲ କାର୍ଯ୍ୟାଳୟ ସ୍ଥାପନ ପରେ ବ୍ଲକର ସମସ୍ତ ଗ୍ରାମ ଏହି ତହସିଲକୁ ଆସିଥିଲା। ୨୦୧୧ରେ ପାତ୍ରପୁର ତହସିଲର ଗଜପତି ଜିଲା ସୀମାନ୍ତ ଦୁର୍ଗମ ଜଙ୍ଗଲରେ ଥିବା ହରଡ଼ାପାଟୁ ନୂଆଁସାହି ଗ୍ରାମଟି ତହସିଲ ପ୍ରଶାସନର ନଜରକୁ ଆସିଥିଲା। ଏହାପରେ ଗଞ୍ଜାମ ଜିଲା ପ୍ରଶାସନ ଏହି ଗ୍ରାମକୁ ହସ୍ତାନ୍ତର କରିବା ପାଇଁ ଗଜପତି ଜିଲା ପ୍ରଶାସନକୁ ଚିଠି ଲେଖିଥିଲା। ଇତିମଧ୍ୟରେ ୧୪ ବର୍ଷ ବିତି ଯାଇଥିବା ବେଳେ ଏ ଯାଏ ରାଜସ୍ବ ରେକର୍ଡ ପରିବର୍ତ୍ତନ ହୋଇପାରିନାହିଁ। ହରଡ଼ାପାଟୁ ନୂଆଁସାହି ଗ୍ରାମଟି ଦୁର୍ଗମ ବୁରାତାଲ ପଞ୍ଚାୟତ ମହାଦେଇ ପର୍ବତ ପାର୍ଶ୍ୱରେ ରହିଛି। ଗ୍ରାମବାସୀଙ୍କ କହିବା ମୁତାବକ ଗ୍ରାମରେ ୨୫ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଥିଲେ। ଗ୍ରାମର ରୋଗୀଙ୍କୁ ସାଙ୍ଗି ଭାରରେ ଡାକ୍ତରଖାନା ବୋହିନେବା ସହିତ ପଡିକାର୍ଡରେ ଜିନିଷ ସଂଗ୍ରହ ଓ ବିକ୍ରି ପାଇଁ ପଞ୍ଚାୟତ ଏବଂ ବ୍ଲକକୁ ଯିବାକୁ ହେଲେ ୯ କି.ମି ଜଙ୍ଗଲ ପଥ ଅତିକ୍ରମ କରିବାକୁ ପଡୁଛି। ପିଲାଙ୍କ ପାଠପଢା ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ସହ ଜାତିଗତ, ଆୟ ପ୍ରମାଣ ପତ୍ର ପାଇଁ ଗଜପତି ଜିଲାର ଆର୍‌.ଉଦୟଗିରି ତହସିଲକୁ ଯିବାକୁ ପଡୁଛି।

- Advertisement -

ଅଙ୍ଗନବାଡ଼ି କେନ୍ଦ୍ର ଗାଁଠାରୁ ୪କିମି ଦୂର ପାତ୍ରପୁର ବ୍ଲକର ଜେ.ବଡ଼ଗାଁରେ ଥିବାରୁ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଛି। ଆର.ଉଦୟଗିରି ଯିବାକୁ ହେଲେ ଜଙ୍ଗଲ ପଥରେ ବାଦୁଆ, ଗଜପତି ଜିଲା ବଡ଼ଗାଁ ରାମଗିରି ଦେଇ ପ୍ରାୟ ୪୦ରୁ ଊର୍ଦ୍ଧ୍ବ କିମି ପଥ ଅତିକ୍ରମ କରିବାକୁ ପଡୁଛି। ଗ୍ରାମର ଲୋକମାନେ ମୁଖ୍ୟତଃ ଜଙ୍ଗଲ ବଗଡରେ ଫସଲ କାଙ୍ଗୁ, ଘଣ୍ଟିଆ, ଜହ୍ନ​‌ା ପ୍ରଭୃତି ଚାଷ କରିଥାନ୍ତି। ଏପରିକି ଗ୍ରୀଷ୍ମ ଋତୁରେ ହରଡା, ବାହାଡା, ତେନ୍ତୁଳି, ଟୋଲ, ମହୁଲ ସଂଗ୍ରହ କରି ପାହାଡ ତଳକୁ ଆସି ବିକ୍ରି କରୁଛନ୍ତି।

ତେବେ ତିତଲି ବାତ୍ୟାରେ ଗ୍ରାମର ସମସ୍ତ ଘର ଭାଙ୍ଗିଯିବା ସହ ଜଙ୍ଗଲରେ ଥିବା ଫଳନ୍ତି ଗଛ ମଧ୍ୟ ନଷ୍ଟ ହୋଇଯାଇଛି। ଏହା ଦେଖି ଗ୍ରାମର ବହୁ ପରିବାର ଗ୍ରାମ ଛାଡି ପାହାଡତଳ ଗ୍ରାମକୁ ଆସିଯାଇଛନ୍ତି। ଧାଡ଼ିଆମ୍ବ ନିକଟରେ ସେବକ ନାୟକ, ଅର୍ଜୁନ ନାୟକ ସମେତ କିଛି ପରିବାର ରହୁଥିବାବେଳେ ତେନ୍ତୁଳିସାହିରେ ଜାଗିଲି ନାୟକ ନରସିଂହ ନାୟକ ସମେତ ଅନ୍ୟମାନେ ଘର କରି ରହୁଛନ୍ତି। ଗ୍ରାମକୁ ଭଲ ରାସ୍ତାଟିଏ ନଥିବା ବେଳେ ପ୍ରାକୃତିକ ଉପାୟରେ ପାଇପ ଯୋଗେ ଆସୁଥିବା ଝରଣା ପାଣି ଗ୍ରୀଷ୍ମ ଋତୁ ଠାରୁ ଠିକ୍‌ ଭାବେ ଆସୁନାହିଁ। ଗ୍ରାମରେ ଏବେ ହରିଚନ୍ଦ୍ର କାର୍ଜୀ, କୃଷ୍ଣଚନ୍ଦ୍ର କାର୍ଜୀ ସମେତ ୬ ପରିବାର ରହୁଛନ୍ତି। ଗ୍ରାମର ଦିବ୍ୟାଙ୍ଗ ମାଆ ଝିଅ ମଣି କାର୍ଜୀ, ସରୋଜିନୀ କାର୍ଜୀ ଆବାସ ଯୋଜନାରେ ସାମିଲ ହୋଇ ନଥିବାରୁ ଗ୍ରାମଠାରୁ ଅନତି ଦୂରରେ ଘର କରି ରହୁଛନ୍ତି। ଗ୍ରାମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଗୋକର୍ଣ୍ଣାସାହି ଠାରୁ ଏହି ଗ୍ରାମକୁ ରାସ୍ତା ନିର୍ମାଣ ସହ ଧୋବାଲିଙ୍ଗି ନାଳରେ ପୋଲ ନିର୍ମାଣ ହେଲେ ଲୋକମାନଙ୍କ ଯାତାୟାତ ସୁବିଧା ହୋଇ ପାରିବ। ପାର୍ଶ୍ବରେ ଆଙ୍କୁଲି ପଞ୍ଚାୟତର ତପରଡ଼ା ଆଦିବାସୀ ଗ୍ରାମଟି ଗତ କିଛି ବର୍ଷ ପୂର୍ବେ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିହ୍ନ ହୋଇଯାଇ ଥିବାବେଳେ ଏବେ ଗ୍ରାମର ଲୋକଙ୍କ ସମ୍ପର୍କରେ କାହା ପାଖରେ ସୂଚନା ନାହିଁ। ତେଣୁ ପ୍ରଶାସନ ଗ୍ରାମ ଲୋକଙ୍କ ବିଭିନ୍ନ ଅସୁବିଧା ପ୍ରତି ଦୃଷ୍ଟି ନଦେଲେ ଏହି ଗ୍ରାମଟି ଭୂଗୋଳରୁ ହଜିଯିବା ଆଶଙ୍କା ରହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories