ଗଡମଧୁପୁର: ଯାଜପୁର ଜିଲା ଜେନାପୁର ଅଞ୍ଚଳ ଏବେ ଦେଶୀ ମଦ କରିଡର ପାଲଟି ଯାଇଛି। ଏହି ଅଞ୍ଚଳ ଉପରେ ଏବେ ଦେଶୀ ମଦ ବେପାରୀଙ୍କ ନଜର ରହିଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଶହ ଶହ ଲିଟର ମଦ ଏହି ଅଞ୍ଚଳକୁ ବିଭିନ୍ନ ଉପାୟରେ ପ୍ରବେଶ କରୁଥିବା ବେଳେ ଜେନାପୁର ଥାନ ଅଧିକାରୀଙ୍କ ଦ୍ୱାରା ଅନେକ ସମୟରେ ଧରପଗଡ ହେବା ଦ୍ୱାରା ଏକାଧିକ ଗିରଫ ହୋଇଛନ୍ତି। ବିଗତ କେଇଦିନ ମଧ୍ୟରେ ପ୍ରାୟ ୫୦୦ଲିଟରରୁ ଅଧିକ ମଦ ଜବତ ହୋଇଛି। ସେହିପରି ଭାବରେ ଅବକାରୀ ବିଭାଗର ହିସାବକୁ ନେଲେ ମାସକ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଗିରଫ ହେବା ସହିତ ପାଖାପାଖା ୧୦୦୦ଲିଟରରୁ ଅଧିକ ଦେଶିମଦ ଜବତ ହୋଇଛି।
ଏଥି ସହିତ ଦେଶୀମଦ ବେପାରରେ ବ୍ୟବହୃତ ଇଣ୍ଡିକା, ମଟର ସାଇକେଲ ଓ ଆଜି ଏକ ବୋଲେରୋ ଗାଡି ଜବତ ହେବା ଘଟଣା ଏହି ଅଞ୍ଚଳରେ ଚାଲିଥିବା ବହୁଳ ପରିମାଣର ଦେଶୀ ମଦ କାରବାରକୁ ପଦାରେ ପକାଇଛି। ଆଜି ଜେନାପୁର ପୁଲିସ ପେଟ୍ରୋଲିଙ୍ଗ ସମୟରେ ଚଢେଇଧରା ଛକ ନିକଟରେ ଏକ ବୋଲେରୋ ନଂ ଓଆର ୧୯କେ ୬୫୦୦ କୁ ସନ୍ଦେହ କରି ଅଟକାଇବାରେ ସେଥିରେ ଦୁଇଟି ମଟର ଟ୍ୟୁବ ଭିତରେ ୧୫୦ଲିଟର ଦେଶୀ ମଦ ମହଜୁଦ ରହିଥିବା ଦେଖିବାକୁ ପାଇଥିଲେ। ପୁଲିସ ସେହି ଦେଶୀ ମଦକୁ ଜବତ କରିବା ସହିତ ଗାଡିକୁ ଅଟକ ରଖିଛି। ଏହି ଚୋରା କାରବାରରେ ସମ୍ପୃକ୍ତ ତନି ଜଣ ଯଥା ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ଗ୍ରାମର ମଙ୍ଗୁଳୀ ବେହେରା, ଜେନାପୁର ଥାନା ଅନ୍ତର୍ଗତ କୁସ୍ତିରା ଗ୍ରାମର ମଦନ ଦଳେଇ ଓ ଢେଙ୍କାନାଳ ଜିଲାର ଭୁବନ ଥାନା ଅନ୍ତର୍ଗତ ସିନ୍ଧିକାନ୍ତି ଅଂଚଳର ଗତିକୃଷ୍ଣ ମାଝିଙ୍କୁ ଗିରଫ କରିଛି। ଜେନାପୁର ପୁଲିସ କେସ ନଂ ୨୪୫/୨୧ ଅବକାରୀ ଧାରା ୫୨(ଏ) ଅନୁଯାଇ ଏକ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଆଶିଷ କୁମାର ସାହୁ ସୁଚନା ଦେଇଛନ୍ତି।



