ଖାଦ୍ୟରେ ଜାଗତିକ ଉଷ୍ମତାର ପ୍ରଭାବ

ଭୁବନେଶ୍ଵର: ବିଶ୍ବ ସମ୍ମୁଖରେ ଏବେ ସବୁଠାରୁ ଗମ୍ଭୀର ତଥା ସମାଧାନ ଏଡ଼ାଇ ଚାଲିଥିବା ସମସ୍ୟା ରୂପେ ମୁଣ୍ଡ ଟେକିଛି ଜାଗତିକ ଉଷ୍ମତା ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ସାମଗ୍ରିକ ଭାବେ ପରିେବଶ ଓ ପରିସଂସ୍ଥା ଏବଂ ନିର୍ଦିଷ୍ଟ ଭାବେ ମଣିଷର ଜୀବନଧାରା ଉପରେ ଏହାର ଘାତକ ପ୍ରଭାବମାନ ଉଭା ହେବାରେ ଲାଗିଛି ନାନାଦି ନୂଆନୂଆ ରୂପନେଇ। ସେଥିମଧ୍ୟରୁ ଏବେ ସଦ୍ୟ ପ୍ରକଟିତ ହୋଇଛି ସାରା ପୃଥିବୀର ଅର୍ଦ୍ଧେକରୁ ଊର୍ଦ୍ଧ୍ବ ଲୋକଙ୍କର ମୁଖ୍ୟ ଖାଦ୍ୟ ରୂପେ ପରିଗଣିତ ଚାଉଳରେ ଆର୍ସେନିକ ବିଷର ପରିମାଣ ପରିବର୍ଦ୍ଧନରେ ଏହାର ଭୂମିକା। ନିକଟରେ ସୁପ୍ରସିଦ୍ଧ ଗବେଷଣା ପତ୍ରିକା ‘ଲାନ୍ସେଟ୍ ପ୍ଲାନେଟାରୀ ହେଲ୍ଥ’(ଏପ୍ରିଲ ୧୬, ୨୦୨୫)ରେ ଏଥି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ବର୍ତ୍ତମାନ ଚାଉଳରେ ଏହାର ପରିମାଣ କ୍ଷତିକାରକ ମାତ୍ରାରେ ପହଞ୍ଚି ସାରିଲାଣି ଏବଂ ୨୦୫୦ ମସିହା ବେଳକୁ ତାହା ଅଧିକ ବିପଜ୍ଜନକ ହୋଇଯିବ ବୋଲି ଏଥିରେ କୁହାଯାଇଛି। ପୁନଶ୍ଚ ଅଧିକ ପୁଷ୍ଟିକର ରୂପେ ପରିଗଣିତ ହୋଇଆସୁଥିବା ଅକାଣ୍ଡିଆ ଧୂସର ଚାଉଳରେ ତାହାର ମାତ୍ରା ଅଧିକ ହେବାର ଜଣାପଡ଼ିଛି।
ଚାଉଳରୁ ପ୍ରସ୍ତୁତ ଅନ୍ନରେ ଆମ ଶରୀର ଗଢ଼ା ବୋଲି ବିଶ୍ବାସ ପ୍ରଚଳିତ ହୋଇଆସୁଛି ଯୁଗଯୁଗ ଧରି। ସେଥିପାଇଁ କୁହାଯାଏ, ‘ଅନ୍ନମୟ ପିଣ୍ଡ’ ଏପରିସ୍ଥଳେ, ଏଥିରେ ଏହି ବିଷାକ୍ତ ପଦାର୍ଥଟିର ଉପସ୍ଥିତି ସମ୍ପର୍କରେ ସୂଚନା ମନକୁ ଆନ୍ଦୋଳିତ କରିବା ସ୍ବାଭାବିକ।
ପୃଥିବୀରେ ରହିଛି ପ୍ରାୟ ୭୦୦୦ରୁ ଊର୍ଦ୍ଧ୍ବ କିସମର ଧାନ। ସେଗୁଡ଼ିକର ଚାଉଳ ନାନା ରଙ୍ଗର ଏବଂ ନାନା ଆକୃତିର। ତାହାକୁ ଭଲ ଭାବେ କାଣ୍ଡି ଅର୍ଥାତ୍ ତା’ର ବାହ୍ୟସ୍ତର ନିଷ୍କାସିତ କରି ଧଳା ଏବଂ ତାହା ନକରି ଅର୍ଥାତ୍ ମଣ୍ଡ ଏବଂ ଭ୍ରୂଣଥିବା ଅକାଣ୍ଡିଆ ଧୂସର ଚାଉଳ ଉତ୍ପାଦନ କରାଯାଏ। ଏଥିରୁ ପ୍ରଥମଟି ଉପଭୋକ୍ତାଙ୍କ ମହଲରେ ଆଦୃତ ହେଲେ ହେଁ ଦ୍ବିତୀୟଟିକୁ ଅଧିକ ପୁଷ୍ଟିକର ବୋଲି ମନେ କରାଯାଏ। କାରଣ ଏଥିରେ ଥାଏ ମାତ୍ରାଧିକ ବିବିଧ ପୌଷ୍ଟିକ ଉପାଦାନ। ଉଦାହରଣସ୍ବରୂପ, ଜଣେ ସାଧାରଣ ଲୋକ ଗୋଟିଏ ଭୋଜନରୁ ହାରାହାରି ଭାବେ ପ୍ରାୟ ୫୦ଗ୍ରାମ ଧଳାକାଣ୍ଡିଆ ଚାଉଳ ଏବଂ ଧୂସର ଅକାଣ୍ଡିଆ ଚାଉଳରୁ ପ୍ରାପ୍ତ ହୋଇଥାଏ ଯଥାକ୍ରମେ ୧୬୯ ଏବଂ ୧୭୦ କିଲୋ କ୍ୟାଲୋରୀ ଶକ୍ତି। ଏଥିରେ ଥାଏ ପ୍ରାୟ ୦.୩ ଏବଂ ୧.୫ ଗ୍ରାମ ସ୍ନେହସାର, ୩୭ ଏବଂ ୩୫ ଗ୍ରାମ ଶ୍ବେତସାର, ୦.୬ ଏବଂ ୧.୭ ଗ୍ରାମ ଖାଦ୍ୟ ତନ୍ତୁ, ୩.୩ ଏବଂ ୩.୫ ଗ୍ରାମ ପ୍ରୋଟିନ୍, ୦.୪ ଏବଂ ୦.୬ ମିଲିଗ୍ରାମ ଲୌହ, ୧୨ ଏବଂ ୫୪ ମିଲିଗ୍ରାମ, ମାଗ୍ନେସିୟମ ୦.୦୩ ଏବଂ ୦.୨୫ ମିଲିଗ୍ରାମ ଥାଇଆମିନ୍, ୦.୭୪ ଏବଂ ୩ ମିଲିଗ୍ରାମ ନିଆସିନ୍, ୩.୭ ଏବଂ ୧୦.୭ ମାଇକ୍ରୋଗ୍ରାମ ଫୋଲେଟ୍ ଇତ୍ୟାଦି। ଅବଶ୍ୟ ଉତ୍ପାଦନ ହେଉଥିବା ସ୍ଥାନର ଜଳବାୟୁ ଓ ମୃତ୍ତିକାର ବିଭିନ୍ନତା ଏବଂ ଧାନର କିସମ ଉପରେ ନିର୍ଭରକରି ସେଗୁଡ଼ିକର ପରିମାଣ ଭିନ୍ନଭିନ୍ନ ହୋଇଥାଏ। ତେବେ, ମୋଟାମୋଟି ଭାବେ ଧଳା ଚାଉଳ ତୁଳନାରେ ଧୂସର ଚାଉଳକୁ ଅଧିକ ପୁଷ୍ଟିଯୁକ୍ତ ଏବଂ ସ୍ବାସ୍ଥ୍ୟକର ବୋଲି ମନେ କରାଯାଏ।
ତଦନୁଯାୟୀ ଏଥିରେ ଅଧିକ ମାତ୍ରାରେ ମାଗ୍ନେସିୟମ ଏବଂ ଖାଦ୍ୟତନ୍ତୁ ଥିବାରୁ ଏହା ରକ୍ତଶର୍କରା ହ୍ରାସ ମାଧ୍ୟମରେ ମଧୁମେହ (୨ୟ ଶ୍ରେଣୀ)ର ସମ୍ଭାବନା ହ୍ରାସ କରେ। ଧଳା ବା କାଣ୍ଡିଆ ଚାଉଳ ତୁଳନାରେ ଏହାର ‘ଗ୍ଲାସେମିକ୍ ଇଣ୍ଡେକ୍ସ’ କମ୍ (ଯଥାକ୍ରମେ ହାରାହାରି ୭୩ ଏବଂ ୬୫)। ଏହା ହୃଦ୍ରୋଗର ସମ୍ଭାବନା ମଧ୍ୟ ହ୍ରାସ କରେ ବୋଲି କୁହାଯାଏ, କାରଣ ଏଥିରେ ଥିବା ତୈଳାଂଶ ‘ଉତ୍ତମ କୋଲେଷ୍ଟେରଲ୍’ ବୋଲି କୁହାଯାଉଥିବା ‘ଉଚ୍ଚ ସାନ୍ଦ୍ରତା ସଂପନ୍ନ ସ୍ନେହସାର’ର ମାତ୍ରା ବୃଦ୍ଧି ଏବଂ ‘ମନ୍ଦ କୋଲେଷ୍ଟେରଲ’ ବୋଲି କୁହାଯାଉଥିବା ‘ନିମ୍ନ ସାନ୍ଦ୍ରତା ସଂପନ୍ନ ସ୍ନେହସାର’ର ମାତ୍ରା ହ୍ରାସ ଘଟାଏ ବୋଲି ମନେ କରାଯାଏ। ପୁନଶ୍ଚ ଏହା ମଧ୍ୟ ପ୍ରତିଜାରକରେ ସମୃଦ୍ଧ; ଯାହାକି ଶରୀରକୁ ହାନିକାରକ ମୁକ୍ତମୂଳକରୁ ବିମୁକ୍ତ କରି କର୍କଟରୋଗ, ହୃଦ୍ରୋଗ ଆଦିର ସମ୍ଭାବନା ହ୍ରାସ କରେ। ଅନ୍ୟ ପକ୍ଷରେ ଅକାଣ୍ଡିଆ ଧୂସର ଚାଉଳ ‘କାୟିକ ଘନତ୍ବ ସୂଚକାଙ୍କ’ (ବଡ଼ିମାସ୍ ଇଣ୍ଡେକ୍ସ)କୁ ହ୍ରାସ କଲାବେଳେ କାଣ୍ଡିଆ ଧଳାଚାଉଳ ତାହା ବୃଦ୍ଧି କରିଥାଏ।
ଏ ସମସ୍ତ ସ୍ବାସ୍ଥ୍ୟ ପ୍ରଦାୟକ ଗୁଣାବଳୀ ସତ୍ତ୍ବେ ଏଥିରେ ଅଧିକ ମାତ୍ରାରେ ଆର୍ସେନିକର ସନ୍ଧାନ ଏହାକୁ ନେଇ ସୃଷ୍ଟି କରିଛି ନାନାଦି ଆଶଙ୍କା ଏବଂ ଜାତ କରିଛି ନାନାଦି ପ୍ରଶ୍ନ। କାରଣ ଧୂସର ଚାଉଳର ସମସ୍ତ ସକାରାତ୍ମକ ପ୍ରଭାବକୁ ଏହା ବିପରୀତମୁଖୀ କରିବାର ସାମର୍ଥ୍ୟ ରହିଛି। ନିକଟରେ ପ୍ରକାଶିତ ଆମେରିକୀୟ ‘ଫୁଡ଼୍ ଏଣ୍ଡ୍ ଡ୍ରଗ ଆଡ଼ମିନିଷ୍ଟ୍ରେସନ’ର ରିପୋର୍ଟ ଅନୁସାରେ ଧଳା ବା କାଣ୍ଡିଆ ଚାଉଳରେ ଅଧିକ କ୍ଷତିକାରକ ଅଜୈବ ଆର୍ସେନିକ ହାରାହାରି ଏକ ବିଲିୟନ ଭାବରେ ୯୨ ଭାଗ ଥିଲାବେଳେ ଅକାଣ୍ଡିଆ ଧୂସର ଚାଉଳରେ ତାହା ୧୫୪ ଭାଗ (ଜୈବ ଆର୍ସେନିକ ଶରୀରରୁ ସହଜରେ ନିଷ୍କାସିତ ହୋଇଯାଉଥିବାରୁ ଏହା କମ୍ କ୍ଷତିକାରକ)। ଏଣୁ ବିଶେଷଜ୍ଞଙ୍କ ମତରେ ଦିନକୁ ଗୋଟିଏ ଭୋଜନରୁ ଅଧିକରେ ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଖାଇଲେ ଫୁସ୍ଫୁସ୍ ଏବଂ ମୂତ୍ରାଶୟ କର୍କଟ ରୋଗର ସମ୍ଭାବନା ୧୪୮ରୁ ୧୫୦ ପ୍ରତିଶତ ବୃଦ୍ଧି ପାଇବ।
ବୈଜ୍ଞାନିକଙ୍କ ମତରେ ଅନ୍ୟାନ୍ୟ ଶସ୍ୟ ତୁଳନାରେ ଚାଉଳରେ ଆର୍ସେନିକ ଅଧିକ ହେବାର କାରଣ ହେଲା ଧାନଗଛର ଜଳ ଏବଂ ମୃତ୍ତିକାରୁ ହାରାହାରି ପ୍ରାୟ ୮-୧୦ଗୁଣ ଏହା ଅଧିକ ଶୋଷଣ କରିପାରେ। ଏ ଫସଲ ଅଧିକ ଜଳ ଆବଶ୍ୟକ କରେ। ଏଣୁ ସେଥିରୁ ଏବଂ ଆର୍ଦ୍ର ମୃତ୍ତିକାରୁ ଏହା କରିବା ସହଜ ହୁଏ।
ଅବଶ୍ୟ ଚାଉଳକୁ ଭଲ କରି ଧୋଇଲେ ସେଥିରୁ ପ୍ରାୟ ୧୦ ପ୍ରତିଶତ ଆର୍ସେନିକ ହ୍ରାସ ପାଏ। ଅନ୍ୟପକ୍ଷରେ, ତାହାକୁ ଗରମ ପାଣିରେ ରାନ୍ଧି ପେଯ ବାହାର କରିଦେଲେ ତହିଁରୁ ଏହା ଆହୁରି ୪୦ରୁ ୬୦ ଶତାଂଶ କମ୍ ହୁଏ। ତେବେ, ଏପରି କରିବା ଦ୍ବାରା ଚାଉଳେର ପୌଷ୍ଟିକମାନ ମଧ୍ୟ ପ୍ରଭାବିତ ହୋଇଥାଏ।
ଜାଗତିକ ଉଷ୍ମତା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଚାଉଳର ଏବେ ଆର୍ସେନିକ ବଢ଼ିବଢ଼ି ଚାଲିଥିବା ସମ୍ପର୍କରେ ‘ଲାନସେଟ୍ ପ୍ଲାନେଟାରୀ ହେଲ୍ଥ’ ପତ୍ରିକାରେ ପ୍ରଦତ୍ତ ତଥ୍ୟ ହେଉଛି ଚାଇନିଜ୍ ଏକାଡେମୀ ଅଫ୍ ସାଇନସେସର ଡଂଗମିଂଗ୍ ୱାଗଂ୍ଙ୍କ ନେତୃତ୍ବରେ ଗବେଷଣା ଚଳାଇଥିବା କିଛି ଚୀନା ଏବଂ ଆମେରିକାର ଗବେଷକଙ୍କ ଅଧ୍ୟୟନର ଫଳାଫଳ। ଏଥିରେ ସେମାନେ ଦୀର୍ଘ ୧୦ ବର୍ଷ ଧରି ୭ଟି ଏସୀୟ ଦେଶ ବାଂଲାଦେଶ, ଚୀନ, ଭାରତ, ଇଣ୍ଡୋନେସିଆ, ମ୍ୟାଁମାର, ଫିଲିପାଇନ୍ସ ଏବଂ ଭିଏତ୍ନାମର ୨୮ଟି ପ୍ରଜାତିର ଚାଉଳ ଉପରେ ପରୀକ୍ଷା କରି ଉକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ତଦନୁଯାୟୀ ଯେତେବେଳେ ବାୟୁରେ ଅଙ୍ଗାରକାମ୍ଳଯାନର ସ୍ତର ବୃଦ୍ଧି ପାଏ ଏବଂ ତାପମାତ୍ରା ଅଧିକ ହୁଏ ସେତେବେଳେ ମୃତ୍ତିକାର ରସାୟନରେ ପରିବର୍ତ୍ତନ ଘଟିବା ହେତୁ ଧାନ ଏବଂ ତହିଁରୁ ଉତ୍ପନ୍ନ ଚାଉଳରେ ଆର୍ସେନିକର ମାତ୍ରା ବଢ଼ିଯାଏ। ସେମାନଙ୍କ ମତରେ ଏହି ଧାରା ଅବ୍ୟାହତ ରହିଲେ ୨୦୫୦ ମସିହା ବେଳକୁ ଏହାକୁ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରୁଥିବା ଦେଶଗୁଡ଼ିକରେ କର୍କଟରୋଗ, ହୃଦ୍ରୋଗ, ମଧୁମେହ ତଥା ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଅନେକ ଗୁଣ ବଢ଼ିଯିବ। ବିଶେଷକରି ବନ୍ୟାଜଳ ପୁଷ୍ଟ ଚାଷଜମିରୁ ଉତ୍ପନ୍ନ ଚାଉଳରେ ଏହାର ମାତ୍ରା ଅଧିକ ହେବ।
ଉପରୋକ୍ତ ଗବେଷକଙ୍କ ମଧ୍ୟରୁ ଅନ୍ୟତମ କଲମ୍ବିଆ ବିଶ୍ବବିଦ୍ୟାଳୟର ‘ମେଲ୍ମ୍ୟାନ୍ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥ’ ଠାରେ କାର୍ଯ୍ୟରତ ଲୁଇସ ଜିସ୍କାଙ୍କ ସୂଚନା ମୁତାବକ କେବଳ ଚାଉଳ କାହିଁକି, ଅପେକ୍ଷାକୃତ କମ୍ ମାତ୍ରାରେ ହେଲେ ବି ଅନ୍ୟାନ୍ୟ ଶସ୍ୟରେ ମଧ୍ୟ ଆର୍ସେନିକର ମାତ୍ରା ବୃଦ୍ଧି ଘଟିବ। ଅତଏବ ଭବିଷ୍ୟତରେ ଏହା ସମଗ୍ର ବିଶ୍ବରେ ଏକ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିବ। ଜାଗତିକ ଉଷ୍ମତା ବୃଦ୍ଧିକୁ ପ୍ରତିରୋଧ କରିବା ଲାଗି ୨୦୧୫ ମସିହା ପ୍ୟାରିସ୍ ସମ୍ମିଳନୀ ପରଠାରୁ ବିଶ୍ବବ୍ୟାପୀ ବାରମ୍ବାର ବିଚାର ଆଲୋଚନା ହେଉଛି। ତେବେ ତାହାକୁ ରୋକିବା ସମ୍ଭବ ହୋଇପାରିନାହିଁ। ବର୍ତ୍ତମାନ ଏହା ନିରାପଦ ସ୍ତର ବୋଲି କୁହାଯାଉଥିବା ଶିଳ୍ପ ବିପ୍ଳବ ପୂର୍ବର ତାପମାତ୍ରାଠାରୁ ୧.୫ ଡିଗ୍ରୀ ସେଲସିୟସ୍ ବୃଦ୍ଧିକୁ ଅତିକ୍ରମ କରିବାକୁ ଲାଗିଲାଣି ଏବଂ ଖୁବ୍ ଶୀଘ୍ର ୨ ଡିଗ୍ରୀ ସେଲସିୟସ୍ ଟପିଯାଇ ବିପଜ୍ଜନକ ସ୍ଥିତି ସୃ୍ଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି। ଏହାର ବିବିଧ କୁପରିଣାମ ମଧ୍ୟରୁ ସମ୍ଭବତଃ ଅନ୍ୟତମ ହେବ ଚାଉଳରେ ଆର୍ସେନିକର ମାତ୍ରା ବୃଦ୍ଧି।
Comments are closed.