ଡେସ୍କ: କଟକ ମୁଣ୍ଡୁଳି ଠାରେ ଏବେ ଜଳସ୍ଥର ସର୍ବୋଚ୍ଚ ସ୍ତରରେ ପ୍ରବାହିତ ହେଉଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ମୁଣ୍ଡୁଳି ଦେଇ ବନ୍ୟାଜଳ ଏବେ ସର୍ବୋଚ୍ଚ ସ୍ତରରେ ପ୍ରବାହିତ ହେଉଛି ଏବଂ ଏହା ୮ରୁ ୯ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ତରରେ ପ୍ରବାହିତ ହେବ ବୋଲି ଶ୍ରୀ ଜେନା କହିଛନ୍ତି। ସେ କହିଛନ୍ତି, ଆଜି ସନ୍ଧ୍ୟା ୬ଟା ଠାରୁ ବନ୍ୟାଜଳ ପିକରେ ମୁଣ୍ଡୁଳି ଦେଇ ପ୍ରବାହିତ ହେଉଛି ଏବଂ ରାତି ୩ଟା ସୁଦ୍ଧା ଏହା ହ୍ରାସ ପାଇବା ଅନୁମାନ କରାଯାଉଛି। ଏହି ୮ ଘଣ୍ଟା ପରେ ଏହି ବନ୍ୟାଜଳ କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲା ମଧ୍ୟକୁ ଏକ ବେଳକେ ପ୍ରବେଶ କରିବ। ଏହି ୩ଟି ଜିଲ୍ଲାରେ ଆଜି ରାତି ୧୨ଟାରୁ ୧ଟା ମଧ୍ୟରେ ପିକ ବନ୍ୟାଜଳ ପ୍ରବାହିତ ହେବ। ଏହି ବନ୍ୟାଜଳ ସମୁଦ୍ରରେ ପହଂଚିବା ପାଇଁ ପ୍ରାୟ ୧୨ ଘଣ୍ଟା ଲାଗିବ।
ସୂଚନା ଅନୁଯାୟୀ ମହାନଦୀ ବ୍ୟବସ୍ଥାରେ ୨ଟି ସ୍ଥାନରେ ଘାଇ ହୋଇଛି। ପୁରୀ ଜିଲ୍ଲାର ମକରା ନଦୀ ଏବଂ ଖୋର୍ଦ୍ଧା ଜିଲ୍ଲା ରାଜୁଆ ନଦୀର ଡାହାଣ ପାର୍ଶ୍ୱ ବନ୍ଧରେ ଘାଇ ସୃଷ୍ଟି ହୋଇଛି। ଶ୍ରୀ ଜେନା କହିଛନ୍ତି ଯେ ମହାନଦୀ ସମ୍ବନ୍ଧିତ ୧୦ଟି ଜିଲ୍ଲାରେ ବନ୍ୟା ଦେଖା ଦେଇଛି ଏବଂ ୪୯ଟି ବ୍ଲକ, ୩୬୯ଟି ଗ୍ରାମ ପଂଚାୟତ ଓ ୧୩୬୬ଟି ଗାଁ ବନ୍ୟା ପ୍ରଭାବିତ ହୋଇଛି। ଏହି ବନ୍ୟାରେ ୯ଟି ସହରାଂଚଳର ୪୫ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି। ଏହି ବନ୍ୟାରେ ରାଜ୍ୟର ପ୍ରାୟ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୨୩୭ଟି ଗାଁ ବନ୍ୟାଜଳ ଘେରରେ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକ ଏବେ ଜଳ ଘେରରେ ଅଛନ୍ତି।
ବନ୍ୟା ପ୍ରଭାବିତ ୨୭ ହଜାର ଲୋକଙ୍କୁ ୯୦ଟି ସ୍ଥାନରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ୭୦୭ଟି ବାସଗୃହ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ୨୪ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ୪୩ଟି ବ୍ଲକ, ୧୭୫ଟି ପଂଚାୟତ, ୩୫୩ଟି ଗାଁର ୨୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି।



