ଗୁଆହାଟୀ : ଆସାମରେ ବନ୍ୟା ପରିସ୍ଥିତି ଉଦବେଗଜନକ ସ୍ଥିତରେ ପହଞ୍ଚିଛି। ୧୭ଟି ଜିଲ୍ଲାର ପ୍ରାୟ ସାଢ଼େ ୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବନ୍ୟା ପରିସ୍ଥିତିରେ ଶୁକ୍ରବାର କୌଣସି ଉନ୍ନତି ଘଟି ନାହିଁ । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସମସ୍ତ ଉପ-କମିଶନରଙ୍କ ସହିତ ସ୍ଥିତିର ସମୀକ୍ଷା କରି ସମସ୍ତ ପ୍ରଭାବିତ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ନିର୍ଦେଶ ଦେଇଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଏନଡିଆରଏଫ୍ ଓ ସେନା ବାହିନୀକୁ ମୁତୟନ କରାଯାଇଛି।
ସରକାରୀ ଭାବେ କୁହାଯାଇଛି, ଧେମାଜୀ, ବାରପେଟା ଓ ବାଙ୍ଗାଇଗାଓଁ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜଳ କାଜିରଙ୍ଗା ଜାତୀୟ ଅଭୟାରଣ୍ୟର ଶତକଡ଼ା ୪୦ ଭାଗ ଅଞ୍ଚଳରେ ପାଣି ମାଡ଼ିଯାଇଛି। ଆହୁରି ଅନେକ ଜାତୀୟ ଅଭୟାରଣ୍ୟ ମଧ୍ୟ ଜଳମଗ୍ନ ହୋଇଥିବାର ଜଣାପଡ଼ିଛି। ଏନଡିଆରଏଫ ଓ ଏସଡିଆରଏଫ ଟିମ୍ଗୁଡ଼ିକୁ ଉଦ୍ଧାର କାର୍ଯ୍ୟପାଇଁ ମୁତୟନ କରାଯାଇଛି ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖାଦ୍ୟପଦାର୍ଥ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି। ବନ୍ୟାରେ ଫସଲର ବ୍ୟାପକ କ୍ଷତି ଘଟିବା ସହ ରାସ୍ତାସବୁ ଧୋଇଯାଇଛି ଓ ସରକାରୀ ମତ୍ସ୍ୟପାଳନ କେନ୍ଦ୍ରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।



