www.samajalive.in
Friday, December 12, 2025
27.1 C
Bhubaneswar

କେନ୍ଦ୍ରୀୟ ଟିମ୍‍କୁ ଦିଆଗଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ; ରାଜ୍ୟ ମାଗିଲା ୧୧୦୦କୋଟି

ଭୁବନେଶ୍ୱର: ବନ୍ୟା ପ୍ରଭାବିତ ଅଞ୍ଚଳରେ ଘଟିଥିବା କ୍ଷୟକ୍ଷତି ଭରଣା ପାଇଁ ୧୧୦୦କୋଟି ଟଙ୍କାର ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାର କେନ୍ଦ୍ରୀୟ ଟିମ ନିକଟରେ ଦାବି ରଖିଛନ୍ତି। ରାଜ୍ୟ ସରକାର ପ୍ରାଥମିକ ଆକଳନ ଅନୁସାରେ କେନ୍ଦ୍ରୀୟ ଟିମକୁ ଏହି ରିପୋର୍ଟ ପ୍ରଦାନ କରିଥିବାବେଳେ ପରେ କ୍ଷୟକ୍ଷତି ସଂକ୍ରାନ୍ତରେ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଦାଖଲ କରାଯିବ ବୋଲି ସୂଚନା ମିଳିଛି।

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ର ଆନ୍ତଃମନ୍ତ୍ରାଳୟ ଟିମର ସଦସ୍ୟମାନେ ଗତ ଦୁଇ ଦିନ ଧରି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆହୁତ ଏକ ବୈଠକରେ ଯୋଗଦେଇ ପରିସ୍ଥିତିର ସମୀକ୍ଷା କରିଥିଲେ।
ଏହି ବୈଠକରେ ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ଜଳସମ୍ପଦ, କୃଷି, ପଞ୍ଚାୟତିରାଜ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

- Advertisement -

ପ୍ରତିନିଧି ଦଳ ସମ୍ମୁଖରେ ମୁଖ୍ୟ ସଚିବ, ଏସଆରସି ଓ ଅନ୍ୟ ସଚିବମାନେ ବନ୍ୟାରେ ଘଟିଥିବା କ୍ଷୟକ୍ଷତି, ଏହାର ମୁକାବିଲା, ରିଲିଫ ଯୋଗାଣ, ଉଦ୍ଧାର ଓ ସ୍ଥାନାନ୍ତର ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।

ଏ ସମ୍ପର୍କରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପକୁ ଉକ୍ତ ଟିମ ପ୍ରଶଂସା କରିବା ସହିତ ଏସଡ଼ିଆରଏଫ ସର୍ତ୍ତ ଅନୁସାରେ ଆବଶ୍ୟକ ସହାୟତା ଯୋଗାଇଦିଆଯିବ ବୋଲି କହିଛନ୍ତି। ବନ୍ୟାରେ କ୍ଷତିଗ୍ରସ୍ତ ନଦୀବନ୍ଧ ମଜଭୁତ କରିବା, ନୂଆ ବନ୍ଧ ନିର୍ମାଣ, ଭାଙ୍ଗିଯାଇଥିବା ଘର ପାଇଁ ବିପର୍ଯ୍ୟୟ ନିରୋଧୀ ବାସଗୃହ ନିର୍ମାଣ, ବିପର୍ଯର୍୍ୟୟ ମୁକାବିଲା ମୂଳକ ପଦକ୍ଷେପ ସହିତ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ଯୋଗାଇଦେବାକୁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ ସେମାନେ ସମ୍ମତି ପ୍ରକାଶ କରିଥିଲେ।
ପ୍ରତିନିଧି ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଆଭିମୁଖ୍ୟକୁ ପ୍ରଶଂସା କରିବା ସହିତ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କଠାରୁ ସହାୟତା ଲୋଡ଼ିବା ନେଇ ଯେଉଁ ନୂତନ ଦୃଷ୍ଟିଭଙ୍ଗୀ ରଖିଛନ୍ତି ସେଥିନେଇ ମଧ୍ୟ ସନ୍ତୋଷ ପ୍ରକାଶ କରିଥିଲେ।

ପ୍ରତିନିଧି ଦଳ ଆଗରେ ରାଜ୍ୟ ସରକାର ରଖିଥିବା ତଥ୍ୟରୁ ଜଣାପଡ଼ିଛି ଯେ ବନ୍ୟାରେ ପ୍ରାୟ ୨.୨୫ ଲକ୍ଷ ହେକ୍ଟର ଚାଷ ଜମିରେ ୩୩ପ୍ରତିଶତରୁ ଅଧିକ ଫସଲ ପ୍ରଭାବିତ ହୋଇଛି। ପ୍ରାୟ ୧ଲକ୍ଷ ୨୦ହଜାର ଘର ଭାଙ୍ଗିଛି। ଏହା ବ୍ୟତୀତ ନଦୀବନ୍ଧ, ସଡ଼କ, ସରକାରୀ ଭିତ୍ତିଭୂୂମି ନଷ୍ଟ ହୋଇଛି।

ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଟିମର ନେତୃତ୍ୱ ନେଉଥିବା ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ସମେତ ଡ.ବୀରେନ୍ଦ୍ର ସିଂହ, ଅମ୍ରିପାଲ ସିଂହ, ଶାଶ୍ୱତ ମହାପାତ୍ର ଏବଂ ଏସ.ଏସ.ମୋଦୀ ଯୋଗଦେଇଥିଲେ। କେନ୍ଦ୍ରୀୟ ଟିମ୍‍ ଦୁଇଦିନ ଧରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଦେଖିବା ପରେ ଲୋକସେବା ଭବନରେ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।

ଏସଆରସି ଶ୍ରୀ ଜେନା କମିଟି ସଦସ୍ୟମାନଙ୍କ ଆଗରେ ରଖିଥିବା ତଥ୍ୟରେ କହିଥିଲେ ଯେ ବନ୍ୟା ସମୟରେ ପ୍ରାୟ ୧.୭୩ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା। ବନ୍ୟାରେ ୧୮ଟି ଜିଲାର ୨୧ଟି ସହରାଞ୍ଚଳ ଓ ୧୨୭୬ଟି ପଞ୍ଚାୟତର ୬୦୬୬ଗ୍ରାମ ପ୍ରଭାବିତ ହୋଇଥିଲା। ପ୍ରାୟ ୧୩.୮୭ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୩.୧୧ଲକ୍ଷ ହେକ୍ଟର ଜମିରେ ଫସଲ ପାଣିରେ ବୁଡ଼ିଯାଇଥିଲା। ପ୍ରାୟ ୬୨.୪୬ହେକ୍ଟର ଚାଷ ଜମିକୁ ବାଲି ଚରିଯାଇଥିଲା। ପରିସ୍ଥିତିର ମୁକାବିଲା ପାଇଁ ରନ୍ଧା ଖାଦ୍ୟ, ଔଷଧ ଯୋଗାଇ ଦିଆଯିବା ସହିତ ପ୍ରାଣୀ ସମ୍ପଦ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ବିପନ୍ନ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଅନୁସାରେ ସହାୟତା ଯୋଗାଣର ବ୍ୟବସ୍ଥା ହୋଇଥିବା ସେ କହିଥିଲେ। ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ, କୃଷି ସଚିବ ସୌରଭ ଗର୍ଗ ସେମାନଙ୍କ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରାଥମିକ ଆକଳନ ଅନୁସାରେ ରାଜ୍ୟ ସରକାର କେନ୍ଦ୍ରୀୟ ଟିମକୁ ୧୧୦୦କୋଟିର କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିଥିବାବେଳେ ଆସନ୍ତା ୧୦ ଦିନରେ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟ ସଚିବ ବିଭାଗୀୟ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories