ଜାତୀୟ ମତ୍ସ୍ୟଚାଷ ଦିବସ ପାଳିତ : ବୌଦ୍ଧରେ ମାଛଚାଷ ପାଇଁ ରହିଛି ଅପାର ସମ୍ଭାବନା
ବୌଦ୍ଧ : କୃଷିଭିତ୍ତିକ ବୌଦ୍ଧ ଜିଲାରେ ମାଛଚାଷ ପାଇଁ ଅପାର ସମ୍ଭାବନା ରହିଛି । ଜିଲାର ତିନୋଟି ବ୍ଲକରେ ବିଭିନ୍ନ ନଦୀ ନାଳ ପ୍ରବାହିତ ହେଉଥିବାବେଳେ ଅସମତଳ ଭୂମିରେ ମାଛଚାଷ ପାଇଁ ଉପଯୁକ୍ତ ଉର୍ବରତା ଓ ଜଳବାୟୁ ସଂପୁର୍ଣ୍ଣ ଉପଯୋଗୀ । ଜିଲା ମତ୍ସ୍ୟ ବିଭାଗର ଯାଆଁଳା ଉତ୍ପାଦନ ସାରା ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିପାରିଛି। ଏଠାକାର ଭାକୁର, ଇଲିସି, କାରପିସ, ଜକଳଖିଆ ଭଳି ଅନେକ ପ୍ରଜାତିର ଯାଆଁଳା ବୌଦ୍ଧ ସମେତ ପ୍ରାୟ ୧୦ ଗୋଟି ଜିଲାର ଚାଷୀମାନଙ୍କୁ ସୂଲଭ ମୂଲ୍ୟରେ ଯୋଗାଇ ଦିଆଯାଇଥାଏ । ଜାତୀୟ ମତ୍ସ୍ୟଚାଷ ଦିିବସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାରୁ କିଭଳି ମାଛଚାଷୀମାନେ ଲାଭ ପାଇପାରିବେ ସେନେଇ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଗତ କିଛିବର୍ଷ ହେଲା ସ୍ୱୟଂସହାୟକ ଗୋଷ୍ଠୀ ମାଛଚାଷ ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । କେବଳ ଚଳିତ ଆର୍ଥିକବର୍ଷରେ ଏହିଭଳି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ୪୫ ହେକ୍ଟର ପୋଖରୀରେ ମାଛଚାଷ କରି ଉପକୃତ ହୋଇଛନ୍ତି । ସେହିପରି ବ୍ୟକ୍ତିଗତ ଭାବେ ଚାଷୀମାନେ ୨୨ ହେକ୍ଟର ପୋଖରୀରେ ସରକାରୀ ଯୋଜନାରେ ମାଛଚାଷ କରିଛନ୍ତି । ଏହାବ୍ୟତୀତ ୫୦ ଟି ବାୟୋଫ୍ଲେକ୍ସ ଟାଙ୍କିରେ ହିତାଧିକାରୀମାନେ ମାଛଚାଷ କରି ଲାଭ ପାଇ ପାରିଥିବା ନେଇ ଜିଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି।
Comments are closed.