ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ପୁଲିସ ଗାଡିରେ ଗଞ୍ଜେଇ ବିକ୍ରିକୁ ନେଇ ସୃଷ୍ଟି ହୋଇଥିବା ତୁମୁଳକାଣ୍ଡ ପରେ ଆଜି ପରିସ୍ଥିତି ନିୟନ୍ତ୍ରଣାଧିନ ଥିଲେ ବି ଉତ୍ତେଜନାପୂର୍ଣ୍ଣ ରହିଛି। ସହରରେ କାଁ ଭା ଦୋକାନ ଖୋଲିଛି। ଅଧିକାଂଶ ଲୋକ ଏବେ ବି ଭୟଭୀତ ଅବସ୍ଥାରେ ଘର ଭିତରେ ରହିଛନ୍ତି। ବଜାର ଭିତରେ ଯାନବାହନ ଚଳାଚଳ ପ୍ରାୟ ବନ୍ଦ ରହିଥିବା ବେଳେ ଦୂରଗାମୀ ଯାତ୍ରୀବାହୀ ବସ୍ ବାଇପାସ୍ ଦେଇ ଯାଉଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ଓ ଆଇଆରବି ଯବାନଙ୍କୁ ମୂତୟନ କରାଯାଇଛି। ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଜଣେ ଅତିରିକ୍ତ ଏସପି, ବିଭିନ୍ନ ଥାନାର ଆଇଆଇସି, ପ୍ରାୟ ୧୦ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।
ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ସୂଚନା ଅନୁସାରେ, ଶନିବାର ଘଟଣାକୁ ନେଇ ୩୦ଟି ମାମଲା ରୁଜୁ କରାଯାଇଛି। ଇତି ମଧ୍ୟରେ ଘଟଣାରେ ସମ୍ପୃକ୍ତ ୧୯ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ୧୫ଜଣଙ୍କୁ ଅଟକ ରଖାଯାଇଛି। ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ଫୁଲବାଣୀ ଜିଲ୍ଲା ପୁଲିସ ମୂଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଗଞ୍ଜେଇ ବିକ୍ରିରେ ସମ୍ପୃକ୍ତି ଅଭିଯୋଗ ଆସିଥିବା ଦୁଇ ହୋମଗାର୍ଡଙ୍କୁ କାର୍ଯ୍ୟରୁ ବରଖାସ୍ତ କରାଯାଇଛି। ଅନ୍ୟମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ନେଇ ତଦନ୍ତ ଚାଲିଥିବା ଏସପି ଶୁଭେନ୍ଦୁ ପାତ୍ର କହିଛନ୍ତି। ଗୁଇନ୍ଦା ରିପୋର୍ଟ ଆଧାରରେ ପୁଲିସ ପ୍ରାୟ ୩୦ ଜଣ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିଥିବା ଏବଂ ସେମାନଙ୍କୁ ଖୋଜା ଚାଲିଥିବା ସୂଚନା ଦେଇଛନ୍ତି ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର। ଇତି ମଧ୍ୟରେ ଗୁରୁତର ଆହତ ସବ୍ ଇନ୍ସପେକ୍ଟର ବିକାଶ ଜାଲିଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିବା ବେଳେ ଏସ ଡି ପି ଓ ସୁପ୍ରସନ ମଲିକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ସୂଚନା ମିଳିଛି। ଥାନା ଜଳା ପୋଡାରେ ଅଧିକାଂଶ ମହିଳା ସାମିଲ ଥିବା ଜଣା ପଡ଼ିଥିବା ବେଳେ ସେ ଉପରେ ମଧ୍ୟ ତଦନ୍ତ ଚାଲିଥିବା ବେଳେ ବିଭିନ୍ନ ଭିଡିଓ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଧିକାଂଶ ଲୋକଙ୍କୁ ପୋଲିସ ଭିଡିଓରୁ ଜଣା ପଡ଼ିଥିବା ସୂଚନା ମିଳିଛି। ଅନ୍ୟ ପଟେ ଭୟରେ ପୁରୁଷ ଲୋକେ ବଜାରକୁ ଯିବାକୁ ଭୟ କରୁଥିବା ବେଳେ କେବଳ ସରକାରୀ କର୍ମଚାରୀ ମାନଙ୍କୁ ଦେଖିବାକୁ ମିଳୁଛି। ଅଧିକାଂଶ ଗଞ୍ଜେଇ ମାଫିଆ ଥାନା ଭଙ୍ଗା ଓ ଜଳା ପୋଡାରେ ସାମିଲ ଥିବା ବେଳେ ଲୁଟ ପାଟ କରିଥିବା ପୋଲିସ ଜାଣିବାକୁ ପାଇଛି। ଅନ୍ୟ ପଟେ ପୁଣି ଥରେ ଥାନାକୁ କାର୍ଯ୍ୟକ୍ଷମ ଅତି ଶୀଘ୍ର କରା ଯିବାକୁ ପ୍ରୟାସ ଜାରି ରହିଥିବା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର କହିଛନ୍ତି। ଫିରିଙ୍ଗିଆରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି। ଥାନା ପରିସରରୁ ଯେଉଁ ସବୁ କିଛି ଲୁଟ ହୋଇଛି ତାହାକୁ ଠାବ କରିବାକୁ ପୋଲିସ ପକ୍ଷରୁ ପଦା କ୍ଷେପ ନେବା ସହ ଏଥିରେ ସମୃକ ମାନଙ୍କୁ ମଧ୍ୟ ଗିରଫ ପାଇଁ ପୋଲିସ ତରଫରୁ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି।



