ନୂଆଦିଲ୍ଲୀ: ନୂଆଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ- ଏମ୍ସରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୩୪ଟି ଦମକଳ ବାହିନୀ ଗାଡିକୁ ନିୟୋଜିତ କରାଯାଇଛି। ଜରୁରୀକାଳୀନ ବିଭାଗ ନିକଟସ୍ଥ ଅପରେସନ ଥିଏଟର ଓ ସଂଲଗ୍ନ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି ଏବଂ ନିଆଁ ଅନ୍ୟ ଆଡକୁ ବ୍ୟାପୁଥିବା ଜଣାପଡିଛି।
ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ ହୋଇଥିବା ସୂଚନା ମିଳିନାହିଁ। ଅଗ୍ନିଶମ ବିଭାଗ ଏବଂ ଏମ୍ସ କର୍ମଚାରୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ନିକାଣ୍ଡ ଘଟିଥିବା କୋଠରୀରୁ ଲୋକମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ସେହି କୋଠାରେ ଗବେଷଣା ଲାବ ଏବଂ ଡାକ୍ତରମାନଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀ ରହିଛି। ପ୍ରଥମ ମହଲାରେ ଏହି ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା ଓ ପରେ ଏହା ଦ୍ଵିତୀୟ ମହଲାକୁ ବ୍ୟାପି ଯାଇଥିଲା।
ନିଆଁ ଲିଭା କାର୍ଯ୍ୟ ଚାଲିଥିବା ବେଳେ ସେହି କୋଠାରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସେଠାରେ ଚିକିତ୍ସିତ ହେଉଥିଲେ ମଧ୍ୟ ତାଙ୍କୁ ଅନ୍ୟ ଏକ କୋଠାରେ ରଖାଯାଇଛି। ଅଗ୍ନିକାଣ୍ଡ ଘଟିଥିବା କୋଠା ଜେଟଲି ଚିକିତ୍ସିତ ହେଉଥିବା କୋଠାରୁ ଦୂରରେ ବୋଲି ଏମ୍ସ କର୍ତୃପକ୍ଷ କହିଛନ୍ତି।


