www.samajalive.in
Saturday, December 13, 2025
21.1 C
Bhubaneswar

କାଳିଆ’ ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ; ୨୫ରେ ମାଳତୀପାଟପୁରରେ ଚାଷୀ ସମାବେଶ

ଭୁବନେଶ୍ୱର : ଆସନ୍ତା ୨୫ ତାରିଖ ଦିନ ‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ। ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଯୋଜନାର ନାମ ‘କାଳିଆ’ ହୋଇଥିବାରୁ ସେହିଦିନ ପୁରୀର ମାଳତୀପାଟପୁରରେ ଏକ ବଡ଼ଧରଣର ଚାଷୀ ସମାବେଶ କରି ସହାୟତା ରାଶି ବଣ୍ଟନର ଶୁଭାରମ୍ଭ କରାଯିବାକୁ ସ୍ଥିର ହୋଇଛି। ଏଥିରେ ଏକ ଲକ୍ଷରୁ ଅଧିକ ଚାଷୀ ଯୋଗଦେବେ।
‘କାଳିଆ’ ଯୋଜନାରେ ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରସ୍ତୁତ ପାଇଁ ନାମ ସଂଯୋଗ ନିମନ୍ତେ ସବୁଜ ଫର୍ମ ଏବଂ ନାମ ବାଦ ଦେବା ନିମନ୍ତେ ମିଳିଥିବା ନାଲି ଫର୍ମ ଆଦିର ଡାଟା ଏଣ୍ଟ୍ରି କାର୍ଯ୍ୟ ଆସନ୍ତା ୨୨ ତାରିଖ ସୁଦ୍ଧା ସାରିବାକୁ ସରକାର ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ। କୃଷକଙ୍କ ଜୀବିକା ଏବଂ ଆୟ ବୃଦ୍ଧିରେ ସହାୟତା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଥିଲେ। ଜିଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ବିସ୍ତୃତ ଆଲୋଚନା କରିଥିଲେ।
ସମୀକ୍ଷାରୁ ଜଣାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ନାମ ସଂଯୋଗ ପାଇଁ ସମସ୍ତ ଜିଲାରେ ପ୍ରାୟ ୬୬ ଲକ୍ଷ ପର୍ଯ୍ୟନ୍ତ ସବୁଜ ଫର୍ମ ମିଳିଛି। ନାମ ବାଦ ଦେବା ପାଇଁ ପ୍ରାୟ ୩୫ ହଜାରରୁ ଅଧିକ ବ୍ୟକ୍ତି ଦରଖାସ୍ତ କରିଛନ୍ତି। ଦରଖାସ୍ତରେ ଧନୀ କୃଷକ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ, କାର୍ଯ୍ୟରତ ସରକାରୀ ଓ ସାଧାରଣ ଉଦ୍ୟୋଗ ଆଦିର କର୍ମଚାରୀ ରହିଛନ୍ତି। ସେସବୁ ଯାଞ୍ଚ କରି ତାଲିକାରୁ ସେମାନଙ୍କ ନାମ ବାଦ ଦେବା ପାଇଁ ନିରୀକ୍ଷକ ଓ ଅନୁସନ୍ଧାନକାରୀ ଅଧିକାରୀ ମାନଙ୍କୁ ନିର୍ଦେଶ ଦିଆଯାଇଛି। ସରକାରୀ ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ ଓ ଜିଲାସ୍ତରରେ ଡାଟା ଏଣ୍ଟ୍ରି ପାଇଁ ପର୍ଯ୍ୟାପ୍ତ କମ୍ପ୍ୟୁଟର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଅପରେଟରମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଦୈନିକ ୩ଟି ସିଫ୍ଟରେ ଡାଟା ଏଣ୍ଟ୍ରି କରିବା ପାଇଁ ଜିଲାପାଳ ମାନଙ୍କୁ କୁହାଯାଇଛି। ଦୈନିକ ପ୍ରାୟ ୧୦ ଲକ୍ଷ ୫୦ହଜାର ପର୍ଯ୍ୟନ୍ତ ଫର୍ମର ତଥ୍ୟ ସନ୍ନିବେସିତ କରିପାରିବା ଭଳି କ୍ଷମତା ସଂପନ୍ନ କମ୍ପ୍ୟୁଟର ସର୍ଭରର ବ୍ୟବସ୍ଥା କରାଯାଇଛି।
ପ୍ରତି ଜିଲାକୁ ପର୍ଯ୍ୟବେକ୍ଷକ ପଠାଯାଇ କାର୍ଯ୍ୟ ଅଗ୍ରଗତିର ତଦାରଖ କରାଯାଉଛି। ରାତ୍ରି ସିଫ୍ଟ ପାଇଁ ଅଧିକ ଘରୋଇ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ଜିଲାପାଳମାନଙ୍କ ଅନୁରୋଧକୁ ବିଚାର କରି ଶ୍ରୀ ପାଢ଼ୀ ଅନୁମତି ପ୍ରଦାନ କରିଛନ୍ତି।
କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି, ପୂର୍ବରୁ ବିଭିନ୍ନ ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରାପ୍ତ ସୂଚନା ଭିତ୍ତିରେ ୨୨.୫୦ ଲକ୍ଷ ଚାଷୀଙ୍କର ଚିଠା ତାଲିକା ସଂପୃକ୍ତ ପଞ୍ଚାୟତଗୁଡ଼ିକରେ ବିଜ୍ଞାପିତ କରାଯାଇଥିଲା। ବ୍ୟବସ୍ଥା ଅନୁସାରେ ପ୍ରାୟ ୬୬ ଲକ୍ଷ ସବୁଜ ଫର୍ମରେ ଆବେଦନ ମିଳିଛି। ଆବଶ୍ୟକ ତନଖି କରି ଚଳିତ ମାସ ୨୨ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଜାନୁଆରୀ ମାସ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ତାଲିକାଭୁକ୍ତ ଚାଷୀ ମାନଙ୍କର ବ୍ୟାଙ୍କ ଖାତାକୁ ସିଧାସଳଖ ସହାୟତା ରାଶି ପଠାଯିବ।
ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ ପାଇଁ ଜାନୁଆରୀ ୨୫ ତାରିଖରୁ ଫେବୃଆରୀ ୫ ତାରିଖ ମଧ୍ୟରେ ପଞ୍ଚାୟତସ୍ତରରେ ଚିଠା ତାଲିକା ପ୍ରକାଶିତ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ହିତାଧିକାରୀ ନାମ ସଂଯୋଗ କରିବାକୁ ଆବେଦନ କରିଥିବେ କିନ୍ତୁ ଆବଶ୍ୟକ କାଗଜପତ୍ର ଦେଇନଥିବେ ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଆବଶ୍ୟକ କାଗଜପତ୍ର ଦେଇପାରିବେ। ଏହି ସମୟ ମଧ୍ୟରେ ନିର୍ଦ୍ଧାରିତ ଫର୍ମରେ ଆବେଦନ ଓ ଅଭିଯୋଗ ଗ୍ରହଣ କରାଯିବ। ଯାଞ୍ଚ ପରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିଠା ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ସହ ପେବୃଆରୀ ତୃତୀୟ ସପ୍ତାହ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ରାଶି ପଠାଯିବ।
ଦ୍ବିତୀୟ ପର୍ଯ୍ୟାୟ ସବୁଜ ଫର୍ମ ଏବଂ ତାଲିକାରୁ ବାଦ ପଡ଼ିଥିବା ଆବେଦନ ଫର୍ମ ଉପରେ ତୃତୀୟ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକା ପ୍ରସ୍ତୁତ କରାଯିବ। ଉପଯୁକ୍ତ ଯାଞ୍ଚ ପରେ ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଖାତାରେ ସହାୟତା ଅର୍ଥ ଜମା କରାଯିବ। ଏହି ଯୋଜନାରେ ସମସ୍ତ ଯୋଗ୍ୟ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀ, ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳ, ସୂଚନା ଓ ଲୋକ ସଂପର୍କ ବିଭାଗ ଶାସନ ସଚିବ ସଞ୍ଜୟ ସିଂ, ସମବାୟ ସଚିବ କ୍ରିଷନ୍ କୁମାରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories