ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ଗଞ୍ଜେଇ ପ୍ରସ୍ତୁତି ଚାଲିଥିବା ବେଳେ ଅଚାନକ ଚଢାଉ କରି ଚାରୋଟି ବାଇକ ସହ ୪୨୦ କିଲୋ ଗଞ୍ଜେଇ ଜବତ ହୋଇଛି। ଦୁଇ ଜଣ ପେସାଦାର ଗଞ୍ଜେଇ ମାଫିଆକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ଗୋଛାପଡା ପୁଲିସ। ସୂଚନା ଅନୁସାରେ ରବିବାର ରାତ୍ରରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଏକ ଟିମ ଏହି ଥାନା ଅନ୍ତର୍ଗତ କୁଏରମାଣ୍ଡୁ ଛକ ଠାରୁ ଗଦେଇପଦର ଛକ ମଝିରେ ଥିବା ନାଙ୍ଗେଣୀ ନାଳ ନିକଟରେ ଚଢାଉ କରିଥିଲେ। ଚଢାଉ ସମୟରେ ପୁଲିସକୁ ଦେଖି ସାତ ଜଣ ମାଫିଆ ଘଟଣା ସ୍ଥଲରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣା ସ୍ଥଳରୁ ଚାରୋଟି ବାଇକ ସହ ୪୨୦ କିଲୋ ଗଞ୍ଜେଇ ଓ ଦୁଇଜଣକୁ ଗିରଫ କରିବାରେ ସଫଳ ହୋଇଥିଲେ।
ଗିରଫ ମାଫିଆ ମାନଙ୍କ ମଧ୍ୟରେ ଜଣେ ଗୋଛାପଡା ଥାନା ପାହିରେଜୁ ପଂଚାୟତ ନାନିପଦର ଗ୍ରାମର କାହ୍ନୁଚରଣ କହଁର ଓ ଅନ୍ୟଜଣେ ପାହିରାଜୁ ଗ୍ରାମର ଅନୁପ ଦିଗାଳ ବୋଲି ଜଣାପଡିଥିବା ବେଳେ ଅନୁପ ବର୍ତ୍ତମାନ ଗୋଛାପଡା ଥାନା ଲୁଇସିଂ ପଂଚାୟତର ବର୍ଷେଡି ଗ୍ରାମରେ ରହି ଆସୁଥିବା ପୁଲିସ୍ ପ୍ରକାଶ କରିଛି। ଗିରଫ ମାଫିଆ ମାନେ ଜଣେ ଜଣେ ପେସାଦାର ଗଞ୍ଜେଇ ମାଫିଆ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏହି ଘଟଣାକୁ ନେଇ ଗୋଛାପଡା ଥାନାରେ ଏକ ମାମାଲା ରୁଜୁ କରି ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ମାନଙ୍କର ମଧ୍ୟ ପରିଚୟ ମିଳିସାରିଛି ଓ ତୁରନ୍ତ ସେମାନଙ୍କୁ ମଧ୍ୟ ଧରାଯିବ ବୋଲି ଗୋଛାପଡା ଥାନା ଅଧିକାରୀ ଶ୍ରୀ ମୂନୀ ପ୍ରକାଶ କରିଛନ୍ତି।
ଚାରି ବାଇକ ସହ ୪୨୦ କିଲୋ ଗଞ୍ଜେଇ ଜବତ , ଦୁଇ ଗିରଫ
Popular Categories



