ମାଣିଆବନ୍ଧ ଥାନା ଏବଂ ବଡ଼ମ୍ବା ସବ ଜଜ୍ କୋର୍ଟ ସ୍ଥାପନ ଲାଗି ବିଧାୟକଙ୍କୁ ମିଳିତ ନାଗରିକ ସମ୍ବର୍ଦ୍ଧନା
ଜନତାଙ୍କ ସହଯୋଗରୁ ଲୋକଙ୍କ ଆବଶ୍ୟକତା ପୂରଣ ହୋଇପାରିଛି
ବଡ଼ମ୍ବା : ବହୁଦିନର ଦାବି ନୁହେଁ ବରଂ ବୁଦ୍ଧିଜୀବୀ ତଥା ଜନତାଙ୍କ ସହଯୋଗରୁ ଲୋକଙ୍କ ଆବଶ୍ୟକତା ପୂରଣ କରିବାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଛନ୍ତି ବୋଲି ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ କହିଛନ୍ତି । ବଡ଼ମ୍ବାରେ ନୂତନ ସବ ଜଜ୍ କୋର୍ଟ ସ୍ଥାପନ ଏବଂ ମାଣିଆବନ୍ଧ ଫାଣ୍ଡି ଥାନାରେ ପରିଣତ ହେବା ଅବସରରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଆଜି ନାଗରିକ ମଞ୍ଚ, ମିଳିତ କ୍ରିୟାନୁଷ୍ଟାନ କମିଟି ତଥା ଓକିଲ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ ସ୍ୱରୁପ ମିଳିତ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ବଡ଼ମ୍ବା ଓକିଲସଂଘ ଆନୁକୂଲ୍ୟରେ ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଶ୍ରୀ ମିଶ୍ର ଯୋଗଦେଇଥିବା ବେଳେ ତହସିଲଦାର ତପନ କୁମାର ପରିଡ଼ା, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ନାଗରିକ ମଞ୍ଚ ସଭାପତି ଦାମୋଦର ରଣା, ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଦିପକ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଓକିଲସଂଘର ପୂର୍ବତନ ସଭାପତି ଆଇନଜୀବୀ କୈଳାସ ଚନ୍ଦ୍ର ଜେନା ବିଧାୟକ ଶ୍ରୀ ମିଶ୍ରଙ୍କୁ ଉପଢୌକନ ଏବଂ ସଂଘର ସମ୍ପାଦକ ଶୈଳେନ୍ଦୁ ଭୂଷଣ ମଲ୍ଲିକ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ସଂଘର ଦୁଇ ପୂର୍ବତନ ସଭାପତି ଆଇନଜୀବୀ ସନ୍ତୋଷ କୁମାର ପଟ୍ଟନାୟକ ଏବଂ ବିଦୁଭୂଷଣ ମହାନ୍ତି ବଡ଼ମ୍ବାରେ ସବ ଜଜ୍ କୋର୍ଟ ପ୍ରତିଷ୍ଠା ହେବା,ମାଣିଆବନ୍ଧ ଫାଣ୍ଡିକୁ ଥାନାର ମାନ୍ୟତା ମିଳିବା ତଥା ବହୁ ପୁରାତନ ବଡ଼ମ୍ବା ଉପକାରାଗାର ବନ୍ଦ୍ ହେବା ନିଷ୍ପତି ରଦ୍ଦ ହେବା ଦିଗରେ ବିଧାୟକ ଶ୍ରୀ ମିଶ୍ରଙ୍କ ଭୂମିକା, ଉଦ୍ୟମ ଏବଂ ସର୍ବୋପରି ଜନତା ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନଙ୍କ ସହଯୋଗ ସମ୍ପର୍କରେ ଉଲ୍ଲେଖ କରି ନିଜ ବକ୍ତବ୍ୟରେ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ସଂଘର ସହସମ୍ପାଦକ ସାରଦା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇନଜୀବୀ ଦୁର୍ଗାପ୍ରସାଦ ସାହୁ, ସରୋଜକୁମାର ବେଉରା, ପ୍ରଶନ୍ନକୁମାର ମଲ୍ଲିକ, ଅମରେଶ ରଥ ପ୍ରମୁଖ ନିଜର ଶୁଭେଛା ଅଭିବାଦନ ପ୍ରଦାନ କରିଥିଲେ। ସଂଘର ସଦସ୍ୟ ବହୁ ଆଇନଜୀବୀଙ୍କ ସମେତ ବଡ଼ମ୍ବାର ଅନେକ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ତହସିଲଦାର ଶ୍ରୀ ପରିଡ଼ା ବିଧାୟକଙ୍କ ଜରିଆରେ ନିର୍ମାଣ ହେବାକୁଥିବା ନୂତନ କୋର୍ଟ ପରିସରର ସ୍ଥାୟୀ ପଟ୍ଟାର ଏକକିତା ନକଲ(ଅଫିସ କପି) କୋର୍ଟ ନାଜିର ଦିଲିପକୁମାର ଧଳଙ୍କୁ ପ୍ରଦାନ କରିଥିଲେ। ଐତିହପୂର୍ଣ୍ଣ ପ୍ରାଚୀନ ସିଂହନାଥ ମନ୍ଦିର, ଦେବୀ ଭଟ୍ଟାରିକାଙ୍କ ମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ସମେତ ନଦୀକୂଳ ଅବବାହିକାର ଶାନ୍ତିଶୃଙ୍ଖଳା ନିମିତ ଆବଶ୍ୟକ ପୁଲିସ ପୋଷ୍ଟ ନିର୍ମାଣ ଦିଗରେ ଦୃଷ୍ଟି ଦେବାକୁ ବିଧାୟକଙ୍କୁ ଏହି ଅବସରରେ ଦାବି କରାଯାଇଥିଲା।
Comments are closed.