www.samajalive.in
Monday, December 8, 2025
24.1 C
Bhubaneswar

ମଣ୍ଡି ଖୋଲିବାରେ ବିଳମ୍ବ, ମିଳୁଛି ତାରିଖ ପରେ ତାରିଖ: ଚାଷୀଙ୍କୁ ଏଯାଏ ମିଳିନି ଟୋକନ

ଭୁବନେଶ୍ବର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ୨୫%ରୁ ଊର୍ଦ୍ଧ୍ବ ଧାନ ଅମଳ ସରିଲାଣି; କିନ୍ତୁ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହାନ୍ତି ରାଜ୍ୟ ସରକାର। ସାଧାରଣତଃ ସରକାର ବରଗଡ଼ ଜିଲାରେ ପ୍ରଥମେ ମଣ୍ଡି ଖୋଲି ଚାଷୀଙ୍କ ପାଖରୁ ଧାନ ସଂଗ୍ରହ ଆରମ୍ଭ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଅହେତୁକ ବିଳମ୍ବ ଘଟିଲାଣି। ମଣ୍ଡି ଖୋଲିବାର ନିର୍ଦ୍ଧାରିତ ସମୟରୁ ୨୫ଦିନ ବିତିଗଲାଣି। ରାଜ୍ୟ ସରକାର ୨୦୨୫ ନଭେମ୍ବର ୧ରୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମଣ୍ଡିରେ ଧାନ କିଣିବାକୁ ପୂର୍ବରୁ ସମୟ ନିର୍ଦ୍ଧାରଣ କରିଥିଲେ। ଧାନ କିଣା ପାଇଁ ତାରିଖ ପରେ ତାରିଖ ଗଡ଼ୁଛି। ଅନ୍ୟ ଏକ ଗୁରୁତର ପ୍ରସଙ୍ଗ ହେଲା ଏପର୍ଯ୍ୟନ୍ତ ଟୋକନ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି।

ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପ୍ରଥମେ କହିଥିଲେ ଯେ, ନଭେମ୍ବର ୨୦ରୁ ବରଗଡ଼ ଜିଲାରୁ ଧାନ କିଣାଯିବ। ହେଲେ ତାହା ହେଲା ନାହିଁ। ପରେ ସେ କହିଲେ, ୨୦ରୁ ନୁହେଁ, ୨୫ତାରିଖରୁ ଧାନ କିଣାଯିବ। ୨୫ ତାରିଖ ନୁହେଁ, ଆସନ୍ତା ୨୮ତାରିଖରୁ ସରକାର ବରଗଡ଼ ଏବଂ ସମ୍ବଲପୁର ଜିଲାରୁ ଧାନ କିଣିବାକୁ ଯୋଜନା କରିଥିବା ସମବାୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ମଣ୍ଡି ଖୋଲିବା ନେଇ ମନ୍ତ୍ରୀଙ୍କ ଘୋଷଣାରେ ତାଳମେଳ ରହୁ ନାହିଁ। ୨୦୨୪ ମସିହାରେ ବରଗଡ଼ ଜିଲାରେ ନଭେମ୍ବର ୭ରେ ମଣ୍ଡି ଖୋଲିଥିଲା।

- Advertisement -

୨୦୨୩ରେ ନଭେମ୍ବର ୨୫ରେ ଏବଂ ୨୦୨୨ରେ ନଭେମ୍ବର ୯ରେ ଜିଲାରୁ ଧାନ କିଣା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ଉତ୍ତର ଏବଂ ଉପକୂଳବର୍ତ୍ତୀ ଜିଲାଗୁଡ଼ିକୁ ଛାଡ଼ିଦେଲେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଆଦି ଜିଲାର ଚାଷୀ କ୍ଷେତରୁ ଧାନ ଅମଳ କରି ରଖିଲେଣି। ବରଗଡ଼ ଜିଲାର ପ୍ରାୟ ୩୦% ଚାଷୀ ମଣ୍ଡିରେ ଧାନ ରଖିଲେଣି। ମଣ୍ଡିରେ ବସ୍ତାବସ୍ତା ଧାନ ଥୁଆ ହୋଇଥିବା ବେଳେ ରାଜ୍ୟ ସରକାର ତାରିଖ ପରେ ତାରିଖ ଗଡ଼ାଇ ଚାଲିଛନ୍ତି। ଅନୁରୂପ ଭାବେ ସମ୍ବଲପୁର ଜିଲାର ଚାଷୀ ମଣ୍ଡିକୁ ଧାନ ନେବା ଆରମ୍ଭ କଲେଣି। କେବଳ ଅପେକ୍ଷା ସରକାର କେବେ ମଣ୍ଡି ଉଦ୍‌ଘାଟନ କରି ଧାନ ସଂଗ୍ରହ କରୁଛନ୍ତି।

ଉକ୍ତ ଦୁଇଟି ଜିଲାର କଥା ନୁହେଁ, ବରଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲାର ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାହିଁ ବସିଛନ୍ତି। ଅଖିଳ ଭାରତ କିଷାନ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଅମିୟ ପଟ୍ଟନାୟକ କହିଛନ୍ତି, ଚଳିତ ବର୍ଷ ରାଜ୍ୟ ସରକାର ମଣ୍ଡି ଖୋଲିବାରେ ବିଳମ୍ବ କଲେଣି। ସଂଗୃହୀତ ଧାନ ରଖିବା ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ଗୋଦାମ ଗୃହ ନାହିଁ। ଅଧା ମଣ୍ଡିରେ ଧାନ ଆନାଲାଇଜର ମେସିନ ପହଞ୍ଚିନି। ସମବାୟ ବିଭାଗରେ ଅଧିକାରୀ ଏବଂ କର୍ମଚାରୀ ଅଭାବ ରହିଛି। ଫଳସ୍ବରୂପ ପର୍ଯ୍ୟାପ୍ତ ସ୍କ୍ବାଡ୍‌ ଦଳ ଗଠନ ନେଇ ପ୍ରଶ୍ନ ଉଠିଲାଣି। ବରଗଡ଼ ଓ ସମ୍ବଲପୁର ଜିଲାରେ ମଣ୍ଡି ଖୋଲିବାରେ ବିଳମ୍ବ କାରଣରୁ ୩୦% ଧାନ ଚାଷୀ ଦଲାଲଙ୍କୁ ବିକ୍ରି କରି ସାରିଲେଣି। ମଣ୍ଡି ଖୋଲିବାରେ ବିଳମ୍ବ ଏବଂ ଟୋକନ ନପହଞ୍ଚିବାରୁ ଚାଷୀ ସରକାରଙ୍କ ଉପରୁ ବିଶ୍ବାସ ହରାଇ ଦଲାଲଙ୍କୁ ଧାନ ବିକ୍ରି କରିଥିବା ସେ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories