ବଲାଙ୍ଗିର : ବଲାଙ୍ଗିର ସହରର ମାଲପଡ଼ାରେ ରୁହନ୍ତି ଭାରତୀୟ ସେନା ବାହିନୀର ଅବସରପ୍ରାପ୍ତ ସୁବେଦାର କୁଞ୍ଜ ବିହାରୀ ମହାପାତ୍ର ଓ ତାଙ୍କ ପରିବାର । ସେ ମୁମ୍ବଇ କାମରେ ଯାଉଥିବାପରିବାର ଲୋକଙ୍କୁ କହିଥିଲେ। ଇତିମଧ୍ୟରେ ୨ ମାସ ବିତିଲାଣି ଶ୍ରୀ ମହାପାତ୍ରଙ୍କ କୌଣସି ଖବର ନାହିଁ । ସ୍ଥାନୀୟ ସହରାଞ୍ଚଳ ଥାନାରେ ପରିବାର ଲୋକେ ନିଖୋଜ ସଂପର୍କିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଶ୍ରୀ ମହାପାତ୍ରଙ୍କ ରହସ୍ୟଜନକ ନିଖୋଜ ମାମଲାକୁ ଗୁରୁତର ସହ ନେବାକୁ ପରିବାର ଲୋକେ ଅନୁରୋଧ କରିଥିଲେ । ତା’ପରେ ବି କିଛି ତଥ୍ୟ ନାହିଁ । ପୁଲିସ ତଦନ୍ତରୁ ମାମଲାର କୂଳ କିନାରା ମିଳୁ ନଥିବା ବେଳେ ଶ୍ରୀ ମହାପାତ୍ରଙ୍କ ପରିବାର ଚିନ୍ତାଗ୍ରସ୍ତ ହୋଇ ପଡିଛନ୍ତି।
ଭାରତୀୟ ସେନା ବାହିନୀର ସୁବେଦାର ଶ୍ରୀ ମହାପାତ୍ର ଜାମ୍ମୁକାଶ୍ମୀର ସହ ଅନ୍ୟାନ୍ୟ ସ୍ଥାନରେ କାର୍ଯ୍ୟ କରିଥିଲେ। ୩୦ ବର୍ଷ ଧରି କାମ କରିବା ପରେ ସେ ଅବସର ନେଇ ମାଲପଡ଼ା ଘରେ ପରିବାର ସହ ରହୁଥିଲେ। ଗତ ଜାନୁଆରୀ ୫ ତାରିଖରେ ସେ ମ୍ୟୁଚୁଆଲ୍ ଫଣ୍ଡ ଟଙ୍କାର ସମାଧାନ ହେବ ଓ ଟଙ୍କା ମିଳିବ ଦର୍ଶାଇ ଘରୁ ଗୋଡ କାଢିଥିଲେ। ତାଙ୍କ ପକେଟରେ ୨ରୁ ୩ହଜାର ଟଙ୍କା ରହିଥିଲା। ସେ ଯିବା ପରେ ତାଙ୍କୁ ଫୋନ କଲ୍ କରି ଯୋଗାଯୋଗ ପାଇଁ ପରିବାର ଲୋକେ ଉଦ୍ୟମ କରିଥିଲେ। ଯୋଗାଯୋଗ ହୋଇ ପାରି ନଥିଲା। ଶ୍ରୀ ମହାପାତ୍ରଙ୍କ ମୋବାଇଲ୍ ବନ୍ଦ ଥିବା ଦେଖାଇଥିଲା। ଶ୍ରୀ ମହାପାତ୍ରଙ୍କ ପରିବାର ସହରାଞ୍ଚଳ ଥାନାରେ ନିଖୋଜ ସଂପର୍କରେ ଲିଖିତ ଅଭିଯୋଗ ଦେଇଥିଲେ। ଇତିମଧ୍ୟରେ ଶ୍ରୀ ମହାପାତ୍ରଙ୍କ ନିଖୋଜ ଘଟଣା ପରେ ପରେ ଅନେକ ମୋଡ ପରିବର୍ତ୍ତନ ହୋଇଛି। ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକରଙ୍କୁ ଭେଟି ପରିବାର ଲୋକେ ଶ୍ରୀ ମହାପାତ୍ରଙ୍କ ନିଖୋଜ ବିଷୟରେ ଜଣାଇଥିଲେ। ପୁଲିସ ଖୋଳତାଡରୁ ଜାଣିବାକୁ ପାଇଥିଲା ଯେ, ମହାରାଷ୍ଟ୍ର ଅହମଦନଗର ନିମଗାଓଁ ଅଞ୍ଚଳର ନିରଞ୍ଜନ ପାୱାର ଶ୍ରୀ ମହାପାତ୍ରଙ୍କ ମୋବାଇଲ୍ ବ୍ୟବହାର କରୁଛନ୍ତି । ସେଥିରେ ଥିବା ସିମରେ କଲ୍ କରିବାରୁ ଶ୍ରୀ ପାୱାର ଏହା ତାଙ୍କ ମୋବାଇଲ୍ ବୋଲି କହିଥିଲେ। ତା’ପରେ ଫୋନ୍ ସୁଇଚ୍ ଅଫ କରିଦେଇଥିଲେ। ସେହିପରି ଗତ ୨୦ ତାରିଖରେ କୋରିଅରରେ ଶ୍ରୀ ମହାପାତ୍ରଙ୍କ ଘରକୁ ଏକ ପାର୍ସଲ ଆସିଥିଲା। ନିଖୋଜ ଶ୍ରୀ ମହାପାତ୍ରଙ୍କ ଝିଅ ପ୍ରଣତି ପାର୍ସଲ ଗ୍ରହଣ କରିବା ସହ ଖୋଲିଥିଲେ । ସେଥିରେ ଏକ କିସମିସ ପ୍ୟାକେଟ୍ ରହିଥିଲା। ପଠାଇ ଥିବା ଲୋକର ଠିକଣା କିନ୍ତୁ ନଥିଲା। କେଉଁଠୁ ପାର୍ସଲ ଆସିଛି ଖୋଳତାଡ କଲା ବେଳେ ତାହା ମହାରାଷ୍ଟ୍ରର ପୁନେରୁ କୋରିଅର୍ କରାଯାଇଥିବା ଜଣାପଡିଥିଲା। ଜଣେ ପୁଲିସ ଅଧିକାରୀ ସିରିଡି ତଦନ୍ତ ପାଇଁ ଯାଇଥିଲେ। ମୋବାଇଲ୍ ବ୍ୟବହାର କରୁଥିବା ନିରଞ୍ଜନ ପାୱାର ଜଣେ ଫେରିବାଲା ବୋଲି ଜଣାପଡିଥିଲା। ବାରମ୍ବାର ମୋବାଇଲ୍ ସହ ନିରଞ୍ଚନ ସ୍ଥାନ ବଦଳାଉଥିବା ପୁଲିସ ମଧ୍ୟ ସୂଚନା ପାଇଥିଲା। ତେବେ ଶ୍ରୀ ମହାପାତ୍ର କୁଆଡେ ଗଲେ, ସେ ଏବେ କେଉଁଠି ? କିସମିସ ପ୍ୟାକେଟ୍ କୋରିଅରେ ଆସିବା, ମୋବାଇଲ୍ ଅନ୍ୟଜଣଙ୍କ ପାଖରେ ଥିବା କଥା ପରିବାର ଲୋକଙ୍କ ସନ୍ଦେହକୁ ବଢାଉଛି ବୋଲି ଝିଅ ପ୍ରଣତି କହିଛନ୍ତି । ସେହିପରି ଶ୍ରୀ ମହାପାତ୍ରଙ୍କ ଏଟିଏମରୁ ଟଙ୍କାଟିଏ ବି କଢାଯାଇନି। ଏହି ନିଖୋଜ ମାମଲା ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଜିଲା ପୁଲିସ ଗୁରୁତର ସହ ତଦନ୍ତ କରିବାକୁ ଜ୍ୱାଇଁ ପ୍ରିୟରଞ୍ଜନ ମହାପାତ୍ର ଅନୁରୋଧ କରିଛନ୍ତି।
ଅବସରପ୍ରାପ୍ତ ସେନା ସୁବେଦାର ନିଖୋଜ : ତଦନ୍ତରୁ ମିଳୁନି କୂଳ କିନାରା, ଚିନ୍ତାରେ ପରିବାର
Popular Categories



