ପାଟଣା: ୨ ସପ୍ତାହ ହେଲା ୨ ଦଳରେ ବିଭକ୍ତ ୪୦ଟି ବଣୁଆ ହାତୀ ପାଟଣା ବନବିଭାଗକୁ ରାତ୍ରି ଅନିଦ୍ରାରେ ରଖିବାକୁ ବାଧ୍ୟ କରିଥିବା ବେଳେ ଜନସାଧାରଣଙ୍କୁ ଭୟଭୀତ ଓ ଚାଷୀ କୂଳଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି। ହାତୀପଲ ବ୍ୟାପକ ଧାନତଳି ନଷ୍ଟ କରିବା ସହ ଘର, ପାଚେରୀ ଭାଙ୍ଗିଛନ୍ତି। ୩୧ଟି ହାତୀ ଥିବା ହାତୀପଲ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବାହାରି ଗତ ରାତିରେ ବଣ ମହୁଲଡିହା ଗ୍ରାମରେ ପଶି ୪ ଜଣଙ୍କ ଘର ଓ ପାଚେରୀ ଭାଙ୍ଗି ଦେଇଛନ୍ତି। ଦିନ ସମୟରେ ଅଟେଇରେ ଡେରା ପକାଇ ରହିଛନ୍ତି।
ସେହିପରି ୯ଟି ହାତୀ ଥିବା ହାତୀପଲ ଜମୁନାପଶି, ମାଧପୁର ଜଙ୍ଗଲରେ ସୋମବାର ଦିନବେଳା ଡେରା ପକାଇ ଥିବ ବେଳେ ବନବିଭାଗ ସେମାନଙ୍କ ଉପରେ ନଜର ରଖିଛି। ବଣମହୁଲଡିହା ଗ୍ରାମରେ ଗତରାତିରେ ସାହେବ ମୁଣ୍ଡା, ଦାଶରଥି ମହାନ୍ତ ଓ ସୂର୍ଯ୍ୟ ମୁଣ୍ଡାଙ୍କ ଘର ହାତୀପଲ ଭାଙ୍ଗି ଥିବାବେଳେ ଆଉ ଜଣଙ୍କ ପାଚେରି ଭାଙ୍ଗିଛନ୍ତି । ଏହି ହାତୀପଲଙ୍କ ଉପରେ ଖିରେଇଟାଙ୍ଗିରୀ ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଓ ତଣ୍ଡୋ ବିଟ ବନରକ୍ଷୀ ଦେବଯାନୀ ମହାନ୍ତ ନଜର ରଖିଥିଲେ।



