www.samajalive.in
Sunday, December 14, 2025
17.1 C
Bhubaneswar

ଟ୍ରେନ୍‌ ଧକ୍କାରେ ୪ ହାତୀ ମୃତ

-ପ୍ରତିଶୋଧ ନେଲେ ହାତୀପଲ; ଦୁଇ ଗୁରୁତର -୭ବର୍ଷରେ ରେଳ ଧକ୍କାରେ ମଲେଣି ୨୨ ହାତୀ

ଝାରସୁଗୁଡ଼ା/କିର୍ମିରା : ଝାରସୁଗୁଡ଼ା ଜିଲା କିର୍ମିରା ବ୍ଲକ ତେଲିଡ଼ିହି ରେଳ ଫାଟକ ନିକଟରେ ରବିବାର ବିଳମ୍ବିତ ରାତିରେ ଦ୍ରୁତଗାମୀ ଟ୍ରେନ୍‍ ଧକ୍କାରେ ୪ଟି ହାତୀର ମୃତ୍ୟୁ ଘଟିଛି। ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ପ୍ରାପ୍ତବୟସ୍କ ମାଈ ହାତୀ, ଗୋଟିଏ ଅଣ୍ଡିରା ହାତୀ (ପ୍ରାୟ ୧୫ ବର୍ଷ), ୫ବର୍ଷର ଏକ କିଶୋର ହାତୀ ଓ ବର୍ଷକର ଏକ ଶିଶୁ ହାତୀ ଥିବା ଜଣାପଡିଛି। ଆଜିର ହାତୀ ମୃତ୍ୟୁକୁ ମିଶାଇ ଗତ ୭ ମାସରେ ୭ଟି ହାତୀର ଜୀବନ ଗଲାଣି। ଅନ୍ୟପକ୍ଷରେ ଟ୍ରେନ୍‍ ଧକ୍କାରେ ନିଜ ପରିଜନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି ବର୍ତ୍ତି ଯାଇଥିବା ହାତୀପଲ। ବର୍ତ୍ତି ଯାଇଥିବା ୫ଟି ହାତୀ ପ୍ରତିହିଂସା ପରାୟଣ ହୋଇ ପାଖ ଗାଁରେ ପଶି ଘରଦ୍ୱାର ଭଙ୍ଗାରୁଜା ସହ ଫସଲ ଉଜାଡିଛନ୍ତି। ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୩.୩୦ରୁ ୪ଟା ମଧ୍ୟରେ ଏକ ହାତୀପଲ ତେଲିହିଡ଼ି ରେଳଫାଟକ ନିକଟସ୍ଥ ରେଳଧାରଣା ପାର ହେଉଥିବାବେଳେ ହାୱଡ଼ା-ମୁମ୍ବାଇ ମେଲ ଏହି ରେଳପଥରେ ଅତିକ୍ରମ କରୁଥିଲା। ହାତୀପଲରୁ ୯ଟି ହାତୀ ରେଳଧାରଣା ଅତିକ୍ରମ କରି ଯାଇଥିଲେ, କିନ୍ତୁ ଅବଶିଷ୍ଟ ୪ ହାତୀ ରେଳଧାରଣା ଉପରେ ରହି ଯାଇଥିଲେ। ଦ୍ରୁତଗାମୀ ଟ୍ରେନ୍‍ର ଧକ୍କା ଏତେ ଜୋର୍‍ରେ ଥିଲା ଯେ ୪ଟି ହାତୀମାନେ ଅପ୍‍ଲାଇନ୍‍ ଓ ଡ଼ାଉନ୍‍ଲାଇନ୍‍ ବିଦ୍ୟୁତ୍‍ଖୁଣ୍ଟ ମଝିକୁ ଛିଟିକି଼ି ପଡିଥିଲେ। ଦୁର୍ଘଟଣା ସଂକ୍ରାନ୍ତରେ ଟ୍ରେନ୍‍ ଡ୍ରାଇଭର ଝାରସୁଗୁଡ଼ା ଷ୍ଟେସନରେ ସୂଚନା ଦେବା ପରେ ଏହା ଜଣାପଡ଼ିଥିଲା। ଝାରସୁଗୁଡ଼ା ରେଳବାଇର ଏଡ଼ିଇଏନ୍‍ ମନୀଷା ଗୁପ୍ତା, ବନ ବିଭାଗର ଏସିଏଫ୍‍ ପ୍ରଦୀପ କୁମାର ଧଳ, ବାଗଡ଼ିହି ଫରେଷ୍ଟର ବଟକୃଷ୍ଣ ସେଠୀଙ୍କ ସମେତ ଜିଆରପି, ଆରପିଏଫର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ରେଳଧାରଣା ଉପରେ ହାତୀଙ୍କ ମୃତଦେହ ପଡ଼ିଥିବାରୁ ଭୋର ୪ ଟାରୁ ସକାଳ ୭ଟା ୩୦ ଯାଏ ହାୱାଡ଼ା ମୁମ୍ବଇ ମୁଖ୍ୟ ଲାଇନରେ ସମସ୍ତ ରେଳ ଚଳାଚଳ ବନ୍ଦ ରହିଥିଲା। ପରେ କ୍ରେନ୍‍ ସହାୟତାରେ ମୃତ ହାତୀଗୁଡ଼ିକୁ ରେଳ ଧାରଣାରୁ ଉଠାଯିବା ପରେ ଟ୍ରେନ୍‍ ଚଳାଚଳ ସ୍ୱାଭାବିକ ହୋଇଥିଲା। ପ୍ରାଣୀ ଚିକିତ୍ସକ ଡ଼ା. ବାଲୁଙ୍କେଶ୍ୱର ହାଁସଦା ୪ ହାତୀଙ୍କ ବ୍ୟବଛେଦ କରିବା ପରେ ରେଳଧାରଣା ପାର୍ଶ୍ବରେ ସମାଧି ଦିଆଯାଇଛି।
ଟ୍ରେନ୍‍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଝାରସୁଗୁଡ଼ା ଡ଼ିଏଫ୍‍ଓ ସୁଶାନ୍ତ କୁମାର କହିଛନ୍ତି। ଉଲ୍ଲେଖ କରି ସେ ବାଗଡ଼ିହି ନିକଟ ଜଙ୍ଗଲ ରାସ୍ତାରେ ହାତୀଙ୍କ ଯାତାୟତ ସଂକ୍ରାନ୍ତରେ ରେଳବାଇକୁ ପୂର୍ବରୁ ସତର୍କ କରାଇ ଦିଆଯାଇଥିବା କହିଛନ୍ତି। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେଉଛି, ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ରେଳବାଇ କଲକତାସ୍ଥିତ ମୁଖ୍ୟାଳୟର ଜନସମ୍ପର୍କ ଅଧିକାରୀ ସଞ୍ଜୟ ଘୋଷ ହାତୀ ଯାତାୟତ ସଂକ୍ରାନ୍ତରେ ଗତକାଲି ସେମାନଙ୍କ ନିକଟରେ କିଛି ସୂଚନା ନ ଥିବା କହିଛନ୍ତି। ଏହି ରାସ୍ତାରେ ହାତୀ ଯାତାୟତ କରୁଥିବା ସୂଚନା ବନ୍ଧମୁଣ୍ଡାସ୍ଥିତ କାର୍ଯ୍ୟାଳୟକୁ ବନବିଭାଗ ପ୍ରଦାନ କରିଥାଏ; ମାତ୍ର ଗତ ରାତିରେ ହାତୀ ରେଳଧାରଣା ଅତିକ୍ରମ କରିବା ସମ୍ଭାବନା ସଂକ୍ରାନ୍ତରେ କୌଣସି ସୂଚନା ନ ଥିଲା ବୋଲି ସେ କହିଛନ୍ତି।

ବର୍ଷରେ ଟ୍ରେନରେ କଟି ମଲେଣି ୨୨ ହାତୀ

ସମ୍ବଲପୁର  : ଝାରସୁଗୁଡ଼ା ଜିଲାର ବାଗଡିହି ବନ ରେଞ୍ଜ ତେଲିଡିହି ରେଳଫାଟକ ନିକଟରେ ଟ୍ରେନ ଧକ୍କାରେ ୪ଟି ହାତୀଙ୍କ ମୃତ୍ୟୁ ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଓଡ଼ିଶା ବନ୍ୟପ୍ରାଣୀ ସମାଜ ଏଥିପାଇଁ ବନବିଭାଗର ଉଦାସୀନତା ଓ ରେଳବାଇର ଗୁରୁତର ଅବହେଳାକୁ ଦାୟୀ କରି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି।
ହସ୍ତଗତ ସୂଚନାନୁସାରେ ୨୦୧୧ରୁ ୨୦୧୮ ମଧ୍ୟରେ ଟ୍ରେନରେ କଟି ରାଜ୍ୟର ବିଭିନ୍ନ ସ୍ଥାନରେ ୨୨ଟି ହାତୀଙ୍କ ମୃତ୍ୟୁ ହେଲାଣି। ଏଥିରୁ ୧୧ଟି କେବଳ ୨୦୧୨-୧୩ରେ ମରିଥିଲେ। ୨୦୧୨ ଡିସେମ୍ବର ୨୯ ରାତିରେ ଗଞ୍ଜାମ ଜିଲାର ସୁବଳୟା ବନ ରେଞ୍ଜ ରମ୍ଭାଠାରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କାରେ ୫ଟି ହାତୀ ମରିଥିଲେ। ଏହାର ୪ ମାସ ଆଗରୁ କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳର ନାମ୍ବିରାଠାରେ ଟ୍ରେନ ଧକ୍କାରେ ୪ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଝାରସୁଗୁଡ଼ା ଜିଲାର ତେଲିଡିହି ହାତୀମାନଙ୍କ ନିୟମିତ ଚଲାପଥ ହୋଇଥିବାରୁ ସେମାନେ ପ୍ରାୟତଃ ବିଳମ୍ବିତ ରାତିରେ ଏହି ଫାଟକ ଦେଇ ରେଳଧାରଣା ଅତିକ୍ରମ କରନ୍ତି। ନିର୍ଦ୍ଦିଷ୍ଟ ଭାବେ ଏହି ଜାଗାରେ ହିଁ ବାରମ୍ବାର ହାତୀ ମରୁଥିବା ଲକ୍ଷ୍ୟ କରାଯାଉଛି। ଏହିଠାରେ ରେଳଧାରଣା କଡ଼ରେ କେବୁଲ ବିଛାଇବା ପାଇଁ ରେଳବାଇ ଖୋଳିଥିବା ଖାତରେ ଗତ ସେପ୍‌ଟେମ୍ବର ୨୮ ରାତିରେ ଏକ ହାତୀ ଛୁଆ ଗଳିପଡ଼ି ପ୍ରାଣ ହରାଇଥିଲା। ଏହି ଘଟଣା ପରେ ରେଳବାଇ ଖାତ ପୋତିବା ଦିଗରେ କୌଣସି ପଦକ୍ଷେପ ନେଇନଥିଲା। ଫଳରେ ମାତ୍ର ୨୦ ଦିନ ପରେ ସେହି ଜାଗାରେ ସେହି ଖାତରେ ପଡ଼ି ଏକ ମାଈ ହାତୀ ଓ ତା’ଶାବକ ପ୍ରାଣ ହରାଇଥିଲେ। ଏବେ ପାଖାପାଖି ସେହି ଅଞ୍ଚଳରେ ଆଉ ୪ ଟି ହାତୀ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି। ମାତ୍ର ୭ ମାସରେ ନିର୍ଦ୍ଦିଷ୍ଟ ଭାବେ ଏହି ଜାଗାରେ ୭ଟି ହାତୀଙ୍କ ଜୀବନ ଗଲାଣି। ଏଥିପାଇଁ ରେଳବାଇ ଓ ବନ ବିଭାଗର ଅବହେଳା ଓ ଉଦାସୀନତାକୁ ଦାୟୀ କରିଛି ଓଡ଼ିଶା ବନ୍ୟପ୍ରାଣୀ ସମାଜ।
ହାତୀ କରିଡ଼ରଗୁଡ଼ିକରେ ଟ୍ରେନ୍‌ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ରହିଛି, ସେହିପରି ହାତୀମାନଙ୍କ ଗତିବିଧି ସମ୍ପର୍କରେ ଜଙ୍ଗଲ ବିଭାଗ ରେଳ ବିଭାଗକୁ ଅବଗତ କରିବା ପାଇଁ ବ୍ୟବସ୍ଥା ଅଛି । ମାତ୍ର ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ନିୟମିତ ବ୍ୟବଧାନରେ ଟ୍ରେନ୍‌ ଧକ୍କାରେ ହାତୀମାନଙ୍କର ଜୀବନ ଯାଉଛି।
୨୦୧୨ରେ ଗଞ୍ଜାମରେ ଟ୍ରେନ ଧକ୍କାରେ ଏକାଦିକ୍ରମ ୫ ହାତୀଙ୍କ ମୃତ୍ୟୁ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ପରିବେଶ ମନ୍ତ୍ରାଳୟ ସେତେବେଳେ ଏହି ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି ଟ୍ରେନରେ କଟି ହାତୀ ମୃତ୍ୟୁ ଘଟଣାକୁ ରୋକିବା ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ସୁପାରିସ କରିଥିଲେ। ରେଳବାଇ ଓ ବନ ବିଭାଗ ମିଳିତ ଭାବେ ହାତୀ ଚଲାପଥଗୁଡ଼ିକୁ ଚିହ୍ନଟ କରି ସେହି ଅଞ୍ଚଳରେ ଟ୍ରେନଗୁଡ଼ିକର ବେଗ ମନ୍ଥର କରିବା, ସେହି ସ୍ଥାନମାନଙ୍କରେ ଟ୍ରେନ ଚାଳକଙ୍କ ପାଇଁ ସତର୍କ ସୂଚନା ଫଳକ ଲଗାଯିବା ଏବଂ ହାତୀପଲଙ୍କ ଗତିବିଧି ଉପରେ ଦୁଇ ବିଭାଗ ବରାବର ନଜର ରଖିବା ପାଇଁ ଉକ୍ତ କମିଟି ସୁପାରିସ କରିଥିଲେ। କମିଟିଙ୍କ ସୁପାରିସ ପରେ ହାତୀ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲା। ଟ୍ରେନ୍‌ରେ କଟି ହାତୀ ମୃତ୍ୟୁସଂଖ୍ୟା ୨୦୧୬-୧୭ରେ ଶୂନ ଓ ୨୦୧୭-୧୮ରେ ୨କୁ ଖସି ଆସିଥିଲା; କିନ୍ତୁ କାଲିରାତିରେ ପୁଣି ୪ଟି ହାତୀଙ୍କ ମୃତ୍ୟୁ ଘଟଣା ରେଳବାଇ ଓ ବନ ବିଭାଗର ଅବହେଳାକୁ ସୂଚାଉଛି ବୋଲି ଉକ୍ତ କମିଟିର ଅନ୍ୟତମ ସଦସ୍ୟ ତଥା ଓଡ଼ିଶା ବନ୍ୟପ୍ରାଣୀ ସମାଜର ସଂପାଦକ ବିଶ୍ୱଜିତ ମହାନ୍ତି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କମିଟିର ପ୍ରସ୍ତାବ ଓ ସୁପାରିସ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇଥିଲେ ତେଲିଡିହିରେ ଦୁଃଖଦ ହାତୀମୃତ୍ୟୁକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି ସେ କହିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories