ହସ୍ତତନ୍ତ ଉତ୍ପାଦର ପ୍ରଚାର ପ୍ରସାର ପ୍ରୟାସ

ଭୁବନେଶ୍ୱର: ସମୟ ଥିଲା ଯେତେବେଳେ ହସ୍ତତନ୍ତ ତାର ସତ୍ତା ଧରି ରଖିବା ଏତେ ସହଜ ନଥିଲା । ହସ୍ତତନ୍ତ କପଡ଼ା କିମ୍ବା ହସ୍ତତନ୍ତ ବସ୍ତ୍ର ପାଇଁ ଚାହିଦା ତ ଥିଲା, କିନ୍ତୁ ତାହା ସୀମିତ ରହିଥିଲା। ଏହାର ପ୍ରଚାର ପ୍ରସାର ବି ସେତେ ହୋଇ ପାରୁ ନଥିଲା । କିନ୍ତୁ ଏହି ନିଆରା କଳାର ପ୍ରଭାବ ଏତେ ଅଧିକ ଯେ, ପୀଢ଼ି ପରେ ପୀଢ଼ି ଏହା ଧିରେ ଧିରେ ତାର ପ୍ରଚଳନକୁ ବିସ୍ତାର କରି ଆସିଛି । ବହୁ ବର୍ଷ ତଳେ ହସ୍ତତନ୍ତ କହିଲେ ଗୋଟିଏ ନିର୍ଦ୍ଦିଷ୍ଟ ବୟସ ବର୍ଗର ପସନ୍ଦ ବୋଲି ଧରା ଯାଉଥିଲା, କିନ୍ତୁ ଆଜି ଏହା ପ୍ରତି ଘରେ, ପ୍ରତି ବସୟ ବର୍ଗରେ ନିଜର ହୋଇଛି।
କେବଳ ଓଡ଼ିଶା ନୁହେଁ, ଭାରତ ଏବଂ ଭାରତ ବାହାରେ ମଧ୍ୟ ଏହାର ଖ୍ୟାତି ଅନେକ । ହସ୍ତତନ୍ତ ଶିଳ୍ପ ଏବଂ ବୁଣାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆମେ ବ୍ୟକ୍ତି ବିଶେଷ ଭାବେ ମଧ୍ୟ ଚେଷ୍ଟା କରିବା ଉଚିତ । ଡିଜିଟାଲ ଗଣମାଧ୍ୟମ ଯୋଗୁଁ ହସ୍ତତନ୍ତ ତାର ସ୍ବତନ୍ତ୍ର ସ୍ଥାନ ନେଇ ପାରିଛି । ଏହି ଅବସରରେ ହସ୍ତତନ୍ତ ଶାଢ଼ି ପ୍ରତି ଭଲପାଇବା ପ୍ରକାଶ କରିବା ସହ ହସ୍ତତନ୍ତ ଶିଳ୍ପ ଏବଂ ବୁଣାକାରଙ୍କୁ ଉତ୍ସାହିତ କରିବା ପାଇଁ “କଳିଙ୍ଗ ସ୍ବରାଜ ୱିମେନ୍ ୱିଙ୍ଗ୍” ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାିଛି।
“କଳିଙ୍ଗ ସ୍ବରାଜ ୱିମେନ୍ ୱିଙ୍ଗ୍” ହେଉଛି ପ୍ରବାସୀ ଓଡ଼ିଆଙ୍କ ଏକ ପରିବାର ଯାହା ଫେସବୁକ୍ ର ଏକ ସ୍ବତନ୍ତ୍ର ପେଜ୍ ରେ ୧୭୦୦୦ରୁ ଅଧିକ ଓଡ଼ିଆଙ୍କୁ ଏକାଠି କରି ପାରିଛି । ହସ୍ତତନ୍ତ ଦିବସ ଅବସରରେ ଓଡ଼ିଆଙ୍କ ହସ୍ତତନ୍ତ ଶାଢି ପ୍ରତି ଆଦର ବିଷୟବସ୍ତୁରେ ରଖାଯାଇଥିଲା ଏକ ପ୍ରତିଯୋଗିତା । ଉତ୍କଲ ଅମ୍ରିତା ବ୍ରାଣ୍ଡର ସହ- ପ୍ରତିଷ୍ଠାତା ଅମ୍ରିତା ସାବତ ଥିଲେ ଏହାର ପ୍ରଯୋଜକ । ଏହି ପ୍ରତିଯୋଗିତାରେ ଅନେକ ଉତ୍ସାହିତ ଓଡ଼ିଆଙ୍କ ହସ୍ତତନ୍ତ ଶାଢି ଦେଖିବାକୁ ମିଳିଥିଲା । ସେମାନେ ବ୍ୟକ୍ତିଗତ ଭିଡିଓ ପୋଷ୍ଟ୍ କରି ହସ୍ତତନ୍ତ ଶିଳ୍ପର ସ୍ବତନ୍ତ୍ରତା ଏବଂ ବୁଣାକାରମାନଙ୍କ ନିଆରା ପ୍ରତିଭାକୁ ପ୍ରଶଂସା କରିଥିଲେ । ଏଥିରେ ଅନିତା ବିଶୋୟୀ ବିଜେତା ହେବା ସହ ଆଉ ଶୀର୍ଷ ୫ ଜଣଙ୍କ ନାମ ଘୋଷଣା ହୋଇଥିଲା । ୨୦୨୦ ରଜ ଅବସରରେ ପ୍ରତିଷ୍ଠା ହୋଇଥିବା “କଳିଙ୍ଗ ସ୍ବରାଜ ୱିମେନ୍ ୱିଙ୍ଗ୍” ଏହା ମଧ୍ୟରେ ଅନେକ ଓଡ଼ିଆଙ୍କୁ ଯୋଡ଼ି ପାରିଛି । ମହିଳାମାନଙ୍କୁ ନିଜର ଦକ୍ଷତା ଏବଂ ପ୍ରତିଭା ପ୍ରଦର୍ଶନର ଏହା ସୁଯୋଗ ଦେଉଛି । ମନୋରଞ୍ଜନ ସହ ସାମାଜିକ ସମସ୍ୟା, ସ୍ବାସ୍ଥ୍ୟଗତ ଆଲୋଚନା, କଳା ସଂସ୍କୃତିର ପ୍ରଚାର ଆଦି କ୍ଷେତ୍ରରେ ମଧ୍ୟ କଳିଙ୍ଗ ସ୍ବରାଜ ୱିମେନ ୱିଙ୍ଗ୍ ନିରନ୍ତର ଚେଷ୍ଟା କରୁଛି ।

kalyan agarbati

Comments are closed.