ଘୁଣ ନ ଖାଉ ଗଣତନ୍ତ୍ର
ଗୋଟେ କଥା, ତତ୍ତ୍ବ ବା ବିଷୟ ବୁଝି ନ ପାରିବା, ଦୁର୍ବୋଧ୍ୟ ଲାଗିବାରେ ସେ କଥାର, ତତ୍ତ୍ବର, ବିଷୟର ଦୋଷ କାହିଁ? ଏ ବିଷୟରେ ମହାକବି େଶ୍ଳାକ ଲେଖିଲେ, ‘ଧାରା ନୈବ ପତନ୍ତି ଚାତକମୁଖେ ମେଘସ୍ୟ କିଂ ଦୂଷଣଂ, ପତ୍ରଂ ନୈବ ଯଦି କରରୀବିଟପେ ଦୋଷଃ ବସନ୍ତସ୍ୟ କିଂ, ନୋଲୁକେଭ୍ୟୋଽବଲୋକତେ ଯଦି ଦିବା, ସୂର୍ଯ୍ୟସ୍ୟ କିଂ ଦୂଷଣଂ, ଯତ୍ କର୍ମ ବିଧିନା ଲଲାଟେ ଲିଖିତଂ ତନ୍ମାର୍ଜିତୁଂ କଃ କ୍ଷମଃ ା’ ବର୍ଷାରେ ନଦୀନାଳ ଗାଡ଼ିଆ ଉଛୁଳି ପଡ଼ିଲା, ମାତ୍ର ଚାତକ ମୁଖରେ ଟୋପେ ବି ପାଣି ପଡ଼ିଲାନି ତ ମେଘର ଦୋଷ କ’ଣ? ବସନ୍ତ ଆଗମନରେ ଗଛଲତା କଅଁଳ ଛନଛନ ପତ୍ରରେ ସୁଶୋଭିତ ହୋଇଗଲେ, ମାତ୍ର ବାଉଁଶ ଗଛ ବରଂ ପତ୍ରଝଡ଼ା ହୋଇଗଲା ତ ବସନ୍ତର ଦୋଷ କ’ଣ? ଦିବାଲୋକରେ ସମସ୍ତେ ସୃଷ୍ଟି ଅବଲୋକନ କଲେ, ମାତ୍ର ପେଚାକୁ କିଛି ଦିଶିଲାନି ତ ସୂର୍ଯ୍ୟଙ୍କ ଦୋଷ କ’ଣ? ବିଧି ବା ପ୍ରଭୁ ଯାହା କପାଳରେ ଯେମିତି ଲେଖିଛି ସେ ତା ହେବ ହିଁ ହେବ। ତମେ ଯେତେ କହିଲେ କି ହେବ? ମୂଳ କଥାକୁ, ତତ୍ତ୍ବକୁ ବୁଝିବାକୁ ପ୍ରୟାସ ବା ଭାବ କେବଳ ନୁହଁ; ବିଚାରବୁଦ୍ଧି ଲୋଡ଼ା। କବି ଲେଖିଲେ, ‘ହାଟଠାରୁ ଦୂରେ ଥିଲେ, ହୋହୋ ରବେ କାନ ଅତଡ଼ା ପଡ଼େ, ହାଟେ ସବୁ ତତ୍ତ୍ବ ମିଳେ। ଈଶ୍ବରଙ୍କଠାରୁ ଦୂରେ ଥିଲେ କଳିକଜିଆରେ ମଣିଷ ଭୁଲେ। ହାଟେ ସବୁ ତତ୍ତ୍ବ ମିଳେ।’
ଏ ସଂସାର ସେମିତି ଏକ ବିଚିତ୍ର ମେଳି। ଏଠି ନର୍କ ଭୋଗ ସାରି ଓ ସ୍ବର୍ଗ ବା ବୈକୁଣ୍ଠ ଭୋଗ ସାରି ଦୁଇପ୍ରକାର ଆତ୍ମାଙ୍କ ସମାଗମ, ସମ୍ମିଳନ ହୁଏ। ନର୍କ ଫେରନ୍ତା, ଘୋର ପାପ ଓ ନକାରାତ୍ମକ ଭାବ, ଚେତନାର ଅରୁଚିକର ମୂର୍ତ୍ତି ହୋଇଥିବାବେଳେ ସ୍ବର୍ଗ ଫେରନ୍ତାମାନେ ନମ୍ର, ପ୍ରେମମୟ ଓ ବୌଦ୍ଧିକ ଚେତନାର ଆକର୍ଷଣୀୟ ଭାବର, ମୂର୍ତ୍ତିର ହୋଇଥାନ୍ତି। ବାରି ହୋଇଯାଆନ୍ତି କିଏ କ’ଣ! ‘ଦୁଧ ସଙ୍ଗେ ପାଣି ମିଶେ, ଦୁଧରୁ ଲହୁଣୀ ହୋଇଲେ କି ସେ, ପାଣିରେ ମିଶିବା ଦିଶେ?’ ସଂସାରେ ଜଡ଼ିତ ଦେହୀ ବିଭୁ ଦରଶନ କଲେଟି କେହି ସଂସାରେ ମିଶଇ ଯାଇ।’ ଇଏ ହେଲା ପ୍ରଭୁ ସୃଷ୍ଟିର ମୂଳ ବା ଆଦି କଥା, ନୀତି। ମାତ୍ର ଏଥିରେ ବି ଜଟିଳତା ଓ କୁଟିଳତା ପ୍ରଭୁ ଭରିଛି, ଏ ଲୋକେ ନିଜେ ନିଜକୁ କଷିବାକୁ, ପରଖିବାକୁ। କଥାଟା ହେଲା, ଅଷ୍ଟାଦଶ ପୁରାଣ ଲେଖିବା ପରେ ବ୍ୟାସଦେବ ନିଜ ଜୀବନକୁ ବ୍ୟର୍ଥ, ଅସାର ମଣି ସର୍ବଦା ବିଷାଦ ଓ ବିମର୍ଷ ରହୁଥାନ୍ତି। ଏପରି ଏକ ମାନସିକତା ବେଳେ ତାଙ୍କର ଦେବର୍ଷି ନାରଦଙ୍କ ସହ ସାକ୍ଷାତ୍ ହୋଇଗଲା ଓ ତାଙ୍କ ବିଷାଦର କାରଣ ସେ ଶ୍ରୀନାରଦଜୀଙ୍କୁ କହିଲେ। ହସି ହସି ନାରଦ କହିଲେ, ‘ଅଷ୍ଟାଦଶ ପୁରାଣ ଲେଖିବାର ଅସାଧାରଣତ୍ବ ଆପଣ ପ୍ରଦର୍ଶନ କରିଛନ୍ତି ସତ; ମାତ୍ର ଯାହାଙ୍କ କଥା ଲେଖିଲେ ଜୀବନ ପରିପୂର୍ଣ୍ଣ ଓ ଧନ୍ୟ ହେବ, କାଇଁ ସେ କଥା ତ ଲେଖିଲେନି?’ ‘ଯେତେ ଦିନ ମହୁମାଛି, ଉଡୁଥାଏ ଫୁଲୁ ଫୁଲକୁ ବାଛି, ପାଇନାହିଁ ମହୁ କିଛି।’ ଆପଣ ଭଗବାନ ବାସୁଦେବଙ୍କ କଥା କାଇଁ ଲେଖିଲେ! ମଳଂ ବିମୋଚନଂ ପୁଂସାମ୍ ବିଶ୍ବକ୍ସେନ କଥାଷୁ ଯ, ଯଦି ନୋତ୍ପାଦୟେତ୍ ରତିଂ ଶ୍ରମ ଏବ ହି କେବଳଂ।’
ସେ ଯାହା ହେଉ, ଏବେ ପୁଣି ଏତେ ବିଳମ୍ବରେ ସେ, ଶ୍ରୀମଦ୍ ଭାଗବତ ମହାପୁରାଣ ଲେଖିବେ! ସେ ତ ଲେଖିବସିପାରିବେନି, କାହାକୁ ଡାକିବେ, କିଏ ଲେଖିବ? ନାରଦ ପୁଣି ଟିକିଏ ହସି କହିଲେ, ‘କାହିଁକି, ବିଦ୍ୟାଧୀଶ ଶ୍ରୀଗଣେଶଙ୍କୁ କହୁନାହାନ୍ତି!’ କଥାଟା ମନକୁ ପାଇଲା। ପୁଣି ଶ୍ରୀଗଣେଶଙ୍କୁ ଏ କଥାଟା କହିବାରେ ସେ ଏକୁ ଠିକ୍ ବୁଝି ନପାରନ୍ତି! ଯା’ ହେଉ ସେ ଗଣେଶଙ୍କୁ ଏ କଥାଟା କହିଲେ। ତାଙ୍କୁ ପୁଣି ‘ନବିସିନ୍ଧା’ କାମ କରିବାକୁ ପଡ଼ିବ! ତେେବ ମହାପ୍ରଭୁଙ୍କ କଥା! ସେ ସର୍ତ୍ତ ଦେଲେ, ‘ଆପଣ ଡାକିବେ, ପ୍ରଭୁଙ୍କ କଥା ଲେଖିବାରେ ଆମର ଆପତ୍ତି ନାହିଁ। ମାତ୍ର ଆମ ଲେଖା ଅନବ୍ୟାହତ। ଯେଉଁଠି ଆପଣଙ୍କ ଡାକିବା ଅଟକିଯିବ, ଆମେ ଲେଖା ବନ୍ଦ କରିଦେବୁ।’ ଇୟେ ବଡ଼ ମୁସ୍କିଲ ସର୍ତ୍ତ। ଅନର୍ଗଳ ଡାକିବା କି ସମ୍ଭବ! ତେବେ ଭଗବାନଙ୍କ ଅଂଶାବତାର ବ୍ୟାସଜୀ କହିଲେ, ‘ହଁ ଠିକ୍ ଅଛି। ମାତ୍ର ଆମେ ଯାହା ଡାକିବୁ, ଆପଣ ତା ସମ୍ପୂର୍ଣ୍ଣ ବୁଝିବା ପରେ ହିଁ ଲେଖିବେ।’ ହଁ ନ ଭରିବା ବ୍ୟତୀତ ଗଣେଶଙ୍କ ଆଉ କି ବାଟ ଥିଲା? ଲେଖା ଓ ଡକା ଆରମ୍ଭ ହେଲା। ଗଣେଶଙ୍କ ଚଟାପଟ୍ ଲେଖାରେ ଟିକିଏ ଅଟକ ଦେବାକୁ ସେ ଜାଣିଶୁଣି କ୍ଳିଷ୍ଟ ଭାବଟିଏ ସେଥିରେ ଖଞ୍ଜି ଦିଅନ୍ତି। ଗଣେଶ ପଲକେ ଏଥିରେ ଅଟକି ଯାଆନ୍ତି ଓ ସେଇ ମୁହୂର୍ତ୍ତକରେ ବ୍ୟାସ ଆଉ ଦଶପଦ ଆଗକୁ ଗଡ଼ିଯାଆନ୍ତି। ଏକୁ ବା ଏଇ କ୍ଳିଷ୍ଟତାକୁ ଭାଗବତରେ ‘ବ୍ୟାସକୂଟ’ ବୋଲି କୁହାଯାଏ। ସେମିତି ଏ ସରଳ ଉଦ୍ଭାସିତ ସୃଷ୍ଟି ତତ୍ତ୍ବରେ ପ୍ରଭୁ କିଛି କ୍ଳିଷ୍ଟତା ବା ମାୟା ଭରି ଦେଇଛନ୍ତି। ତାକୁ ତବାଶ୍ରିତ ବିନା ବୁଝିବ କିଏ?
ଭଗବାନ ବ୍ୟାସ ତ ଏ ସମ୍ବନ୍ଧରେ କହିଛନ୍ତି, ‘ଗାଢ଼ାନ୍ଧକାର କବଳିକୃତ ଲୋଚନାନାମ୍, ଉନ୍ମୀଳନେନ କିମୁଚାସ୍ତି ମିଳିନନେନ, ତନ୍ମାୟୟା ରୁତରୟା ପରିମୋହିତାନାଂ, ବିଦ୍ବନ୍ମତେର୍ଜଡମେତରିହ କୋ ବିଶେଷଃ।’ ତେଣୁ ପ୍ରଭୁ ସୃଷ୍ଟିରେ ଗୁଡ଼େ ପଛକବାଟିଆ, ଗୁଡ଼େ ‘ଗେରସ୍ତ ମରୁ ପଛେ ସଉତୁଣୀ ରାଣ୍ଡ’ ନୀତିଆ ବି ପଶିଥାନ୍ତି। ଏଙ୍କୁ କିଏ କେମିତି ବୁଝିବ? ଆରେ ସିନ୍ଦୂର ଟୋପାଟେ ପାଇଁ, ଶଙ୍ଖା ପଟକ ପାଇଁ ଏ ଦେଶ ନାରୀ ତା ଜୀବନ ତୁଚ୍ଛ କରିଦିଏ। ମାତ୍ର ସଉତୁଣୀ ଈର୍ଷାନଳରେ ଦଗ୍ଧା ପତିତା ନାରୀ, ସଉତୁଣୀର ଅଲକ୍ଷଣୀ ବୈଧବ୍ୟ ବେଶ ଦେଖିବାକୁ, ପ୍ରିୟ, ଗତି ମୁକ୍ତିଦାତା ଗେରସ୍ତ, ସ୍ବାମୀର ନିଧନ ବା ମୃତ୍ୟୁ କାମନା କରୁଥାଏ। ୟା ଠୁ ବଳି ଅବାନ୍ତର, ଅନୈତିକ, ଆତ୍ମଘାତୀ କାର୍ଯ୍ୟ ଆଉ କ’ଣ ଥାଇପାରେ! ପ୍ରଭୁ ଏମିତି ସବୁ ଅଘଟଣ ଘଟାନ୍ତି। ଅନ୍ଧ ଦେଶରେ ଦର୍ପଣ ବିକିବା ଦୁର୍ଭାଗ୍ୟ ଦେଇଥାନ୍ତି। ଶିବଙ୍କ ଘରେ ବି ପ୍ରଭୁ ଘାଉଡ଼ ଘଟାଇଥାନ୍ତି। ସତରେ କେତେ ବହପିଆ ଏ ସାପଗୁଡ଼ା! ତାଙ୍କ ପ୍ରଭୁଙ୍କ ଘରେ ପୁଣି ତାଙ୍କ ବିଷ ଦାନ୍ତର ଖେଳ, ଚମକ ପ୍ରୌଢ଼ି! ହଁ ସେମିତି ହୋଇଥାଏ!
ଏବେ ବିଶ୍ବର ଏ ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷରେ ‘ଗଣତନ୍ତ୍ର’ କିପରି ‘ବଣତନ୍ତ୍ର’ ବନିଯାଇଛି, ସେ କଥା ଦେଖିଲେ ମନକୁ ଏ ପଛକବାଟିଆ ବା ‘ଗେରସ୍ତମରା’ଙ୍କ କଥା ବା ଭାବ ମନକୁ ଆସୁଛି। ସଂସଦ ବା ପାର୍ଲାମେଣ୍ଟ ହେଉଛି ଗଣତନ୍ତ୍ରର ଦେବାଳୟ, ମନ୍ଦିର। ୟେ ଇନ୍ଦ୍ରଙ୍କ ଦେବସଭାଠୁ ବଳି ଜାଣ। ଏଥିରେ ସବୁ ‘ସାର’ ମୁଣ୍ଡିମାନଙ୍କ ସମାବେଶ। ରାମା, ଦାମା, ଶାମା ସେଥିକୁ ସେ ଆସନକୁ କୁ ଯାଇପାରିବେ! ବଛାବଛା, ଜାଣ କାପଡଛଣାଙ୍କ ମେଳି ସେଠାରେ। ଏଠି ସଭିଏଁ ଜନତାଙ୍କ ବଛାବଛା ପ୍ରତିନିଧି। ଥୋଡ଼େ କ୍ଷମତା ମହୁ ଚଷନ୍ତି ତ ଆଉ ଥୋଡ଼େ ସତ୍ୟ ବା ସମାଲୋଚନାର ଛାଟିଆଳ। ଦୁହେଁ ଅପରିହାର୍ଯ୍ୟ, ସମ୍ମାନନୀୟ। କଠୋର ଓ କଡ଼ା ଯେ ସର୍ବଦା ବା ସର୍ବଥା ବର୍ଜନୀୟ ତା ଆଦୌ ନୁୁହଁ, ବେଳେବେଳେ ଗ୍ରହଣ ପାଇଁ ଅରୁଚିକରବୋଧ ହୋଇଥାଏ। କୁହା ବି ତ ଯାଇଛି, ‘ଟାଣ କଥା ଦେଖି ତରଛ ନାହିଁ, ନଡ଼ିଆ ଭିତର ଦେଖ ଛଡ଼ାଇ, ଶାମୁକା ଭିତରେ ରହିଛି ମୋତି, ତମ୍ବା ତାରେ ଜଳେ ବିଜୁଳି ବତି।’ ଏମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ, ମାତ୍ର ଅତି ଲେମ୍ବୁ ଚିପୁଡ଼ିଲା ପରି, ଛେନାରୁ ଚୋପା ଛଡ଼ାଇବା ଭାବାକ୍ରାନ୍ତ ହେଲେ, କଥା ସଇଲା। ରଜାଙ୍କର ଜଣେ ଅତ୍ୟନ୍ତ ଅନ୍ତରଙ୍ଗ ବନ୍ଧୁ ମାଙ୍କଡ଼ଟିଏ ଥିଲା।
ସେ ରାଜପ୍ରାସାଦର ସବୁଠୁ ବିଶ୍ବସ୍ତ ଥିଲା ରଜାଙ୍କର। ଯୁଦ୍ଧରେ କ୍ଳାନ୍ତ ରାଜା ଅଭଙ୍ଗ ବିଶ୍ରାମ ଚାହିଁଲେ ଓ ସମର୍ପିତ ଭାବର ମାଙ୍କଡ଼କୁ ଏଇ ଦାୟିତ୍ବ ଦିଆଗଲା। ରାଜା ନିଶ୍ଚିନ୍ତରେ ନିଘୋଡ଼ ନିଦ ଶୋଇଲେ। ମାଙ୍କଡ଼ ଅପଲକ ନେତ୍ରରେ ରାଜାଙ୍କୁ ଚାହଁ ବସିଥାଏ। ଗୋଟାଏ ଡଣଡଣିଆ ନେଳି ମାଛି କେମିତି କେଜାଣି ରାଜାଙ୍କ ମୁହଁ ଉପରେ ବାରମ୍ବାର ଉଡ଼ିଲା ଓ ତାଙ୍କ ମୁହଁ ଓ ନାକରେ ବାରମ୍ବାର ବସି ରାଜାଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥାଏ। ମାଙ୍କଡ଼ ଥରେ ଦୁଇଥର ହାତରେ ଉଡ଼ାଇବା ପରେ ତା’ର ଧୈର୍ଯ୍ୟଚ୍ୟୁତି ଘଟିଲା। ରାଗରେ ସେ ଖଣ୍ଡାଟିଏ ଧରି ତାକୁ ଦୁଇଗଡ଼ କରିଦେବାକୁ ଭାବିଲା। ଯେମିତି ମାଛିଟି ରାଜାଙ୍କ ନାକ ଉପରେ ବସିଛି, ଏକ ଧାରୁଆ ଦୀର୍ଘ ଖଣ୍ଡାରେ ସେ ତାକୁ ଛେଦ କରିଦେଲା। ମାତ୍ର ମାଛି କି ଛେଦ ହୁଏ? ସେ ଉଡ଼ିଗଲା ସିନା, ରାଜା ଛେଦ ପଡ଼ିଲେ। ନିର୍ବୋଧ ଓ ମୂର୍ଖ ବନ୍ଧୁ ସର୍ବଦା ବର୍ଜନୀୟ। ଏବେ ସଂସଦ ଘଟଣା ଦେଖାଯାଉ। ଜନତାର ସମସ୍ୟା ସମାଧାନ, ସେ ବିଷୟରେ ସରକାର, ସାରା ଜନତାର ଦୃଷ୍ଟି ଓ ସଚେତନତା ଆକର୍ଷଣ ପାଇଁ ସଂସଦରେ ମହାର୍ହ ଆଲୋଚନା ଏକ ଅପରିହାର୍ଯ୍ୟ ଆବଶ୍ୟକତା। ମତାମତ ବିନିମୟ ହେଉ। ଏଥର କଷାଯାଉ, ମପାଯାଉ କାହାର ଭେଜା, ବୁଦ୍ଧି, ବିଚାର ଓ କିସମ କ’ଣ? ଜନତା ତ ଅନ୍ଧ ନୁହନ୍ତି? ଚକ୍ର ବୁଲୁଛି, କାନ କୁଣ୍ଡାଇଲା ପରି ପାଞ୍ଚବର୍ଷ ପାହିଯିବନି କେବଳ ଏ ମହାତ୍ମା, ମୁଣ୍ଡିଆଳମାନଙ୍କ କିସମ ବି ନିର୍ଦ୍ଧାରଣ ହୋଇଯିବ। ସେଥିକୁ ତମେ ପୁଣି ସିଂହାସନରେ ବସିବ, ସେମାନେ ପୁଣି ଓହ୍ଲାଇବେ। ମାତ୍ର କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଏ ଅଧିବେଶନ ବସୁଛି।
ସଂସଦକୁ ଆହୁରି ସୁନ୍ଦର, ଆହୁରି ଆକର୍ଷଣୀୟ ଓ ଆହୁରି ସୁଖପ୍ରଦ କରିବାକୁ ଏଇ ଏବେ ତ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏ ମହାର୍ହ ଭବନ ନିର୍ମାଣ କରାଯାଇଛି। ମାତ୍ର ଏଥିରେ ହେଉଛି କ’ଣ? କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ପାଟିତୁଣ୍ଡ, ହୋହଲ୍ଲା, ଠେଲାପେଲା, ୟେ କ’ଣ ଲୋ ବୋପା? ଏ ଦେବସଭା ନା ଫେତୁରିଆଙ୍କ ଆଖଡ଼ା? ସାଂସଦମାନଙ୍କ ପାଇଁ ଏ ଦେଶରେ ସମ୍ମାନ ବ୍ୟବସ୍ଥା, କ୍ଷମତା, ସୁବିଧାସୁଯୋଗ, ରାଜଧାନୀମାନଙ୍କରେ ଭବନ, ରେଳ, ବ୍ୟୋମଯାନରେ ଆଗୁଆ ଓ ସ୍ବତନ୍ତ୍ର ବ୍ୟବସ୍ଥାର କ’ଣ ଇଏ ପ୍ରତ୍ୟୁତ୍ତର କୃତଜ୍ଞତା? କି ବିଚାର ମ ୟେ! ପାଞ୍ଚବର୍ଷ ଯଦି ଆଜ୍ଞାଙ୍କ ଧୈର୍ଯ୍ୟ ତୁଟାଉଛି, ସଉତୁଣୀର ଶଙ୍ଖା, ସିନ୍ଦୂରରେ ଛାତି ଫଟାଇ ପକାଉଛି, ତେବେ ଏକୁ ଦି’ବର୍ଷିଆ, ବର୍ଷିକିଆ କରିଦିଅ। ଯାହା କଲେ ବି ଅବସ୍ଥା ସେଇଆ ହେବ। ପାର୍ଲାମେଣ୍ଟ ବା ସଂସଦ କେବଳ ଏ ଦେଶ ପାଇଁ ନୁହେଁ। ସମଗ୍ର ବିଶ୍ବରେ ଏ ଦେଶ ସଂସ୍କାର ଓ ସଂସ୍କୃତିର ଦର୍ପଣ, ପ୍ରତିଛବି, ପ୍ରତିଧ୍ବନି। ଦୁଷ୍ଟ ବଗୁଲିଆ ପିଲାକୁ ଅବଧାନେ ବେତ୍ରାଘାତ ସତ୍ତ୍ବେ ବି ଶ୍ରେଣୀରୁ ବହିଷ୍କାର କରିଦେବା ପରି ସଂସଦର ଗୁରୁତ୍ବପୂର୍ଣ୍ଣ ଅଧିବେଶନରେ ଏ ବିଶୃଙ୍ଖଳ ଭାଗୀଦାରମାନଙ୍କୁ ବାହାର କରିଦେଇ ଗଣତନ୍ତ୍ରର ବଙ୍କା ପଲାକୁ ସିଧା କରିଦେବାର ୟେ କି ଏକ ସଫଳ ଓ ସାର୍ଥକ ପ୍ରୟାସ? ଆଦୌ ନୁହଁ। ତେବେ ସଭିଏଁ ବୁଡ଼ିବାର ୟେ ଏକ ସୂଚନା। ଏମାନେ ଗଣତନ୍ତ୍ରର ରକ୍ଷାକବଚ ନୁହନ୍ତି। ଗଣତନ୍ତ୍ରର ଏ ଭାବ, ଡଙ୍ଗାକୁ ଫୁଟେଇ ବୁଡ଼ିବା ଓ ବୁଡ଼େଇବାର ‘ଦୁଷ୍ଟବ୍ରଣ’ ବରଂ ବୋଲାଇବ। ତେବେ ମାନନୀୟ, ମାନ୍ୟବର, ମହାପ୍ରଭୁ ତୁଲ୍ୟ ଏ ପ୍ରତିନିଧିମାନେ ଆମ ପ୍ରତି ଅବମାନନା ଦଣ୍ଡ ଜାହିର କରିପାରନ୍ତି। ମାତ୍ର ସେମାନଙ୍କ ଭାବମୂର୍ତ୍ତି, ତାଙ୍କ ଦେଶପ୍ରୀତି ଓ ଦାୟିତ୍ବବୋଧ ବଢ଼ାଇବାକୁ ଏବେ ଆକୁଳରେ ଓ ବିକଳରେ ଯୋଡ଼ ହସ୍ତରେ କହୁଛୁ କେବଳ, ନ ବୁଝିବେ ତ ଆମର ଦୁର୍ଭାଗ୍ୟ ମାତ୍ର! ଏମାନେ ତ ମୂର୍ଖ ବା ନିର୍ବୋଧ ନୁହନ୍ତି ଯେ ଆମେ କହିବୁ। ‘ଉପଦେଶା ହି ମୂର୍ଖାଣାଂ ପ୍ରକୋପାୟ, ନ ଶାନ୍ତୟେ।’ ଦଣ୍ଡବତ ପ୍ରତିନିଧି, ମୁଣ୍ଡିଆଳ, ଆଜ୍ଞାମାନେ। ଜୟ ଜଗନ୍ନାଥ।
Comments are closed.