ରାଜନୀତି ଓ ରାଜଧର୍ମ

ଅରୁଣ କୁମାର ପଣ୍ଡା

prayash

ଗତ କିଛି ମାସ ହେଲା ଓଡିଶା ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଯେଭଳି ବ୍ୟାପକ ଭାବରେ ଦଳବଦଳ ଚାଲିଛି, କେବଳ କ୍ଷମତା ପାଇବା ପାଇଁ ରାଜନେତାମାନେ ଯେଉଁ ପ୍ରକାର ଆଚରଣ ଓ ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଟିକଟ ଲୋଭରେ ନିଜ ଦଳକୁ ପଦାଘାତ କରି ଅନ୍ୟ ଦଳରେ ସାମିଲ ହେଉଛନ୍ତି ତଥା ନିଜର ନୀତି, ଆଦର୍ଶ ଓ ସ୍ୱାଭିମାନକୁ ଜଳାଞ୍ଜଳି ଦେଉଛନ୍ତି ତାହା ସାଧାରଣ ଲୋକଙ୍କୁ କେବଳ ଚକିତ କରିନାହିଁ, ରାଜନୀତି ଯେ ନୀତିହୀନ, ସ୍ୱାର୍ଥପର, ଚରିତ୍ରହୀନ, କ୍ଷମତାଲିପ୍‌ସୁ ବ୍ୟକ୍ତିଙ୍କ ଦ୍ୱାରା କବଳିତ ହୋଇସାରିଲାଣି, ଏହା ସେମାନେ ଜାଣି ସାରିଲେଣି। ଏବେ ଧାରଣା ବଦ୍ଧମୂଳ ହେଲାଣି ଯେ ରାଜନୀତିରେ ଆଉ ନୀତି ଆଦର୍ଶର ସ୍ଥାନ ନାହିଁ। ଦେଶ ବା ରାଜ୍ୟର ଶାସନ କାର୍ଯ୍ୟ ପରିଚାଳନା ପାଇଁ ଯେଉଁ ଲୋକମାନଙ୍କୁ ନିର୍ବାଚିତ କରାଯାଉଛି, ସେମାନଙ୍କଠାରେ ନୀତି-ଆଦର୍ଶ ବା ନୈତିକତା ରହିବା ଆଉ ଆବଶ୍ୟକ ନୁହେଁ। ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ନୈତିକତା ବା ଉଚ୍ଚମୂଲ୍ୟବୋଧକୁ ଜଳାଞ୍ଜଳି ଦିଆଯାଇପାରେ, କାରଣ କଳେବଳେ କୌଣସି କୁର୍ସି ଦଖଲ ରାଜନୀତିର ଏକମାତ୍ର ଲକ୍ଷ୍ୟ ବୋଲି ସର୍ବତ୍ର ଲୋକେ ଭାବି ନେଲେଣି।
ଅନୁଧ୍ୟାନର ବିଷୟ ହେଲା ‘ରାଜ’ ଶବ୍ଦ ସହିତ ଯେଉଁ ଶବ୍ଦ ସଂଯୁକ୍ତ ହୁଏ ତାହାର ଅର୍ଥ ପ୍ରାୟତଃ ଶ୍ରେଷ୍ଠ ବା ମହାନତାସୂଚକ ହୋଇଥାଏ। ଉଦାହରଣସ୍ୱରୂପ ‘ରାଜବୈଦ୍ୟ’ ଉପାଧି ତାହାକୁ ହିଁ ଦିଆଯାଏ ଯିଏ ଅନ୍ୟ ବୈଦ୍ୟ ବା ଚିକିତ୍ସକଙ୍କ ଅପେକ୍ଷା ଚିକିିତ୍ସା ବିଜ୍ଞାନରେ ଅଧିକ ପ୍ରତିଭାଶାଳୀ ବିବେଚିତ ହୋଇଥାଏ। ସେହିପ୍ରକାର ରାଜଜ୍ୟୋତିଷ, ରାଜପୁରୋହିତ, ରାଜର୍ଷି, ରାଜଯୋଗୀ ଶବ୍ଦ ଶ୍ରେଷ୍ଠମାନଙ୍କ ପାଖରେ ହିଁ ସଂଯୁକ୍ତ କରାଯାଏ। ସେହିପରି ସର୍ବଶ୍ରେଷ୍ଠ (ବୃହତ୍ତମ) ମାର୍ଗକୁ ରାଜମାର୍ଗ ବା ‘ହାଇୱେ’ କୁହାଯାଇଥାଏ। ତେଣୁ ରାଜନୀତି (ରାଜ+ନୀତି) ମଧ୍ୟ ଶ୍ରେଷ୍ଠ ନୀତିର ଦ୍ୟୋତକ ବୋଲି କୁହାଯାଇପାରେ।
ଆହୁରି ମଧ୍ୟ ଦେଖାଯାଏ ଯେ ଶ୍ରେଷ୍ଠ ବ୍ୟବହାରକୁ ‘ରାଜକୁଳୋଚିତ’ ବ୍ୟବହାର କୁହାଯାଇଥାଏ। ଏଠାରେ ଏ ନେଇ ଏକ ଉଦାହରଣ ପ୍ରସ୍ତୁତ କରାଯାଇପାରେ। ଆଲେକ୍‌ଜାଣ୍ଡାରଙ୍କ ସହ ଯୁଦ୍ଧରେ ରାଜା ପୁରୁ ପରାଜିତ ହେବା ପରେ ଗ୍ରୀକ୍‌ ବୀର ତାଙ୍କୁ ପଚାରିଲେ, ‘କୁହନ୍ତୁ, ଆପଣଙ୍କ ସହିତ କିଭଳି ବ୍ୟବହାର କରାଯିବା ଉଚିତ?’ ରାଜା ପୁରୁ ତୁରନ୍ତ ଉତ୍ତର ଦେଲେ, ‘ଯେଭଳି ଜଣେ ରାଜାଙ୍କୁ ଅନ୍ୟ ଜଣେ ରାଜାଙ୍କ ସହ କରିବା ଉଚିତ।’ ପୁରୁଙ୍କ ଉତ୍ତରରେ ମୁଗ୍ଧ ହୋଇ ଆଲେକ୍‌ଜାଣ୍ଡାର ତାଙ୍କୁ ମୁକ୍ତ କରି ସସମ୍ମାନ ବିଦାୟ ଦେଇଥିଲେ ବୋଲି ଇତିହାସରେ ଉଲ୍ଲିଖିତ ଅଛି। ଏଥିରୁ ଗୋଟିଏ କଥା ଅର୍ଥାତ୍‌ ରାଜାର ଚରିତ୍ର କିଭଳି ହେବା ଉଚିତ ତାହା ପ୍ରମାଣିତ ହେଉଛି। ରାଜା କ୍ଷମାଶୀଳ, ଉଦାରଚିତ୍ତ ଏବଂ ସାହସୀ ବ୍ୟକ୍ତିଙ୍କ ପ୍ରଶଂସକ ହେବା ଉଚିତ। ତେଣୁ ପ୍ରାଚୀନ କାଳରୁ ରାଜନୀତି ଶବ୍ଦର ପ୍ରୟୋଗ ଶ୍ରେଷ୍ଠ, ଆଦର୍ଶଯୁକ୍ତ, ଚରିତ୍ରବାନ, ନୀତି ଓ ଆଦର୍ଶର ଧାରକମାନଙ୍କ ପାଇଁ କରାଯାଉଥିଲା। ସମାଜର ଉଚ୍ଚତର ଶ୍ରେଣୀର ଗୁଣୀ, ବିଦ୍ୱାନ ଓ ନୀତିବାନ, ଆଦର୍ଶବାନ, ଚରିତ୍ରସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ୱାରା ରାଜ୍ୟ ଶାସନ ପାଇଁ ଗ୍ରହଣ କରାଯାଉଥିବା ନୀତିକୁ ‘ରାଜନୀତି’ କୁହାଯାଉଥିଲା। ସନ୍ଥ ତୁଳସୀଦାସ ‘ରାମଚରିତ ମାନସ’ରେ ‘ରାଜ ନୀତି ବିନା, ଧନ ବିନୁ ଧରମା’ ବୋଲି ଲେଖିଛନ୍ତି। ଏହାର ଅର୍ଥ ନୀତି ବିହୀନ ରାଜା ସର୍ବଥା ବର୍ଜନୀୟ ଓ ନିନ୍ଦନୀୟ।
କୁହାଯାଏ ସତ୍ୟଯୁଗରେ ରାଜାଙ୍କୁ ବିଷ୍ଣୁଙ୍କର ପ୍ରତିନିଧି ଭାବେ ବିଚାର କରାଯାଉଥିଲା। ରାଜାଙ୍କ ଚରିତ୍ର ମର୍ଯ୍ୟାଦା ଓ ଦିବ୍ୟତାରେ ଭରପୂର ଥିଲା। ରାଜା ଶ୍ରେଷ୍ଠାଚାରୀ ଥିଲେ। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପରି ରାଜା ପ୍ରଜା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିବାର ସାମର୍ଥ୍ୟ ରଖିଥିଲେ। ନିଜର ସତ୍ୟ ବଚନ ପାଇଁ ନିଜ ଜଙ୍ଘର ମାଂସ କାଟି ଶାଗୁଣାକୁ ଖୁଆଇଥିବା ରାଜା ଶିବି, ପୁଅ ଓ ପତ୍ନୀଙ୍କୁ ତ୍ୟାଗ କରି ଶ୍ମଶାନରେ ଶବଦାହ କାର୍ଯ୍ୟ କରିଥିବା ରାଜା ହରିଶ୍ଚନ୍ଦ୍ର, ନିଜର ପ୍ରତିଜ୍ଞା ପାଳନରେ ଅଟଳ ରହି କ୍ଷମତା, ସିଂହାସନକୁ ପଦାଘାତ କରି ସମୂହ ସ୍ୱାର୍ଥ ପାଇଁ ଆଜନ୍ମ ବ୍ରହ୍ମଚାରୀ ରହିଥିବା ପିତାମହ ଭୀଷ୍ମ କିମ୍ବା କ୍ଷମତା ପଙ୍କରେ ଥାଇ ମଧ୍ୟ ଯିଏ ସଦା ପଦ୍ମପରି ସ୍ୱଚ୍ଛ, ପବିତ୍ର, ଅମଳିନ, ସୁଗନ୍ଧିତ ଅର୍ଥାତ୍‌ ନିର୍ବିକାରୀ ଭାବରେ ଜୀବନଯାପନ କରୁଥିବା ରାଜର୍ଷି ଜନକଙ୍କ ପରି ଅନେକ ଉଦାହରଣ ଏ ସମ୍ପର୍କରେ ଦିଆଯାଇପାରେ। ରାଜା ଥିଲେ ଗଣନାୟକ ଅର୍ଥାତ୍‌ ଜନତାର ପ୍ରତିନିଧି। କୁହାଯାଉଥିଲା, ‘ଯଥା ରାଜା ତଥା ପ୍ରଜା।’ ଅନ୍ୟକୁ ଦଣ୍ଡିତ କରିବା ପାଇଁ ରାଜାଙ୍କୁ ଦିଆଯାଇଥିବା ଅଧିକାରର ଯେଭଳି ଅନୁଚିତ ବ୍ୟବହାର ନ ହୁଏ ସେଥିପାଇଁ ତାଙ୍କୁ ତଦାରଖ କରିବା କାର୍ଯ୍ୟ ଋଷି-ମୁନି-ତପସ୍ୱୀମାନଙ୍କୁ ଦିଆଯାଇଥିଲା। ଅତ୍ୟାଚାରୀ, ଦୁରାଚାରୀ, ରାକ୍ଷସ ପ୍ରବୃତ୍ତିର ରାଜାମାନଙ୍କୁ ଦମନ କରିବା ପାଇ ସ୍ୱୟଂ ପରମାତ୍ମା ଧରାପୃଷ୍ଠରେ ଅବତାର ନେଇଥିବା ସମ୍ପର୍କରେ ଆମ ଶାସ୍ତ୍ରରେ କୁହାଯାଇଛି। ବାସ୍ତବରେ ରାଜା ଥିଲେ ନ୍ୟାୟମୂର୍ତ୍ତି ଏବଂ ବିବେକବାନ ବିଚାରବନ୍ତ ମହାନ ବ୍ୟକ୍ତିତ୍ୱ, ଠିକ୍‌ ଭଗବାନଙ୍କ ପରି। ସେମାନେ ଥିଲେ ଧର୍ମରକ୍ଷକ ଏବଂ ଈଶ୍ୱରଙ୍କ ପ୍ରତିନିଧି।
ଯେଉଁ ଶାସକ ବା ରାଜା ଅପରାଧ ପାଇଁ ପ୍ରଜା ଅଥବା ନାଗରିକଙ୍କୁ ଦଣ୍ଡିତ କରିବାର ଅଧିକାର ରଖିଥିବ ସେ ନିଜେ ପ୍ରଥମେ ଅପରାଧରହିତ ହେବା ଉଚିତ। ଇଂରାଜୀରେ କୁହାଯାଇଛି – ‘ଦି କିଙ୍ଗ କ୍ୟାନ୍‌ କମିଟ୍‌ ନୋ କ୍ରାଇମ’ – ରାଜା କେବେ ଅପରାଧ କରିପାରିବ ନାହିଁ। ଆଜି ବି ଇଂଲଣ୍ଡରେ ଆଇନତଃ ଏହା ହିଁ ସ୍ୱୀକାର କରାଯାଉଛି। ଏହି ଉକ୍ତି ବାସ୍ତବରେ ସତ୍ୟନିଷ୍ଠ, ଚରିତ୍ରବାନ, ଧର୍ମପ୍ରିୟ ଏବଂ ବିବେକୀ ରାଜାଙ୍କ ପାଇଁ ପ୍ରଯୁଜ୍ୟ ଥିଲା। ଆଜିକାଲି ତ ଅପରାଧୀମାନଙ୍କର ରାଜନୀତିରେ ଅବାଧ ପ୍ରବେଶ। କୋଟିକୋଟି ଟଙ୍କାର ରାଜସ୍ୱ ଲୁଟ କରିଥିବା, ବିମାନ ଅପହରଣ ପରି ଅପରାଧିକ ପୃଷ୍ଠଭୂମି ଥିବା, ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତିର ଆପାତତଃ ପ୍ରମାଣଯୋଗ୍ୟ ତଥ୍ୟ ଥିବା, ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିବା, ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ବିଭିନ୍ନି ରାଜନୈତିକ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଟିକଟ ମିଳୁଛି ଏବଂ ଏମାନଙ୍କ ମଧ୍ୟରୁ ଅନେକ ଭୋଟରେ ଜିତି ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ହେଉଛନ୍ତି। ଆଜିକାଲି ଆଦର୍ଶନୀତି ଏବଂ ରାଜନୀତିକୁ ପରିଶୁଦ୍ଧ କରିବା ପାଇଁ ପ୍ରତିଷ୍ଠିତ ଦଳ ମଧ୍ୟ ଏହି ଅପରାଧୀଙ୍କ ପାଇଁ ନିଜ ଦ୍ୱାର ଉନ୍ମୁକ୍ତ କରିଛି। ଟିକେଟ ନପାଇ ନିଜର ପୁରୁଣା ଦଳରୁ ଇସ୍ତଫା ଦେଉଥିବା ସାଂସଦ, ବିଧାୟକଙ୍କୁ ଅନାୟାସରେ ଅନ୍ୟ ଦଳ ସାମିଲ କରିବା ସଙ୍ଗେସଙ୍ଗେ ଆଗାମୀ ନିର୍ବାଚନ ପାଇଁ ସେମାନଙ୍କୁ ଟିକଟ ମଧ୍ୟ ଦେଉଛନ୍ତି। ନୀତି, ଆଦର୍ଶ, ମୂଲ୍ୟବୋଧର ସତେ ଯେପରି ସମାଧି ହୋଇଯାଇଛି। ରାଜନୀତି ଏବେ ଭ୍ରଷ୍ଟନୀତି ଏବଂ ରାଜନେତା ଦୁରାଚାରୀରେ ପରିଣତ ହୋଇଛନ୍ତି।
ବୈଦିକ କାଳରେ, ପ୍ରାଗ୍‌ ଐତିହାସିକ ସମୟରେ ମହାତ୍ମା ବିଦୁର ଏବଂ କୌଟିଲ୍ୟଙ୍କ ପରି ଅତ୍ୟନ୍ତ ଦୈବୀଗୁଣସମ୍ପନ୍ନ ରାଜନୀତି ବିଶେଷଜ୍ଞ ଶାସନ ପରିଚାଳନାରେ ସାଧୁତା ସହ ଦକ୍ଷତା ପାଇଁ ନୀତି ପ୍ରଣୟନ କରି ବହୁଚର୍ଚ୍ଚିତ ହୋଇଥିଲେ। ଏହା ‘ବିଦୁର ନୀତି’ ଏବଂ ‘କୌଟିଲ୍ୟ ଅର୍ଥଶାସ୍ତ୍ର’ ନାମରେ ଆଜି ବି ଚର୍ଚ୍ଚିତ। ସେହିଭଳି ଭୀଷ୍ମ ପିତାମହ ମହାଭାରତ ଯୁଦ୍ଧ ପରେ ଶରଶଯ୍ୟାରେ ୫୮ ଦିନ ଅପେକ୍ଷା କରି ରହିଥିଲେ ଉତ୍ତରାୟଣରେ ଇଚ୍ଛାମୃତ୍ୟୁ ପାଇଁ। ସେହି ସମୟରେ ଦ୍ରୌପଦୀ ପିତାମହଙ୍କୁ ପ୍ରଶ୍ନ କରିଥିଲେ, ‘ହେ ମହାତପୀ! ମୋର ବସ୍ତ୍ରହରଣ ବେଳେ ଆପଣଙ୍କ ଉପଦେଶ କୁଆଡେ ଯାଇଥିଲା? ଆପଣ ଏହାର ପ୍ରତିବାଦ କରିବା ପରିବର୍ତ୍ତେ ମୁଣ୍ଡ ନୁଆଁଇ କୌରବ ରାଜସଭାରେ ଚୁପ୍‌ଚାପ ହୋଇ ବସି ରହିଥିଲେ। ଦ୍ରୌପଦୀଙ୍କ କ୍ଷୋଭଯୁକ୍ତ ପ୍ରଶ୍ନର ଉତ୍ତର ଦେଇ ଭୀଷ୍ମ ପିତାମହ କହିଲେ, “ଝିଅ, ସେ ସମୟରେ ମୁଁ ଦୁର୍ଯ୍ୟୋଧନର ଦୂଷିତ ଅନ୍ନ ଖାଉଥିଲି। ସେଥିପାଇଁ ମୋ ବୁଦ୍ଧି ଦୋଷଯୁକ୍ତ ଥିଲା। ଏବେ ଦୀର୍ଘ ସମୟ ଧରି ଶରଶଯ୍ୟାରେ ପଡି ରହିବା କାରଣରୁ ମୋର ଶରୀରରୁ ଦୂଷିତ ରକ୍ତ ବହିଗଲାଣି। ଅତଃ ଏବେ ମୋର ବୁଦ୍ଧି ନିର୍ମଳ ହେଲାଣି। ଯେଭଳି ଅନ୍ନ (ଖାଦ୍ୟ) ଖାଇବ ମନ ସେହି ଅନୁରୂପ ହେବ।” ମହାଭାରତ ଅନନ୍ତ ଜ୍ଞାନର ଭଣ୍ଡାର। ସେଥିରେ ଧର୍ମନୀତି, ରାଜନୀତି, ଜ୍ଞାନ-ବିଜ୍ଞାନ, ଯୋଗ, ଇତିହାସ, ମାନବଶାସ୍ତ୍ର, ରହସ୍ୟ, ଦର୍ଶନ, ଶାସନ ବ୍ୟବସ୍ଥା ଆଦି ବିଷୟ ସମାବେଶ ହୋଇଛି। ଏତେ ପ୍ରାଚୀନ ହେଲେ ମଧ୍ୟ ଆଜି ବି ସେଥିରେ ପ୍ରଦତ୍ତ ଶ୍ରୀମଦ୍‌ ଗୀତାର ବାଣୀ ଏବଂ ଭୀଷ୍ମ ପିତାମହଙ୍କ ଉପଦେଶ ନୂଆ ପରି ଲାଗୁଛି। ରାଜନୀତି ଧର୍ମପ୍ରେରିତ ହେବା ଉଚିତ ବୋଲି ମହାରାଜା ଯୁଧିଷ୍ଠିରଙ୍କୁ ଉପଦେଶ ଦେବା ବେଳେ ପିତାମହ କହିଥିଲେ,
‘ନ ରାଜ୍ୟଂ ନ ରାଜାସିତ୍‌…
ଧର୍ମଣୈବ ପ୍ରଜାସର୍ବା, ରକ୍ଷତିସ୍ମ ପରସ୍ପରମ୍‌
ଅର୍ଥାତ୍‌ ରାଜ୍ୟ ରହିବ ନାହିଁ, ରାଜା ରହିବେ ନାହିଁ, ଦଣ୍ଡ ରହିବ ନାହିଁ, ଦଣ୍ଡଧାରୀ ବି ରହିବେ ନାହିଁ, କେବଳ ଧର୍ମକୁ ଆଧାର କରି ରାଜ୍ୟର ପ୍ରତ୍ୟେକ ନାଗରିକ ପରସ୍ପରକୁ ରକ୍ଷା କରିବେ।
ନେତା ହେଉଛି ସଂବିଧାନ, ଆଇନ ରକ୍ଷକ। ସେମାନେ ଯେଭଳି ଆଚରଣ କରିବେ ଅନ୍ୟମାନେ ତାହାକୁ ସେହି ଅନୁରୂପ ଅନୁସରଣ କରିବେ। ସ୍ୱାମୀ ବିବେକାନନ୍ଦ କହିଥିଲେ, ‘ଶିଶୁ ଆପାତତଃ ଅନ୍ୟ ଉପରେ ନିର୍ଭରଶୀଳ ମନେ ହେଉଥିଲେ ହେଁ ସେ ସମଗ୍ର ଗୃହର ରାଜା।’ ନେତା ହେବା ବଡ କଠିନ। ସଙ୍ଗଠନ ପାଖରେ ସର୍ବସ୍ୱ, ଅର୍ଥାତ୍‌ ନିଜର ସତ୍ତା ପର୍ଯ୍ୟନ୍ତ ବିସର୍ଜନ କରିବାକୁ ପଡିଥାଏ। ଯିଏ ସମସ୍ତଙ୍କର ଦାସ, ସେ ହିଁ ସମସ୍ତଙ୍କର ପ୍ରଭୁ। ଯାହା ପ୍ରେମରେ ଛୋଟ ବଡ଼ ଭାବ ଅଛି, ସେ ନେତା ପଦବାଚ୍ୟ ନୁହେଁ।
ଦୁଇ ହଜାର ବର୍ଷ ତଳେ ପ୍ରଖ୍ୟାତ ଦାର୍ଶନିକ ସକ୍ରେଟିସ୍‌ ଆତ୍ମାର ଅଭିବ୍ୟକ୍ତି ହିଁ ନୈତିକତା ଓ ଆଧ୍ୟାତ୍ମିକତା ବୋଲି କହିଥିଲେ। ସାମାଜିକ ଆଚରଣ ଏବଂ ବ୍ୟକ୍ତିଗତ ଜୀବନରେ ସେ କୌଣସି ପ୍ରଭେଦ ଦେଖୁନଥିଲେ। ତାଙ୍କ ଦୃଷ୍ଟିରେ ନୈତିକତା ଓ ରାଜନୀତି ପ୍ରାୟ ସମଧର୍ମୀ ଥିଲା।
ଭାରତୀୟ ରାଜନୈତିକ ଦର୍ଶନରେ ଧର୍ମ ଓ ନୈତିକତାର ସ୍ଥାନ ବହୁ ଉଚ୍ଚରେ। ମହାତ୍ମା ଗାନ୍ଧୀ ରାଜନୀତିର ସ୍ତରକୁ ଊର୍ଦ୍ଧ୍ବକୁ ନେଇ ସର୍ବଦା କହୁଥିଲେ, ଏହା ନିଃସ୍ୱାର୍ଥ ଲୋକସେବା ତଥା ନୈତିକତା ଉପରେ ଆଧାରିତ ହେବା ଉଚିତ। ରାଜନୀତିକୁ ଶ୍ରେଷ୍ଠନୀତି ବୋଲି ମତ ଦେଇ ସେ କହୁଥିଲେ ଯେ ଏହା କ୍ଷମତା ପାଇଁ ଶକ୍ତି ଓ ସଂଘର୍ଷର ତତ୍ତ୍ୱ ନୁହେଁ। ତାଙ୍କ ମତରେ କୌଣସି ଜନସେବା କିମ୍ବା ଲୋକହିତ କାର୍ଯ୍ୟ ଅନୈତିକ ଏବଂ ଅଣ-ଆଧ୍ୟାତ୍ମିକ ମାର୍ଗ ଗ୍ରହଣ କରି କରାଯିବା ଅନୁଚିତ। ଅତଃ ରାଜନୀତି ଆଧ୍ୟାତ୍ମିକ ଏବଂ ନୈତିକ ମୂଲ୍ୟବୋଧର ସଂରକ୍ଷକ ହେବା ଆବଶ୍ୟକ। ସେ କହୁଥିଲେ, ସାଧ୍ୟର ପ୍ରାପ୍ତି ଶୁଦ୍ଧ ସାଧନ ମାଧ୍ୟମରେ କରାଯିବା ଉଚିତ। ଧର୍ମ ଓ ରାଜନୀତିର ସମାହାର ପାଇଁ ଗାନ୍ଧିଜୀ ବହୁ ଉଦ୍ୟମ କଲେ। ସେ ଜାଣିଥିଲେ ଯେ ଧର୍ମ ବ୍ୟକ୍ତିକୁ ନୈତିକ ମୂଲ୍ୟବୋଧ ଓ ସିଦ୍ଧାନ୍ତ ପ୍ରତି ପ୍ରେରିତ କରିଥାଏ। ଧର୍ମକୁ ରାଜନୀତି ସହିତ ସମାବିଷ୍ଟ କରିବା ଦ୍ୱାରା ବ୍ୟକ୍ତି ନୈତିକତା ପ୍ରତି ଆକର୍ଷିତ ହୋଇଥାଏ। ଯୀଶୁଖ୍ରୀଷ୍ଟ କହୁଥିଲେ, ଅନ୍ୟମାନଙ୍କ ସହିତ ସେହିଭଳି ଆଚରଣ କରିବ ଯେଭଳି ନିଜ ପ୍ରତି ଆଶା କରୁଛ। ମହାଭାରତର ଶାନ୍ତି ପର୍ବରେ ଏହା ହିଁ ଉଲ୍ଲେଖ କରାଯାଇଛି। ଅନୁରୂପ ଭାବେ ଦାର୍ଶନିକ ପ୍ଲୁଟୋଙ୍କ ‘ଫିଲୋସଫର୍‌ କିଙ୍ଗ୍‌’ରେ ଏହି ତର୍କ ହିଁ ଦିଆଯାଇଛି।
ଆଜିର ବିକୃତ ସାମାଜିକ ପରିବେଶ ଏବଂ ସ୍ୱେଚ୍ଛାଚାର କାରଣରୁ କେତେକ ନୀତିହୀନ ରାଜନେତା ଅନୈତିକ ଉପାୟରେ କ୍ଷମତା ଦଖଲ କରୁଛନ୍ତି। ପ୍ରଚାରତନ୍ତ୍ର ବା ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସେମାନଙ୍କ ମୁଖା ଖୋଲିବା ପରିବର୍ତ୍ତେ ଗୁଣଗାନ କରିବାରେ ଲାଗିଛନ୍ତି। ନୈତିକତା ବଦଳରେ ଅର୍ଥ ଓ ବାହୁବଳର ରାଜୁତି ଚାଲିଛି। ରାମରାଜ୍ୟ, ସ୍ୱରାଜ ଏବଂ ସୁରାଜ ପାଇଁ ସର୍ବଶକ୍ତିମାନ ପରମାତ୍ମାଙ୍କ ସହାୟତାରେ ଭାରତୀୟ ରାଜନୀତିକୁ ଧର୍ମ ଓ ନୀତି ଆଧାରରେ ପୁଣି ପରିଶୁଦ୍ଧ କରିବାକୁ ହେବ।

kalyan agarbati

Comments are closed.