www.samajalive.in
Monday, December 8, 2025
27.1 C
Bhubaneswar

ଉପକୂଳ ରାଜମାର୍ଗ: ଓଡ଼ିଶା ବିକାଶର ନୂତନ ସୂ​‌​​‌େ​‌ର୍ଯ୍ୟାଦୟ

ଧର୍ମେନ୍ଦ୍ର ପ୍ରଧାନ

ଯୁଗଯୁଗ ଧରି ଓଡ଼ିଶାର ପବିତ୍ର ଭୂମିରେ ସମୁଦ୍ରର ନୀଳ ଜଳରାଶି ଲହଡ଼ି ଭାଙ୍ଗିଆସିଛି। ବଙ୍ଗୋପସାଗର ସହ ଓଡ଼ିଶାର ପରିଚୟ ଖୁବ୍ ନିବିଡ଼। ଓଡ଼ିଶା ମାଟିର ଉଦ୍ୟୋଗୀ ବଣିକମାନେ ସମୁଦ୍ରଯାତ୍ରା କରି ଅନ୍ୟ ଦେଶମାନଙ୍କ ସହ ବହିର୍ବାଣିଜ୍ୟ କରି ଓଡ଼ିଶାକୁ ସମୃଦ୍ଧ କରିବା ସହ ଓଡ଼ିଶାର ଅନନ୍ୟ ଗରିମାମୟ ପରିଚୟ ସୃଷ୍ଟି କରିଥିଲେ। ପୁରାତନ କାଳରେ କଳିଙ୍ଗର ସମୃଦ୍ଧ ଓ ବିକଶିତ ସାମୁଦ୍ରିକ ବହିର୍ବାଣିଜ୍ୟ ସୁଦୂର ଶ୍ରୀଲଙ୍କା, ଦକ୍ଷିଣ-ପୂର୍ବ ଏସିଆ, ଆଫ୍ରିକା ଏବଂ ଚୀନ ସହ ଥିବାର ପ୍ରମାଣ ରହିଛି। ଏହାର ଐତିହାସିକ ଏବଂ ସାଂସ୍କୃତିକ ବୈଭବ ଓଡ଼ିଶାର ଜନଜୀବନରେ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଓ ଐତିହାସିକ ବାଲିଯାତ୍ରା ମାଧ୍ୟମରେ ପ୍ରତିଫଳିତ। ଓଡ଼ିଶାର ଏହି ଗୌରବମୟ ପରମ୍ପରାକୁ ସାମ୍ପ୍ରତିକ ସମୟରେ ସୁଦୃଢ ଭାବରେ ପୁନଃନିର୍ମାଣ କରି ଓଡ଼ିଶାକୁ ବିକଶିତ କରିବା ଦିଗରେ ବିଗତ ସାଢେ ୪ ବର୍ଷରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଦୂରଦୃଷ୍ଟିସମ୍ପନ୍ନ ନୀତି ପ୍ରଣୟନ କରିଛନ୍ତି। ଓଡ଼ିଶାର ସମୁଦ୍ର ପାର୍ଶ୍ବବର୍ତ୍ତୀ ଅଂଚଳରେ ଔଦ୍ୟୋଗିକ, ବାଣିଜ୍ୟିକ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ବ୍ୟାପକ ପୁଞ୍ଜି ନିବେଶ କରାଯାଇଛି। ଏହା ଖୁବ୍ ଶୀଘ୍ର ଓଡ଼ିଶାର ବିକାଶ ଦିଗରେ ନିର୍ଣ୍ଣାୟକ ରୂପ ନେଇ ଓଡ଼ିଶାର ନୂତନ ପରିଚୟ ସୃଷ୍ଟି କରିବ।
ଏହି ପ୍ରକ୍ରିୟାର ଗୋଟିଏ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତୀକ ଭାବେ ଉଭା ହୋଇଛି ୪୫୦ କିମିର ଦୀଘାରୁ ଗୋପାଳପୁର ପର୍ଯ୍ୟନ୍ତ ସୁଦୀର୍ଘ କୋଷ୍ଟାଲ୍ ହାଇୱେ। ଭାରତ ସରକାରଙ୍କ ମହଦାକାଂକ୍ଷୀ ଓ ଫଳପ୍ରସୂ ‘ଭାରତମାଳା ପରିଯୋଜନା’ ଅନ୍ତର୍ଗତ ଏହି କୋଷ୍ଟାଲ୍ ହାଇୱେ ଆଗାମୀ ଦିନର ‘ବିକାଶର ନୂଆ ରାଜମାର୍ଗ’ ହେବ। ଓଡ଼ିଶାର କୋଷ୍ଟାଲ୍ ହାଇୱେ ସୁଦୀର୍ଘ ଅର୍ଥନୈତିକ ବିକାଶ ପାଇଁ ଅପାର ସମ୍ଭାବନା ରଖେ। ସେଥିପାଇଁ, କେନ୍ଦ୍ର ସରକାର ୯୦୦୦ କୋଟି ଟଙ୍କା ବ୍ୟୟରେ ଏକ ବିରାଟ ପରିଯୋଜନାର ଅୟମାରମ୍ଭ କରିଛନ୍ତି। ଏହା ଓଡ଼ିଶାର ୬ଟି ଜିଲାରେ ବହୁ ଗାଁ ଦେଇ ଯାଇ ବିକାଶର ନୂଆ ସୂ‌େର୍ଯ୍ୟାଦୟ କରିବ।
ଏହି ପରିପ୍ରେକ୍ଷୀରେ ତଟୀୟ ସ୍ଥାନ କୃଷ୍ଣପ୍ରସାଦର ଉଦାହରଣ ଖୁବ୍ ସମୀଚୀନ। ‘ମରାଳମାଳିନୀ ନୀଳାମ୍ବୁ ଚିଲିକା’ ଦ୍ୱାରା ପରିବେଷ୍ଟିତ କୃଷ୍ଣପ୍ରସାଦ ପ୍ରାକୃତିକ ନୈସର୍ଗିକ ସୌନ୍ଦର୍ଯ୍ୟରେ ସମୃଦ୍ଧ। ଏହା ମାଳଦ୍ୱୀପଠାରୁ କୌଣସି ଦୃଷ୍ଟିରୁ କମ୍ ନୁହେଁ। କୋଷ୍ଟାଲ୍ ହାଇୱେ ଦ୍ୱାରା କୃଷ୍ଣପ୍ରସାଦ ହୋଇପାରିବ ଭାରତର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ଏବଂ ତାହା ଅର୍ଥନୈତିକ ବିକାଶରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନେବାରେ ସହାୟକ ହେବ। ଏହି ଦିଗରେ କେନ୍ଦ୍ର ସରକାର ଆନ୍ତରିକତା ସହ ୨୦୨୪ ସୁଦ୍ଧା ଓଡ଼ିଶାରେ ପ୍ରଭାବଶାଳୀ ପରିବର୍ତ୍ତନ କରିବା ପାଇଁ ସଂକଳ୍ପବଦ୍ଧ । ଏହି ମହଦାକାଂକ୍ଷୀ ରାଜମାର୍ଗ ଓଡ଼ିଶାକୁ ସୁବର୍ଣ୍ଣରେଖା ଏବଂ ସମୁଦ୍ରର ସଙ୍ଗମସ୍ଥାନରେ ପ୍ରବେଶ କରିବ। ତଟରେ ଡ଼ମରା, କଷାଫଳ, ବାହାବଳପୁର ଦେଇ ଚାନ୍ଦିପୁରରେ ପହଂଚିବ। କହିବା ବାହୁଲ୍ୟ ଯେ ଚାନ୍ଦିପୁରର ବେଳାଭୂମି ସମଗ୍ର ପୃଥିବୀରେ ଅନନ୍ୟ, ଯେଉଁଠାରେ ଭଟ୍ଟା ସମୟରେ ସମୁଦ୍ର ୫ କିମି ପଛକୁ ହଟିଯାଏ। ପୁନଶ୍ଚ ଚାନ୍ଦିପୁର ପାର୍ଶ୍ବରେ ରହିଛି ଅଦମ୍ୟ ଭାରତର ନୂତନ ସାମରିକ ଶକ୍ତିସ୍ଥଳ: ଡ଼.ଏ.ପି.ଜେ ଅବଦୁଲ୍ କଲାମ୍ ଦ୍ୱୀପ। ରସଲପୁରଠାରେ ଓହ୍ଲାଇ, ଇଣ୍ଡିଆନ୍ ଅଏଲର ସହଯୋଗରେ ପ୍ରତିଷ୍ଠିତ ବିଶ୍ୱସ୍ତରୀୟ ଡ଼.ଏ.ପି.ଜେ ଅବଦୁଲ୍ କଲାମ ବିଜ୍ଞାନ କେନ୍ଦ୍ର ବୁଲି ଦେଖିପାରିବେ। ଏହାଛଡ଼ା ରେମୁଣାର ଛାତ୍ରଛାତ୍ରୀମାନେ ଏକ ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ ମହାକାଶ ଗବେଷଣା ସହ ସାମିଲ ହୋଇପାରିବେ ଯାହା ଯୁକ୍ତରାଷ୍ଟ୍ର ଆମେରିକାର ହଷ୍ଟନସ୍ଥିତ ନାସା ସହ ସମକକ୍ଷ।
ଏହା ପରେ, ଗହୀରମଥା ସ୍ଥିତ ଅଲିଭ୍ ରିଡଲେ ବିରଳ ପ୍ରଜାତିର କଇଁଛମାନଙ୍କ ଅଣ୍ଡାଦିଆ ସ୍ଥାନ ଦେଖିବାର ସୁଯୋଗ ନେଇହେବ। ଏହା ଅତ୍ୟନ୍ତ ଖୁସିର କଥା ଯେ, ଗହୀରମଥା ଏବେ ୟୁନେସ୍କୋ ଦ୍ୱାରା ମର୍ଯ୍ୟାଦାପ୍ରାପ୍ତ। ଆଉ ଗୋଟିଏ ପ୍ରାକୃତିକ ସମ୍ଭାର ହେଲା ଭିତରକନିକା। ଏହି ଦୁଇ ସ୍ଥାନରେ ପର୍ଯ୍ୟଟନର ବିକାଶ ସାଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ‘ଊର୍ଜା-ଗଙ୍ଗା’ ପ୍ରକଳ୍ପର ପ୍ରମୁଖ ଅଂଶବିଶେଷ – ଧାମରାରେ ବୃହତ ଏଲ୍.ପି.ଜି ଟର୍ମିନାଲ୍ ତଥା ଭଦ୍ରକରେ ବୟନ ପାର୍କ ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ।
ଏହି ଯାତ୍ରାର ପରବର୍ତ୍ତୀ ପ୍ରମୁଖ ସ୍ଥଳ ହେଲା- ପାରାଦ୍ୱୀପ, ଯାହା ୯୦୦ ମେଟ୍ରିକ ଟନରୁ ଊର୍ଦ୍ଧ୍ବ କ୍ଷମତାସମ୍ପନ୍ନ ଭାରତର ବିନ୍ଦୁ ସର୍ବବୃହତ୍ ବନ୍ଦର। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶର ପରିକଳ୍ପନାରେ ପାରାଦ୍ୱୀପ ହେଉଛି ଏକ “ପ୍ରଦୀପ” ଯାହା ବିକାଶର ନୂଆ ଆଲୋକ ପ୍ରଦାନ କରିବ। ସେଥିପାଇଁ କେନ୍ଦ୍ର ସରକାର ୯୦,୦୦୦ କୋଟି ଟଙ୍କା ବ୍ୟୟରେ ପାରାଦ୍ୱୀପ ବନ୍ଦରର ଅତ୍ୟାଧୁନିକୀକରଣ ସାଙ୍ଗକୁ ଗୋଟିଏ ମଲଟି-ମୋଡ଼ାଲ୍ ଲଜିଷ୍ଟିକ କେନ୍ଦ୍ର ସ୍ଥାପନାର ଅୟମାରମ୍ଭ କରି ପାରାଦ୍ୱୀପକୁ ଦକ୍ଷିଣ-ପୂର୍ବ ଏସିଆର ଅନ୍ୟତମ ବାଣିଜ୍ୟିକ ଓ ବ୍ୟାବସାୟିକ କେନ୍ଦ୍ର ଭାବରେ ସ୍ଥାପିତ କରିବାର ଲକ୍ଷ୍ୟ ରଖିଛନ୍ତି। ଆଗାମୀ ଦିନରେ ଏହା ଓଡ଼ିଶାକୁ ବିଶ୍ୱ ଶକ୍ତି ମାନଚିତ୍ରରେ ଏକ ପ୍ରତିଷ୍ଠିତ ସ୍ଥାନ ଦେବା ସାଙ୍ଗକୁ ଭାରତର ପ୍ରାଥମିକ ଶକ୍ତିକେନ୍ଦ୍ର ଭାବେ ସମ୍ମାନଜନକ ସ୍ଥିତି ଲାଭ କରିବ।
କୋଷ୍ଟାଲ୍ ହାଇୱେର ପରବର୍ତ୍ତୀ ସ୍ଥାନ ହେଲା ଅସ୍ତରଙ୍ଗ ଏବଂ କୋଣାର୍କ। ସୂର୍ଯ୍ୟ ଉପାସନାର ଅନ୍ୟତମ ସ୍ଥଳ ତଥା ଅପ୍ରତିମ ସ୍ଥାପତ୍ୟ ଓ ଐତିହ୍ୟର ମୂକ ସାକ୍ଷୀ କୋଣାର୍କ ବିଶ୍ୱବନ୍ଦିତ। କୋଣାର୍କରେ ପର୍ଯ୍ୟଟନର ଉନ୍ନତି ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ତରଫରୁ ୨୦୧୮ରେ ଏକ ଅତ୍ୟାଧୁନିକ ଓ ବିଶ୍ୱସ୍ତରୀୟ ‘ଇଣ୍ଟରପ୍ରିଟେସନ ସେଣ୍ଟର’ ଯାହା ‘ଅର୍କକ୍ଷେତ୍ର’ ନାମରେ ନାମିତ, ଲୋକାର୍ପିତ ହୋଇସାରିଛି। ସେଠାରୁ ପୁରୀଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣା ପାଇବା ସମସ୍ତଙ୍କ ପାଇଁ ଅନ୍ୟତମ ଆକର୍ଷଣ। ତା’ ପରେ ଅନନ୍ୟ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଏକ ମନଲୋଭା ଅଭିଜ୍ଞତା ଦେବାରେ ସମର୍ଥ। କିଛି ଦିନ ତଳେ, ଚିଲିକାର ମଙ୍ଗଳାଯୋଡ଼ିଠାରେ ଡଲଫିନ୍ ଓ ପକ୍ଷୀ-ପର୍ଯ୍ୟଟନ ତଥା ପରିବେଶ ସୁରକ୍ଷା ପାଇଁ ଏନ୍‌ଜିଓ ତରଫରୁ ସଂରକ୍ଷଣ କାମ ହାତକୁ ନିଆଯାଇସାରିଛି। ଚିଲିକାଠାରେ ଉପଲବ୍ଧ ସୁସ୍ୱାଦୁ ସାମୁଦ୍ରିକ ଖାଦ୍ୟ ଓଡ଼ିଶାର ବ୍ୟଞ୍ଜନ ପରମ୍ପରାର ଅନ୍ୟତମ ପ୍ରତୀକ। ଏହା ଖୁସିର କଥା ଯେ ସାମୁଦ୍ରିକ ଖାଦ୍ୟ ପରଷୁଥିବା ଢାବାମାନଙ୍କରେ ପ୍ରଦୂଷଣରହିତ ଏବଂ ପରିବେଶ-ଅନୁକୂଳ ରନ୍ଧନ ଗ୍ୟାସ ବ୍ୟାପକ ଭାବରେ ବ୍ୟବହାର ହେଉଛି। ଏହା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସୁଫଳ ଦର୍ଶାଏ। ଏହି ରାଜମାର୍ଗର ଶେଷ ପର୍ଯ୍ୟାୟରେ ଆସେ ସୌନ୍ଦର୍ଯ୍ୟମୟୀ ସ୍ଥାନ ରମ୍ଭା ଏବଂ ତାର ପାର୍ଶ୍ବରେ ଥିବା ମନଲୋଭା ଆଇଜର୍‌ର ନୂତନ କ୍ୟାମ୍ପସ। ପରିଶେଷରେ ଗୋପାଳପୁରର ସ୍ୱଚ୍ଛ, ଦୀର୍ଘ ଏବଂ ନୈସର୍ଗିକ ବେଳାଭୂମି ସମସ୍ତଙ୍କ ପାଇଁ ଆକର୍ଷଣର ମୁଖ୍ୟ କେନ୍ଦ୍ର।
ସାମଗ୍ରିକ ଭାବରେ ଦେଖିବାକୁ ଗଲେ, ଦୀଘା- ଗୋପାଳପୁର କୋଷ୍ଟାଲ୍ ହାଇୱେ ବିକାଶର ଏକ ସମ୍ଭାର ନେଇ ଉଦ୍ଭାସିତ ହେଉଛି। ପର୍ଯ୍ୟଟନ, ଐତିହ୍ୟ, ସଂସ୍କୃତି, ଶିକ୍ଷା, ବିଜ୍ଞାନ, ଧାର୍ମିକ ଚେତନା ତଥା ଅର୍ଥନୈତିକ ବିକାଶର ସମାହାରରେ ପୁଷ୍ଟ ଓଡ଼ିଶାର ଏହି କୋଷ୍ଟାଲ୍ ହାଇୱେ ଓଡ଼ିଶାର ବିକାଶରେ ଏକ ମୂଲ୍ୟବାନ ସ୍ତମ୍ଭ ଭାବେ ପ୍ରତିଷ୍ଠିତ ହେବ- ଏହା ନିଃସନ୍ଦେହ। ଏହାଛଡ଼ା ଏହାଦ୍ୱାରା ରୋଜଗାରର ନୂତନ ଅବସର ସାଙ୍ଗକୁ ଉଦ୍ୟୋଗ ସୃଷ୍ଟି ମଧ୍ୟ ହେବ। ଏହା ୫ଟି ବନ୍ଦରକୁ ସଂଯୋଗ କରିବା ସାଙ୍ଗକୁ, ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର, ଟେକ୍ସଟାଇଲ୍ ପାର୍କ, ଖାଦ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ପାର୍କକୁ ମଧ୍ୟ ସଂଯୋଗ କରିବ। ଏହାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ମୂଲ୍ୟବାନ ଜନଜୀବନକୁ ବଂଚେଇବାରେ ଅଗ୍ରଣୀ ଭୂମିକା ନେବ।
ଓଡ଼ିଶାକୁ ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ କରି ତା’ର ଗୌରବମୟ ଭବିଷ୍ୟତ ନିର୍ମାଣ ପାଇଁ ବ୍ରତୀ ହୋଇଥିବା ପୂଜ୍ୟ ମନୀଷୀମାନଙ୍କ ପରିକଳ୍ପିତ ସମୃଦ୍ଧ ଓଡ଼ିଶା ନିର୍ମାଣ ଦିଗରେ ଏହି କୋଷ୍ଟାଲ୍ ହାଇୱେ ଏକ ଫଳପ୍ରସୂ ଓ ଅନନ୍ୟ ପ୍ରୟାସ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories