ସତ୍ୟମେବ ଜୟତେ
ଉପେନ୍ଦ୍ର ବିଶ୍ବାଳ
‘ଭିକ୍ଷାଂ ଦେହି, ଭିକ୍ଷାଂ ଦେହି’ ଡାକରେ ନବବଧୂଟି ଦୌଡ଼ି ଆସେ ଦ୍ବାରଦେଶକୁ। ଦେଖେ, ଦଣ୍ଡାୟମାନ ଜଣେ ସାଧୁୁ-ମହାତ୍ମା। ସାଧୁଜନଙ୍କ ପ୍ରତି ବୋହୂଟିର ଥାଏ ବହୁତ ଭକ୍ତିଭାବ। ଆଗ୍ରହରେ ଘରୁ କିଛି ଫଳ ଓ ତଣ୍ଡୁଳ ଆଣି ଦେଉଦେଉ କହିଲା- ମହାତ୍ମାଜୀ! ଜୀବନରେ ସୁଖ-ଅମୃତ ପାଇବା ପାଇଁ କିଛି ପରାମର୍ଶ ଦିଅନ୍ତେନି? ମହାତ୍ମାଜଣକ ସହାସ୍ୟ ବଦନରେ କହିଲେ- ଅବଶ୍ୟ, କିନ୍ତୁ ଆଜି ନୁହଁ। ଆସନ୍ତାକାଲି ଠିକ୍ ଏହି ସମୟରେ। ସତକୁ ସତ ତା’ ପରଦିନ ଠିକ୍ ସେହି ସମୟରେ ସାଧୁ ଆସି ପହଞ୍ଚିଗଲେ। ଖୁବ୍ ଶ୍ରଦ୍ଧାରେ ନବବଧୂଟି ପ୍ରସ୍ତୁତ କରି ରଖିଥାଏ ଅତି ସ୍ବାଦିଷ୍ଟ ଖିରି। ମହାତ୍ମାଙ୍କୁ ଦେଖି ଖୁସିରେ ଗଦ୍ଗଦ୍ ହୋଇ ଢାଳଭର୍ତ୍ତି ଖିରି ଆଣି ପହଞ୍ଚିବାରୁ, ସାଧୁ ମଧ୍ୟ ପ୍ରୀତ ବଦନରେ ବଢ଼ାଇଦେଲେ ଭିକ୍ଷା ଥାଳଟିକୁ। ଅସନା ହୋଇଥିବା ଭିକ୍ଷାଥାଳଟିକୁ ଦେଖି ବଧୂଟି କହିଲା- ଦିଅନ୍ତୁ ମହାତ୍ମା, ଥାଳଟିକୁ ସଫା କରିଆଣେ। ସାଧୁ କହିଲେ- ନା, ମାଆ। ତୁମେ ସେହି ଥାଳରେ ହିଁ ଦିଅ। ବଧୂଟି ଆଶ୍ଚର୍ଯ୍ୟରେ କହିଲା- ଅପରିଷ୍କାର ଥାଳରେ ଖିରିତକ ନଷ୍ଟ ହୋଇଯିବ ଯେ? ସେଇଠୁ ସାଧୁ କହିଲେ- ହଁ ମାଆ, ମୁଁ ସେହିକଥା ହିଁ ତ କହୁଥିଲି। ମନରୂପକ ଥାଳରେ ମଇଳା ଜମାଥିଲେ ତୁମେ ସୁଖ-ଅମୃତ ପାନ କରିପାରିବ କିପରି? ଜୀବନରେ ଅମୃତର ସ୍ବାଦ ପାଇବାକୁ ହେଲେ, ମନକୁ ସ୍ବଚ୍ଛ ରଖିବାକୁ ହେବ। ସେଥିପାଇଁ ସତ୍ୟର ଅନ୍ବେଷଣ, ସତ୍ୟର ଅନୁସରଣ କରିବାକୁ ହେବ। ମନମଧ୍ୟରେ ବସା ବାନ୍ଧୁଥିବା କ୍ରୋଧ, ହିଂସା, ଈର୍ଷା, େଦ୍ବଷ, ଛଳ, ଛନ୍ଦ ଆଦି ମଇଳାକୁ ସଫା କରିବାକୁ ହେଲେ ସତ୍ୟର ସାହାରା ନେବାକୁ ହେବ। ଜୀବନରେ ସୁଖଶାନ୍ତି- ସମୃଦ୍ଧି-କଲ୍ୟାଣ ଅବଶ୍ୟ ମିଳିବ, ମଣିଷ ଯଦି ଦୁର୍ବୁଦ୍ଧି, ଦୁର୍ବୃତ୍ତିଠାରୁ ଦୂରେଇ ରହେ। ତାହା ଅବଶ୍ୟ ସମ୍ଭବ, ଯଦି ସେ ସତ୍ୟମାର୍ଗୀ, ସତ୍ୟଦର୍ଶୀ ହୁଏ। ଶାସ୍ତ୍ରରେ ସେଥିପାଇଁ ଦର୍ଶାଯାଇଛି- ମନ ଏବ ମନୁଷ୍ୟାଣାଂ କାରଣଂ ବନ୍ଧମୋକ୍ଷୟୋଃ; ଅର୍ଥାତ୍, ମନ ହିଁ ମଣିଷର ବନ୍ଧନ ଓ ମୁକ୍ତିର କାରଣ। ମନ ହିଁ ମଣିଷର ଉନ୍ନତି ଓ ଅବନତିର କାରଣ। ଆହୁରି କୁହାଯାଇଛି- ମନଃ ସେତ୍ୟନ ଶୁଦ୍ଧ୍ୟତି। ସତ୍ୟ ଦ୍ବାରା ମନ ଶୁଦ୍ଧି ହୁଏ। ସତ୍ୟର ଜଳରେ ମନର ମଇଳାକୁ ସଫା କରାଯାଇଥାଏ। ଯେମିତି ସାଧାରଣ ପାଣିକୁ ବିଶୁଦ୍ଧ ପାନୀୟରେ ପରିଣତ କରିବାକୁ ହେଲେ ଫିଲଟର୍ ବା ଶୋଧନର ବ୍ୟବସ୍ଥା କରାଯାଇଥାଏ, ଠିକ୍ ସେହିପରି ବ୍ୟକ୍ତିର ପ୍ରଗତି ପାଇଁ ଜୀବନର ପ୍ରତିଟି ପଦକ୍ଷେପକୁ ସତ୍ୟର ଫିଲଟର ଦ୍ବାରା ପରିଷ୍କୃତ କରିବାକୁ ହେବ। ଫଳରେ, ଆମେ ଦିବ୍ୟତ୍ବରେ ରୂପାନ୍ତରିତ ହୋଇପାରିବା। ପ୍ରତିଟି ମଣିଷ ଭିତରେ ଦିବ୍ୟତ୍ବ ଥାଏ, ସୈତାନପ୍ରବୃତ୍ତି ବି ଛପିକି ରହିଥାଏ। ସୈତାନପଣ ସଦା ଚାହିଁକି ରହିଥାଏ ନିଜର ଉପସ୍ଥିତି ଜାହିର କରିବାକୁ ଓ ବ୍ୟାକୁଳ ହୋଇ ସୁଯୋଗ ଉଣ୍ଡୁଥାଏ। ସେଇଥିପାଇଁ ଖୁବ୍ ସହଜରେ ତା’ ଜାଲରେ ପଡ଼ିଯାଉ ଓ ଆମେ ଆପଣାଇ ନେଇଥାଉ ଅସତ୍ପଥକୁ। ସୈତାନଗୁଣ ଖୁବ୍ ପ୍ରଭାବୀ ଥିବାରୁ ତା’ ଶିକାରରେ ଶୀଘ୍ର ପଡ଼ିଯାଉ ଅସାବଧାନତାରେ; ଅଥଚ ନମ୍ରଭାବରେ ନିହିତ ଥାଏ ଦିବ୍ୟତ୍ବ ଭାବ, ଆମ ହୃଦୟ କନ୍ଦରରେ। ଗିଲାସେ ପାଣିରେ ଆମେ କିଛି ଚିନି ପକାଇଲେ, ଗିଲାସର ତଳଭାଗରେ ତାହା ବସିଯାଏ। ତାକୁ ଚାମଚରେ ଭଲଭାବେ ଘାଣ୍ଟିଦେଲେ, ଚିନିର ମିଷ୍ଟତା ସହଜରେ ଜଳରେ ବ୍ୟାପିଯିବ। ସେହିପରି ବିବେକ ରୂପକ ଚାମଚରେ ଭାବନାରେ ଜଳକୁ ଘାଣ୍ଟିଲେ, ଦିବ୍ୟତ୍ବ ଖେଳିଯିବ ଆମ ଦେହରେ। ମଣିଷ ଶରୀରରେ ମନ ଏପରି ଏକ ମାଧ୍ୟମ ଯାହାଦ୍ବାରା ସେହି ମଣିଷ ଚୋରି କରୁଛି, ପାପ କରୁଛି, ଭ୍ରଷ୍ଟାଚାର, ଅନୀତି କରୁଛି। ପୁଣି ସେହି ମଣିଷ ସାଧୁ, ପରୋପକାରୀ, ମହାତ୍ମା ହେଉଛି। ଏହା ହେଉଛି ମନର କ୍ରିୟା। ମନର ବଶ ହେଲେ ଅସୁର। ମନକୁ ବଶ କଲେ ସୁର ବା ଦେବତା। ଶ୍ରୀମଦ୍ ଭାଗବତରେ ମଧ୍ୟ ସେଇ କଥାକୁୁ ଆହୁରି ସରଳ ଭାବେ ବୁଝାଯାଇଛି- ‘ମନକୁ ଜିଣିଲେ ସଂସାରେ, ସବୁ ଜିଣି ପାରିବୁ। ମନକୁ ଆୟତ୍ତ ନ କଲେ, ତିନିପାଞ୍ଜିରୁ ଯିବୁ।’ ସତ୍ୟର ଚାବୁକରେ ବିବେକକୁ ସକ୍ରିୟ କରାଇଲେ ମନ ବୋଲ ମାନିଯାଏ। ମନ ଉପରେ ସତ୍ୟର ଯେଉଁ ପ୍ରଭାବ ତାହା ହେଉଛି, ଶିବ ଚେତନା ଯାହାକି ମଙ୍ଗଳର ଉତ୍ସ। ଆନନ୍ଦର ଆଧାର।
ଯେଉଁଠି ସତ୍ୟ ଅଛି, ସେଇଠି ନ୍ୟାୟ ଅଛି। ଯେଉଁଠିି ନ୍ୟାୟ, ସେଇଠି ଧର୍ମ। ଧର୍ମ ଅଛି ମାନେ ସଦ୍ଭାବ ଅଛି। ଯେଉଁଠି ସଦ୍ଭାବ ଅଛି, ସେଇଠି ଈଶ୍ବର ଅଛନ୍ତି। ଏହିପରି, ସତ୍ୟ ହିଁ ଆମ ଜୀବନକୁ ଉଦ୍ଭାସିତ କରେ। ସଦ୍ଗୁଣ ହିଁ ଆମ ସ୍ବରୂପକୁ ସୂଚିତ କରେ। ଭଲ ଆଚାର ଯେମିତି ଜିହ୍ବାର ତୃପ୍ତି ସାଧନ କରେ, ସେମିତି ସତ୍ ଆଚାର ଆମ ଆତ୍ମାକୁ ତୃପ୍ତି ଦେଇଥାଏ। ଏହି ସତ୍ ଆଚାର, ସଦ୍ଗୁଣ ହିଁ ଆମ ଜୀବନକୁ ମଧୁମୟ କରେ। ଆମ ଜୀବନ ମଧୁମୟ ହେଲେ, ବିଶ୍ବ ମଧ୍ୟ ମଧୁମୟ ହୋଇଉଠିବ। ସ୍ବଭାବ କବିଙ୍କ ଭାଷାରେ- ବିଶ୍ବଦେଖ ମଧୁମୟରେ ଜୀବନ, ବିଶ୍ବଦେଖ ମଧୁମୟ/ମଧୁର ଝରଣ କରିବ ହରଣ, ତୋ ପାପ ମରଣ ଭୟ; ଅର୍ଥାତ୍ ସତ୍ୟକୁ ସାରଥି କଲେ ପାପଭରା ଦୁନିଆରେ ମରଣର ଭୟ ଆମକୁ ଗ୍ରାସ କରିବ ନାହିଁ। ସତ୍ୟକୁ ସାଦରେ ଗ୍ରହଣ କରିବାକୁ ସୂର୍ଯ୍ୟଦେବ ମଧ୍ୟ ଆମକୁ ସେହି ପରାମର୍ଶ ଦେଇଥା’ନ୍ତି। ଚାରିଆଡ଼େ ବିଛାଇ ହୋଇପଡ଼େ ସୂର୍ଯ୍ୟଙ୍କ କିରଣ। ଜଳାଶୟମାନଙ୍କରୁ ସେ କେବଳ ସତ୍ ସାମଗ୍ରୀ ‘ଜଳ’କୁ ହିଁ ବାଷ୍ପ ଆକାରରେ ଶୋଷି ନିଅନ୍ତି (ମେଘ ସୃଷ୍ଟି ପାଇଁ)। ବାକି, ଆଉ ସବୁ ପଦାର୍ଥ ଯଥା- ବାଲି, ଗୋଡ଼ି, ମାଟିକୁ ଛାଡ଼ିଦିଅନ୍ତି। ସ୍ପଷ୍ଟଭାବେ ବୁଝିବାପାଇଁ ଆହୁରି ଆସନ୍ତୁ ଆମ ଘରମାନଙ୍କୁ ଦେଖିବା। ଘରମାନଙ୍କରେ ଆମର ଦ୍ବାର ଅଛି, ଝରକା ଅଛି। ଉପଯୁକ୍ତ ବାୟୁ ଓ ଆଲୋକର ଚଳାଚଳ ପାଇଁ ଗବାକ୍ଷ ଗଢ଼ା। ଦ୍ବାର ରହିଥାଏ, ବନ୍ଧୁବାନ୍ଧବ, ଶୁଭେଚ୍ଛୁ ତଥା ଆମ ସମସ୍ତଙ୍କର ଚଳପ୍ରଚଳର ସୁବିଧା ପାଇଁ। ମାତ୍ର ଶତ୍ରୁ ବା ଅନିଷ୍ଟକାରୀ ପ୍ରାଣୀ, ଯଥା କୁକୁର, ଘୁଷୁରି ଆଦି ଜୀବଙ୍କ ପାଇଁ ନୁହଁ। ସେମିତି, ଦେହରୂପକ ଘର ଭିିତରକୁ କ’ଣ ପ୍ରବେଶ ଅନୁମତି ଦେଲେ ଆମ ମଧ୍ୟେ ସ୍ବଚ୍ଛତା ବିରାଜମାନ କରିବ, ଦିବ୍ୟତ୍ବ ଚହଟି ଉଠିବ, ତାହା ନିର୍ଭର କରେ ଆମର ସତ୍ୟ ପ୍ରତି ନିଷ୍ଠା, ସତ୍ୟାନ୍ବେଷୀ ଭାବ ଦ୍ବାରା।
ଅତଏବ ସତ୍ୟ ହେଉଛି ଜ୍ଞାନ। ଅସତ୍ୟ ହେଉଛି ଅଜ୍ଞାନ। ସତ୍ୟ ହିଁ ଜୀବନ, ଅସତ୍ୟ ହିଁ ମୃତ୍ୟୁ। ସେଇଥିପାଇଁ ତ ‘ସତ୍ୟମେବ ଜୟତେ’ ହେଉଛି ଆର୍ଯ୍ୟାବର୍ତ୍ତର ଜୟଘୋଷ। ସର୍ବଂ ଖଳିଦଂ ସତ୍ୟମ୍- ଅର୍ଥାତ୍ ଯେଉଁଠି ସତ୍ୟ, ସେଇଠି ସବୁ କିଛି। ଯେଉଁଠି ସତ୍ୟ ନାହିଁ, ସେଇଠି କିଛି ନାହିଁ। ସତ୍ୟକୁ ସାଥି କଲେ ଜୀବନଯୁଦ୍ଧରେ ଆମେ ଜୟୀ ହେବା। ବାପୁଜୀଙ୍କ ଶେଷ ଜୀବନର ସ୍ବୀକାରୋକ୍ତି ଶୁଣିବା ଆସନ୍ତୁ- ‘ମୁଁ ଭାବୁଥିଲି ଈଶ୍ବର ହିଁ ସତ୍ୟ; ମାତ୍ର ପରେ ହୃଦ୍ବୋଧ କଲି ସତ୍ୟ ହିଁ ଈଶ୍ବର।’
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ବର
[email protected]