ଯେଉଁ ଗଧକୁ ସେଇ ଗଧ
ଶ୍ୟାମସୁନ୍ଦର ଅଗ୍ରୱାଲା
ଏ ବର୍ଷ ଆରମ୍ଭରୁ ଟିଭିର ଦୁଇଟି ପ୍ରମୁଖ ଚାନେଲ ମାଧ୍ୟମରେ ନୂତନ ବର୍ଷକୁ ସ୍ବାଗତ ଜଣେଇ, ‘ଧୁମ-୨୦୧୯’ ଓ ଭଗବତୀ ଜାଗରଣ- ‘ଏକ ସାମ୍ ମା’ କେ ନାମ୍’, ଭଳି ଦୁଇଟି କାର୍ଯ୍ୟକ୍ରମର ମାତ୍ର ଦୁଇ ତିନିଘଣ୍ଟାର ବ୍ୟବଧାନ ଭିତରେ ଦେଖିବାର ସୌଭାଗ୍ୟ ମିଳିଲା। ଦୁଃଖର କଥା ଦୁଇଟିଯାକ କାର୍ଯ୍ୟକ୍ରମର ଜୀବନ୍ତ ଦୃଶ୍ୟ ଆଖି ସାମ୍ନାରେ ଖେଳିଗଲାବେଳେ ତାଙ୍କ ଭିତରେ ବିଶେଷ କିଛି ପାର୍ଥକ୍ୟ ଥିବା ଜଣାପଡ଼ିଲା ନାହିଁ। ନୂଆବର୍ଷ କାର୍ଯ୍ୟକ୍ରମ ‘ଧୁମ ୨୦୧୯’ରେ ନୂତନତ୍ବର କୌଣସି ଉନ୍ମାଦନା ନଥିଲା କି ଭଗବତୀ ଜାଗରଣ ‘ଏକ ସାମ୍ ମା’ କେ ନାମ’ରେ ଭକ୍ତିର କୌଣସି ସୂଚନା ନଥିଲା। ଗୋଟିଏ ଅତ୍ୟନ୍ତ ଚାକଚକ୍ୟପୂର୍ଣ୍ଣ ଓ ଅନ୍ୟଟି ଅତ୍ୟନ୍ତ ଆଧ୍ୟାତ୍ମିକ ହେବା ପରିବର୍ତ୍ତେ ଦୁଇଟିଯାକ କାର୍ଯ୍ୟକ୍ରମରେ ଦର୍ଶକମାନେ କେବଳ ଉନ୍ମାଦ ହୋଇ ସଙ୍ଗୀତର ତାଳେତାଳେ ଉଦ୍ଦଣ୍ଡ ନୃତ୍ୟ କରୁଥିଲେ। ସଙ୍ଗୀତ ବନ୍ଦ ହୋଇଯାଉଥିବା ସମୟରେ ଦୁଇଟିଯାକ କାର୍ଯ୍ୟକ୍ରମର ଉଦ୍ଦାମତାରେ କିଛିଟା ଭଟ୍ଟା ପଡ଼ିଯାଉଥିଲା। ସଙ୍ଗୀତ ଆରମ୍ଭ ହୋଇଯାଉଥିବା ମାତ୍ରେ ପୁଣି ସେହି ଉଦ୍ଦଣ୍ଡ ନୃତ୍ୟ ଓ ପୁଣି ସେହି ଉଦ୍ଦାମତା।
‘ଧୁମ ୨୦୧୯’ରେ ନୀଳନୟନା ଐଶ୍ବର୍ଯ୍ୟା ରାୟଙ୍କର କଜ୍ଜ୍ବଳପୂରିତ ଆଖି ଯୋଡିକୁ ବର୍ଣ୍ଣନା କରାଯାଇ ସଞ୍ଚାଳକ ସହିତ ସମସ୍ତେ ଏକ ନୂଆ ରିମିକ୍ସ ସ୍ବରରେ ଗାଇ ଉଠୁଥିଲେ ‘କଜରାରେ, କଜରାରେ, ତେରେ କାରେକାରେ ନୈନା’ ଓ ଠିକ୍ ସେହିପରି ଭଗବତୀ ଜାଗରଣରେ ମା’ ବୈଷ୍ଣୋଦେବୀଙ୍କ ଲାଲ୍ ରଙ୍ଗର ଓଢ଼ଣିକୁ ବର୍ଣ୍ଣନା କରାଯାଇ ଭଜନ ସମ୍ରାଟଙ୍କ ସହିତ ସମସ୍ତେ ସେଇ ସ୍ବରରେ ଗାଇ ଉଠୁଥିଲେ ‘ଚୁନରୀରେ, ଚୁନରୀରେ ତେରେ ଲାଲି ଲାଲି ଚୁନରୀ।’ ଦୁଇଟିଯାକ କାର୍ଯ୍ୟକ୍ରମେର ସମାନ ଧରଣର ବ୍ୟାଣ୍ଡପାର୍ଟି, ସମାନ ଉଚ୍ଚ ଆୱାଜ୍ରେ ଲାଉଡ୍ସ୍ପିକରଗୁଡ଼ିକ ଚତୁର୍ଦିଗକୁ ମୁହଁକରି ଚିତ୍କାର କରୁଥିଲେ। ତା’ରି ତାଳେତାଳେ ଝୁମି ଉଠୁଥିଲେ ହଲ୍ ଭିତରେ ଖୁନ୍ଦାଖୁନ୍ଦି ହୋଇ ଉପସ୍ଥିତ ଥିବା ଆବାଳବୃଦ୍ଧବନିତା। ଦୁଇଟିଯାକ କାର୍ଯ୍ୟକ୍ରମରେ ଶ୍ରୋତାଙ୍କ ଅନୁରୋଧକ୍ରମେ ଗୀତ ଓ ସଙ୍ଗୀତର ପରିବର୍ତ୍ତନ ହେଉଥିଲା। ନୂଆବର୍ଷରେ ଭାସିଆସୁଥିଲା ସଞ୍ଚାଳକଙ୍କ ରିମିକ୍ସ ସ୍ବରରେ ‘ମେରେ ଅଙ୍ଗନେ ମେ ତୁହ୍ମାରା କ୍ୟା କାମ୍ ହୈ’ ଆଉ ଏପଟେ ତାକୁ ତାଳ ଦେଇ ମାଆଙ୍କ ଜାଗରଣରେ ନରନାରୀମାନେ ମଧ୍ୟ ଗାଇ ଉଠୁଥିଲେ ‘ମେରେ ଭୋଲେ ବାବା, ତୁହ୍ମାରା କ୍ୟା ନାମ ହୈ।’ ଏଠି ଅରମାନୀ କମ୍ପାନୀର ସୁଟ୍ ତ ସେଠି ଡିଜାଇନର୍ କୁର୍ତ୍ତା ପାଇଜାମା। ଏଠି ନୁଡଲ୍ ଷ୍ଟ୍ରାପ୍ ଟପ୍ ତ ସେଠି ସତ୍ୟପାଲ୍ଙ୍କ ଓଁକାର ଛାପା ଶାଢ଼ି। ଏଠି ମିକା ସିଂହ ତ ସେଠି ନରେନ୍ଦ୍ର ଚଞ୍ଚଲ, ଏଠି ନେହା କକ୍କର ତ ସେଠି ସୁଶ୍ରୀ ରାଧେକିଶୋରୀ। ସମସ୍ତେ ନାଚ ଓ ସଙ୍ଗୀତରେ ଭୋଳ ହୋଇଥିଲେ। ହଠାତ୍ ଦେଖିଲେ କେହି ଜାଣିପାରିବ ନାହିଁ ଯେ କେଉଁଟା ଧୁମ୍ ୨୦୧୯ ଆଉ କେଉଁଟା ଭଗବତୀ ଜାଗରଣ।
ଏହି ଦୁଇଟି କାର୍ଯ୍ୟକ୍ରମର ପ୍ରସ୍ତୁତି ପର୍ବର ମଧ୍ୟ ଏକ ଅଭୂତପୂର୍ଣ୍ଣ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ। ସହରର ମୁଖ୍ୟ ରାସ୍ତା ଉପରେ ଏମାନଙ୍କର ହୋର୍ଡିଂମାନ ଲାଗିଥାଏ। କେଉଁଠି ମାଦକ ଦ୍ରବ୍ୟ ଆନୁକୂଲ୍ୟରେ ତ କେଉଁଠି ପ୍ରସିଦ୍ଧ ଧୂପକାଠିର ସୌଜନ୍ୟରେ। କେଉଁଠି ସ୍ବଳ୍ପବସ୍ତ୍ର ପରିହିତା ଆଇଟମ୍ ଗାର୍ଲ ନାଚୁଛି ତ କେଉଁଠି ବସନ୍ତୀ ରଙ୍ଗର ଶାଢ଼ି ପିନ୍ଧି ସୁନ୍ଦର ଝିଅଟେ ଭଜନ ପରିବେଷଣ କରୁଛି। ନୂଆବର୍ଷର ଡିସ୍କୋ ପରେ ଡିନର ଓ ଜାଗରଣ ପରେ ପ୍ରସାଦର ମଧ୍ୟ ସୁନ୍ଦର ସାମଞ୍ଜସ୍ୟ ରହୁଛି। ଡିସ୍କୋର ଡିନର ଦାୟିତ୍ବରେ ଯଦି ଫାଇଭ ଷ୍ଟାର ହୋଟେଲର ମୁଖ୍ୟ ରୋଷେୟା ସଞ୍ଜୀବ କାପୁର ରହୁଛନ୍ତି ତେବେ ଭଜନର ଭୋଜନ ଦାୟିତ୍ବ ନେଉଛନ୍ତି କଲିକତାର ଦାମୀ ହଲୱାଇ ମୁନ୍ନା ମହାରାଜ। କେବଳ ଆମିଷଟିକୁ ଛାଡ଼ିଦେଲେ ଦୁଇଟି ଯାକର ସମାନ ଲମ୍ବା ମେନୁ। କାର୍ଯ୍ୟକ୍ରମଏକା ସମୟରେ ସରୁଥିବାରୁ ସମସ୍ତଙ୍କର ଏକା ସାଥିରେ ଖାଇବାକୁ ମରାମରି ଓ ଧକ୍କାପେଲାରେ କାର୍ଯ୍ୟକ୍ରମ ସମାପ୍ତ ହେଉଛି।
ବନ୍ଧୁଗଣ, ସଂକ୍ଷିପ୍ତରେ ଏତିକି କହିବି ଯେ ନୂତନ ବର୍ଷକୁ ଅଭିନନ୍ଦନ ଜଣେଇ ଧୁମ-୨୦୧୯ ହେଉ କି ମାଆଙ୍କ ଜାଗରଣ ହେଉ ଆମର ସବୁ କାର୍ଯ୍ୟକ୍ରମ ନାଚ, ଗୀତ ଓ ତାମସାରେ ଭରପୂର ହୋଇ ରହୁଛି। ଆପଣ ଧୁମ- ୨୦୧୯ରେ ନୂଆବର୍ଷର ନୂତନତ୍ବ ଉପଭୋଗ କରୁନାହାନ୍ତି କି ଭଗବତୀ ଜାଗରଣରେ ମାଆଙ୍କ ଭକ୍ତି ଅନୁଭବ କରୁନାହାନ୍ତି। ଦୁଇଟିଯାକ ଉତ୍ସବ ସମାପ୍ତି ପରେ ଆପଣ ଆପଣଙ୍କର ସାମାନ୍ୟତମ ପରିବର୍ତ୍ତନ ମଧ୍ୟ ଅନୁଭବ କରୁନାହାନ୍ତି। ଗଧଟିଏ କଥା ମନେ ପଡ଼େ। ଗଧଟିଏ ଧୋବାଘରେ କାମ କରୁଥିଲା। ଧୋବା ପ୍ରତିଦିନ କୁଢ଼କୁଢ଼ ମଇଳାଲୁଗା ତା’ ପିଠି ଉପରେ ଲଦି ତୁଠକୁ ଯାଉଥିଲା ଆଉ ଧୁଆେଧାଇ କରି ପୁଣି ତାକୁ ତା’ ପିଠି ଉପରେ ଲଦି ଘରକୁ ଫେରୁଥିଲା। ଗଧଟି ଟିକେ ବୁଢ଼ା ହୋଇଯିବାରୁ ଧୋବା ସେ ଗଧଟିକୁ ଗାଁର ଗୋଟେ ପଣ୍ଡିତଙ୍କୁ ବିକିଦେଲା। ପଣ୍ଡିତ ପ୍ରତଦିନ ବିଭିନ୍ନ ପ୍ରକାର ଧର୍ମଗ୍ରନ୍ଥ ତା’ ପିଠି ଉପରେ ଲଦି ସଭାସମିତିକୁ ଯାଉଥିଲେ ଓ ପ୍ରବଚନ ଦେଇ ପୁଣି ସେଇଗୁଡ଼ିକୁ ତା’ ପିଠି ଉପରେ ଲଦି ଘରକୁ ଫେରୁଥିଲେ। ଏଭଳିୁ ଏକ ମାଲିକର ପରିବର୍ତ୍ତନରେ ଗଧର କିଛି ପରିବର୍ତ୍ତନ ହେଲା କି? ଗଧଟି ମୂର୍ଖରୁ ପଣ୍ଡିତ ହୋଇଗଲା କି? ଓଜନ ବୋହିବା ହିଁ ସାର। ସେ ଓଜନ ଧୋବାର ମଇଳା ଲୁଗାର ହେଉ କି ପଣ୍ଡିତର ଧର୍ମଗ୍ରନ୍ଥର। ଠିକ୍ ସେମିତି ଉଦ୍ଦଣ୍ଡ ନାଚ, ଗୀତ ଓ ତାମ୍ସା ହିଁ ଆମ ଜୀବନର ସାର। ପଞ୍ଚତାରକା ହୋଟଲରେ ଧୁମ-୨୦୧୯ ପାଳନ ହେଉ ବା ମନ୍ଦିରରେ ଭଗବତୀ ଜାଗରଣ ହେଉ, ୟାରି ଭିତରେ ହିଁ ଆମେ ବୁଡ଼ିକି ରହିଲୁ। ନୂଆବର୍ଷ ପୂର୍ବରୁ ଆମେ ଯାହା ଥିଲୁ, ନୂଆବର୍ଷ ପରେ ମଧ୍ୟ ଆମେ ସେଇୟା ରହିଲୁ। ‘କଜରାରେ’ ହେଉ କି ‘ଚୁନରୀରେ’ ହେଉ, ‘ମେରେ ଅାଙ୍ଗନ ମେ’ ହେଉ କି ‘ମେରେ ଭୋଲେ ବାବା’ ହେଉ, ଶେଷକୁ ଆମେ ଯେଉଁ ଗଧକୁୁ ସେଇ ଗଧ ହିଁ ରହିଲୁ।
୯୭, ଜନପଥ, ଭୁବନେଶ୍ବର