www.samajalive.in
Thursday, December 11, 2025
23.1 C
Bhubaneswar

ଟ୍ରମ୍ପଙ୍କୁ ଅଡୁଆ

ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରେଟିକ୍ ପାର୍ଟି ପ୍ରତିନିଧି ସଭା ବା କଂଗ୍ରେସର ନିମ୍ନ ସଦନ ‘ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍’ରେ ସଂଖ୍ୟାଗରିଷ୍ଠତା ହାସଲ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବଡ଼ ଝଟ୍‌କା ଦେଇଛି। ତେବେ ସିନେଟ୍‌ ବା ଉଚ୍ଚ ସଦନରେ ରିପବ୍ଲିକାନ ପାର୍ଟି ନିଜର ଆଧିପତ୍ୟକୁ ବଳବତ୍ତର ରଖିପାରିଛି। ଆଠବର୍ଷ ପରେ ଡେମୋକ୍ରେଟିକ୍ ପାର୍ଟି ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିବା ଅନେକ ଦିଗରୁ ଉଲ୍ଲେଖନୀୟ। ଏହି ମଧ୍ୟବର୍ତ୍ତକାଳୀନ ନିର୍ବାଚନକୁ ଟ୍ରମ୍ପଙ୍କ ପାଇଁ ଜନମତ ସଂଗ୍ରହ ଭାବେ ମଧ୍ୟ ଲୋକେ ଦେଖୁଥିଲେ; କାରଣ ତାଙ୍କର ନୀତିଗୁଡ଼ିକ ବହୁ କ୍ଷେତ୍ରରେ ବିବାଦୀୟ ହୋଇପଡ଼ିଥିଲା। ଡେମୋକ୍ରାଟଙ୍କ ଏହି ବିଜୟ ତାଙ୍କର ଦୁଇବର୍ଷିଆ ନିରଙ୍କୁଶ କାର୍ଯ୍ୟର ପରିସମାପ୍ତି ଘଟାଇଛି। ଏବେ ଟ୍ରମ୍ପ୍‌ ନିଜର ମନଇଚ୍ଛା ନୀତି ବା ଆଇନକାନୁନ ନିର୍ଦ୍ଧାରଣ କରିପାରିବେ ନାହିଁ। ଏବେ ପ୍ରତିନିଧି ସଭାରେ ଡେମୋକ୍ରେଟିକ୍ ପାର୍ଟି ଟ୍ରମ୍ପ୍ ପ୍ରଶାସନର ପ୍ରତ୍ୟେକ ନୀତିର ଗଭୀର ପର୍ଯ୍ୟବେକ୍ଷଣ କରିପାରିବେ। ଆଇନ ପ୍ରଣୟନ ହେବା ପୂର୍ବରୁ ସେମାନେ ତା’ର ଭଲମନ୍ଦ ଆଲୋଚନା କରିବେ। ଏପରିକି ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିଗତ ବ୍ୟବସାୟ ଓ ଆର୍ଥିକ ମାମଲାଗୁଡ଼ିକର ତଦନ୍ତ କରିପାରିବେ। ରୁଷ ସହ ତାଙ୍କର ବିବାଦୀୟ ସମ୍ପର୍କ ନେଇ ମଧ୍ୟ ଖୋଳତାଡ଼ କରିବାର ସମ୍ଭାବନା ରହିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଡେମୋକ୍ରେଟିକ୍ ପାର୍ଟି ଏବେ ପ୍ରତିନିଧି ସଭାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିପାରିବ।
ସିନେଟରେ ସଂଖ୍ୟାଗରିଷ୍ଠତା ହାସଲ ପରେ ରାଷ୍ଟ୍ରପତି ଟ୍ରମ୍ପ୍ ତାକୁ ‘ଐତିହାସିକ ବିଜୟ’ ଆଖ୍ୟା ଦେଇଛନ୍ତି; କିନ୍ତୁ ତାଙ୍କ ପାଇଁ ଆଗାମୀ କାର୍ଯ୍ୟକାଳ ଯେ ପୂର୍ବପରି ନିଷ୍କଣ୍ଟକ ହେବନାହିଁ, ତାହା ନିଶ୍ଚିତ। ଡେମୋକ୍ରେଟିକ୍ ପାର୍ଟିର ନେତ୍ରୀ ନାନ୍‌ସି ପେଲୋସି ବିଜୟ ପରବର୍ତ୍ତୀ ବକ୍ତବ୍ୟରେ କହିସାରିଛନ୍ତି ଯେ ଆମେରିକୀୟ ସମ୍ବିଧାନ ଅନୁସାରେ ଟ୍ରମ୍ପ୍ ପ୍ରଶାସନର ବେଆଇନ କାର୍ଯ୍ୟ ଉପରେ ସେ ଲଗାମ ଲଗାଇବାକୁ ଚେଷ୍ଟା କରିବେ। ତାଙ୍କ ଦଳ ସ୍ବାସ୍ଥ୍ୟ, ଶିକ୍ଷା, ଅର୍ଥବ୍ୟବସ୍ଥା ଆଦି ଉପରେ ବେଶି ଧ୍ୟାନ ଦେବ। ଡେମୋକ୍ରେଟିକ୍ ପାର୍ଟି ସମସ୍ତଙ୍କୁ ସାଥୀରେ ନେଇ ଚାଲିବ ବୋଲି ମଧ୍ୟ କହିଛନ୍ତି, ଯେଉଁଥିରେ ଟ୍ରମ୍ପ୍ ସାମାନ୍ୟ ଆଶ୍ବସ୍ତ ହୋଇଥିବେ। ଏହି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ୧୨ ଜଣ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଚାରିଜଣ ପୁନଃନିର୍ବାଚିତ ହୋଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଲା ପ୍ରଥମ ଥରପାଇଁ ପ୍ରତିନିଧି ସଭାକୁ ଦୁଇଜଣ ମୁସଲମାନ ମହିଳା ନିର୍ବାଚିତ ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଏହାଦ୍ବାରା ଆମେରିକୀୟ ଗଣତନ୍ତ୍ରର ମାନବୃଦ୍ଧି ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ସେ ଯାହାହେଉ, ଆଗାମୀ ସମୟରେ ଟ୍ରମ୍ପ୍ ଡେମୋକ୍ରାଟଙ୍କୁ ସାଥୀରେ ନେଇ କିଭଳି ଶାସନ ପରିଚାଳନା କରୁଛନ୍ତି, ତାହା ଦେଖିବା କଥା।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories