www.samajalive.in
Monday, December 8, 2025
24.1 C
Bhubaneswar

ବିରୋଧୀ ମହାମେଣ୍ଟ

ରାଜନୀତିରେ କେହି ଚିର ଶତ୍ରୁ କି ଚିର ମିତ୍ର ନୁହନ୍ତି, ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଗତ ଗୁରୁବାର ତେଲଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏକ ନୂତନ ବିରୋଧୀ ମହାମେଣ୍ଟ ଗଠନ ପାଇଁ ପ୍ରୟାସ ଆରମ୍ଭ କରିବା ଏହାରି ଅନ୍ତର୍ଗତ। ରାଜୀବ ଗାନ୍ଧୀଙ୍କ କଂଗ୍ରେସକୁ ନିର୍ବାଚନରେ ପରାଜିତ କରିବାପାଇଁ ଟିଡିପି ପ୍ରତିଷ୍ଠାତା ଏନ ଟି ରାମାରାଓ ବିରୋଧୀ ମହାମେଣ୍ଟ ଗଠନ ପ୍ରୟାସର ତିନି ଦଶନ୍ଧି ପରେ ତାଙ୍କ ଜାମାତା ଶ୍ରୀ ନାଇଡୁ ଏବେ ଠିକ୍ ସମାନ ଧରଣର ଚେଷ୍ଟା ବିଜେପି ବିରୋଧରେ କରୁଛନ୍ତି। ଏହି କ୍ରମରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ସମେତ ଏନସିପି ମୁଖ୍ୟ ଶରଦ ପୱାର, ନେସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ ଏବଂ ସିପିଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀଙ୍କ ସହ ସାକ୍ଷାତ-ଆଲୋଚନା କରିବା ଉଲ୍ଲେଖନୀୟ। ରାହୁଳଙ୍କୁ ସାକ୍ଷାତ କରିବା ପରେପରେ ଶ୍ରୀ ନାଇଡୁ ତାଙ୍କ ଉଦ୍ଦେଶ୍ୟ ସମ୍ପର୍କରେ ଯାହା କହିଛନ୍ତି, ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତାଙ୍କ ଭାଷାରେ, ସବୁ ବିରୋଧୀ ଦଳଙ୍କୁ ଏକାଠି କରିବା ବର୍ତ୍ତମାନର ‘ଗଣତାନ୍ତ୍ରିକ ବାଧ୍ୟବାଧକତା’, ଯାହା ଦେଶର ସୁରକ୍ଷା କରିବ। ରାହୁଳଙ୍କ ବକ୍ତବ୍ୟରୁ ମଧ୍ୟ ସ୍ପଷ୍ଟ ଯେ ସେ ଏନଡିଏ ବିରୋଧରେ ଏକ ମଜଭୁତ ମହାମେଣ୍ଟ ଗଠନ ପାଇଁ ସମ୍ମତ। ତେବେ ନିକଟ ଭବିଷ୍ୟତରେ ହେବାକୁ ଯାଉଥିବା ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ଏନଡିଏ ବିରୋଧରେ ହେଉଥିବା ମେଣ୍ଟଗୁଡ଼ିକୁ ନେଇ ଯେଉଁ ସମୀକରଣ ସୃଷ୍ଟି ହେବ, ତାହା ଜାତୀୟ ସ୍ତରରେ କିଭଳି ରୂପ ନେଉଛି ଦେଖିବା କଥା।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ମହାମେଣ୍ଟ ଗଠନ ପ୍ରୟାସ ନୂଆ ନୁହେଁ। ଶ୍ରୀ ନାଇଡୁଙ୍କ ପୂର୍ବରୁ ଶ୍ରୀ ପୱାର ମଧ୍ୟ ବିରୋଧୀ ଦଳଗୁଡ଼ିକୁ ଏକାଠି କରି ଏକ ଅଣବିଜେପି ମେଣ୍ଟ ଗଠନ କରିବାକୁ ଚେଷ୍ଟା କରିଥିଲେ; କିନ୍ତୁ କୌଣସି ନିର୍ଦିଷ୍ଟ ଏଜେଣ୍ଡା ନଥିବାରୁ ଏହା ଫସର ଫାଟିଯାଇଥିଲା। ସେହିପରି ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍) ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ମଧ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରି ମେଣ୍ଟ ସୃଷ୍ଟି ପାଇଁ ଏକଦା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଥିଲେ। ସେ ଜାତୀୟ ସ୍ତରର ବିରୋଧୀ ଦଳ କଂଗ୍ରେସ ସହ କଥାବାର୍ତ୍ତା କରିନଥିବାରୁ ତାହା ମଧ୍ୟ ସଫଳ ହେବାର ନଥିଲା। ଏବେ ଶ୍ରୀ ନାଇଡୁ କଂଗ୍ରେସକୁ ବିଜେପି-ବିରୋଧୀ ମେଣ୍ଟର ମୁଖ୍ୟ ପୁରୋଧା ଭାବେ ଦେଖୁଥିବାରୁ ଏହି ମହାମେଣ୍ଟର ଗଠନ ଓ ବିକାଶ ସକାରାତ୍ମକ ହୋଇପାରେ ବୋଲି କୁହାଯାଇପାରିବ। ଅନ୍ୟ ରାଜନୀତିକ ଦଳର ମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ ସୂଚାଉଛି ଯେ ସେ ଜାତୀୟ ସ୍ତରୀୟ ମହାମେଣ୍ଟ ଗଠନ ପାଇଁ ପ୍ରୟାସରତ।
ଗତ ନିର୍ବାଚନରେ ବିଜେପି ଏନଡିଏକୁ ନେଇ ଯେଉଁ ଦୃଢ଼ ସ୍ଥିତିରେ ରହିଥିଲା, ବର୍ତ୍ତମାନ ତାହା କିଛିଟା ଦୁର୍ବଳ ମନେହେଉଛି। ଏହି ସମୟରେ ବିଜେପି-ବିରୋଧୀ ମହାମେଣ୍ଟ ଗଠନ ନିଶ୍ଚୟ ତାତ୍ପର୍ଯ୍ୟପୂର୍ଣ୍ଣ। ତେବେ ଏହା ସତ ଯେ ଏକ ଜାତୀୟସ୍ତରୀୟ ମେଣ୍ଟ ପାଇଁ ବର୍ତ୍ତମାନ ମଧ୍ୟ ବିରୋଧୀଙ୍କ ଭିତରେ ଯେଉଁ ଏକତା ଆବଶ୍ୟକ, ତାହା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷାରେ, ବିରୋଧୀମାନେ ରାଜନୈତିକ ବଂଶବାଦର ସୁରକ୍ଷାରେ ବ୍ୟସ୍ତ। ପି ନେତୃତ୍ବାଧୀନ ଏନଡିଏ ସରକାର ତାଙ୍କ ଶାସନ କାଳରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଧାରଣା କ୍ରମେ ଜନତାଙ୍କ ଭିତରେ ଦୃଢ଼ ହେଉଛି। ରାଫେଲ ପରି ପ୍ରସଙ୍ଗ ମଧ୍ୟ ବିରୋଧୀଙ୍କ ହାତରେ ରହିଛି। ଏହାକୁ ଧରି ସେମାନେ ବିଜେପି-ବିରୋଧୀ ଦଳଙ୍କୁ ଯଦି ଏକାଠି କରିପାରିବେ, ତାହା ବିଜେପି ପାଇଁ ନିଶ୍ଚୟ ସମସ୍ୟା ସୃଷ୍ଟି କରିବ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories