ବିଦେଶୀଙ୍କ କ୍ୟାମେରାରେ ଆମ ସହର
ପ୍ରମୋଦ କୁମାର ମହାପାତ୍ର
କଟକ ସହରର ମୁଖ୍ୟ ବ୍ୟାବସାୟିକ କେନ୍ଦ୍ର ବକ୍ସିବଜାର ଛକ ଉପରେ ଦୁଇଟି ବିଶାଳକାୟ କଳାଧଳା ଷଣ୍ଢ ଭିତରେ ଲାଗିଥିଲା ଭୀଷଣ ସଂଘର୍ଷ । ଦେଖଣାହାରୀ ଅନେକ। ପଥଚାରୀ, ସ୍କୁଲକଲେଜ ଛାତ୍ରଛାତ୍ରୀ ସର୍ବୋପରି ଗାଡ଼ିମଟର ଛକକୁ ସଂଯୋଗ କରିଥିବା ତିନିପଟର ରାସ୍ତାରେ ଅଟକି ଗଲାଣି । ଉଭୟେ ଉଭୟଙ୍କୁ ଏହି ଯୁଦ୍ଧରେ ପରାସ୍ତ କରିବାରେ ଉଦ୍ୟମରତ । ଭାଗ୍ୟକୁ ପାଖ ଦୋକାନୀ ବାଲ୍ଟିଏ ପାଣି ଆଣି ଷଣ୍ଢ ଦୁଇଟାଙ୍କ ଉପରକୁ ଫୋପାଡ଼ିବା ପରେ ଷଣ୍ଢ ଦୁଇଟି ପାଣିମାଡ଼ରେ ଅସ୍ତବ୍ୟସ୍ତ ହୋଇ ବୀରତ୍ୱସୂଚକ ହମ୍ବା ରଡ଼ି ଦେଇ ସଂଗ୍ରାମ ଶେଷ କରି ବିପରୀତ ଦିଗରେ କ୍ରମେ ଅଗ୍ରସର ହେଲେଣି । ରାସ୍ତାରେ ତିନି ପାଖରେ ଅଟକି ଥିବା ଗାଡ଼ିମଟର, ପଥଚାରୀ ସବୁ ଚଳପ୍ରଚଳ ଆରମ୍ଭ କଲେଣି ।
ଆମେରିକାର ଟେକ୍ସାସ ପ୍ରଦେଶର ଟେକ୍ସରକାନା ସହରର ଏକ ସଭାଗୃହରେ ଆମେ ଏହି ଷଣ୍ଢ ଲଢ଼େଇର ଦୃଶ୍ୟ ଦେଖୁଥିଲୁ । କଟକ ସହର ଭଳି ରାଜ୍ୟର ଏକ ପ୍ରମୁଖ ସାଂସ୍କୃତିକ ସହରର ମୁଖ୍ୟ ରାସ୍ତା ତଥା ସବୁଠାରୁ ଜନଗହଳି ରହିଥିବା ବକ୍ସିବଜାର ଛକରେ ଚାଲିଥିବା ଏଭଳି ଦୃଶ୍ୟ ଦେଖି ବିଚାରବନ୍ତ ଆମେରିକୀୟମାନେ ହସୁନଥିଲେ ମଧ୍ୟ ବିସ୍ମୟପୂର୍ଣ୍ଣ ନୟନରେ ଭାରତର ଏକ ପ୍ରମୁଖ ସହରର ମୁଖ୍ୟରାସ୍ତାରେ ଚାଲିଥିବା ଅବିଶ୍ୱସନୀୟ ଦୃଶ୍ୟକୁ ଅପଲକ ନୟନରେ ଚାହିଁ ରହିଥିଲେ । ଆମେ ମନେମନେ ସେଠାକାର ଅବସ୍ଥା ସହିତ ଆମର ଅବସ୍ଥାକୁ ତୁଳନାକରି ଲଜ୍ଜିତ ହେଉଥିଲୁ । ଏହି ଭିଡ଼ିଓଟିକୁ କିଛି ଦିନ ତଳେ ଓଡ଼ିଶା ଗସ୍ତରେ ଆସି କଟକ ସହରରେ କିଛିଦିନ କଟାଇଥିବା ଜଣେ ଆମେରିକୀୟ ପ୍ରଫେସର ରେକର୍ଡିଂ କରି ନେଇଥିଲେ। ୨୦ ମିନିଟର ଏହି ଭିଡ଼ିଓରେ ବାରବାଟୀ ଷ୍ଟାଡିୟମ୍, ମହାନଦୀ ଓ କାଠଯୋଡ଼ିର ଶୁଷ୍କ ଶଯ୍ୟା ଇତ୍ୟାଦି ତଥା ବାରବାଟୀ କିଲାର ମୁଖଶାଳା ସ୍ଥାନ ପାଇଥିଲା ।
କେବଳ କଟକ ସହର ନୁହେଁ, ସମ୍ବଲପୁରଠାରୁ ଆରମ୍ଭକରି ବ୍ରହ୍ମପୁର ଓ ରାଜ୍ୟର ସବୁ ବଡ଼ବଡ଼ ସହର ରାସ୍ତାରେ ଗାଈଗୋରୁଙ୍କ ଭିଡ଼ ଓ ଷଣ୍ଢ ଲଢେଇ ଦେଖିବା ଆମ ପାଇଁ ଏକ ସାଧାରଣ ଦୃଶ୍ୟ । ହେଲେ ଷଣ୍ଢ ଦେହରେ ହାତ ଦେବ କିଏ ? ସେ ତ ଦେବଦେବ ମହାଦେବଙ୍କ ବାହନ । ତାଙ୍କୁ ଚାରିଖୁଣ ମାଫ୍ । ସେ ସଂପୂର୍ଣ୍ଣ ମୁକ୍ତ, ଶତକଡ଼ା ଶହେ ସ୍ୱାଧୀନ । ତାଙ୍କ ଇଚ୍ଛା ଅନୁସାରେ ସେ ଯୁଆଡ଼େ ଚାହିଁବେ ବୁଲିବେ, ଯେଉଁଠି ପଶିବେ ସେଠାରେ ଖାଇବେ । ପ୍ରତ୍ୟେକ ଦିନ ଷଣ୍ଢ ଲଢ଼େଇ ଦେଖିବା, ସେମାନଙ୍କ ଭୟଙ୍କର ରଡ଼ି ଶୁଣିବା, ଏପରିକି ଜନଗହଳି ଭିତରେ ଜଣେ ଦୁଇଜଣ ଆହତ ହେବା ଆମ ଚଳଣିରେ ଏକ ସାଧାରଣ ଘଟଣା ।
କେବଳ କଟକ ସହର ନୁହେଁ, ଏବେ ଆପଣ ରାଜଧାନୀର ପ୍ରଖ୍ୟାତ ପର୍ଯ୍ୟଟକ କ୍ଷେତ୍ର ନନ୍ଦନକାନନ ଯାତ୍ରା କରନ୍ତୁ । ସେଠାରେ ମଧ୍ୟ ଷଣ୍ଢ ଗାଈଗୋରୁଙ୍କ ଲୀଳାଖେଳା ରାସ୍ତା ଉପରେ ଦେଖିବେ । ଏଠାରେ ଥିବା ଚିଡ଼ିଆଖାନାକୁ ଦେଖିବାକୁ ପ୍ରତ୍ୟେକ ଦିନ ଦେଶବିଦେଶର ହଜାରହଜାର ଲୋକ ଆସନ୍ତି, ମାତ୍ର ଆପଣ ନନ୍ଦନକାନନ ପହଞ୍ଚିବା ମୁଖ୍ୟ ରାସ୍ତାରେ ଆରାମରେ ରାସ୍ତା ଅବରୋଧ କରି ଶୋଇଥିବା, ଚଳପ୍ରଚଳ ହେଉଥିବା, ମଳମୂତ୍ର ତ୍ୟାଗ କରୁଥିବା ଶହଶହ ଗୋମାତା, ସେମାନଙ୍କ ପିଲାକବିଲା, ଷଣ୍ଢ ଇତ୍ୟାଦିଙ୍କୁ ନନ୍ଦନକାନନ ଦର୍ଶନ ପୂର୍ବରୁ ନିଶ୍ଚିତ ଦେଖିବେ । କଟକ ସହର ଭଳି ରାଜଧାନୀର ଅନେକ ଅଞ୍ଚଳରେ ମୁଖ୍ୟରାସ୍ତା ଉପରେ ଗୋମାତା ଓ ଷଣ୍ଢ, ବୁଲାକୁକୁରଙ୍କ ମୁକ୍ତ ଚଳପ୍ରଚଳ ଏକ ସାଧାରଣ ଦୃଶ୍ୟ । ବିଶ୍ୱାସ କରନ୍ତୁ ଆମେ ଆମେରିକାର ଛଅଟି ରାଜ୍ୟ ବୁଲିବା ଭିତରେ କେଉଁଠାରେ ଗାଈ, ଷଣ୍ଢ ବା କୁକୁରଟିଏ ବୁଲୁଥିବାର ଦେଖିନାହୁଁ । ରାସ୍ତା ଉପରକୁ ଏମାନେ ଆସିବା ତ ସେଠାରେ ସ୍ୱପ୍ନ ।
ଆମେରିକାରେ ବକ୍ସିବଜାର ଛକରେ ଷଣ୍ଢ ଲଢ଼େଇ ଦୃଶ୍ୟ ଦେଖି ସାରିବା ପରେ ଅନେକ ଆମେରିକୀୟ ଭଦ୍ରବ୍ୟକ୍ତି ଆଲୋଚନା ପ୍ରସଙ୍ଗରେ ପଚାରିଥିଲେ, “ଆପଣଙ୍କ ସହର ଚମତ୍କାର । ଏଠାରେ କେବଳ ଯାନବାହନ ଚାଲେ ନାହିଁ, ଏହି ରାସ୍ତା ପଶୁମାନଙ୍କ ଦ୍ୱାରା ମଧ୍ୟ ବ୍ୟବହାର ହୁଏ । ଆପଣଙ୍କ ଦେଶର ଗାଡ଼ି ଡ୍ରାଇଭରମାନେ କିଭଳି ଦକ୍ଷ ଓ ପାରଗ ସତେ ! ମାନିବାକୁ ପଡ଼ିବ ସେମାନଙ୍କ ଧୈର୍ଯ୍ୟକୁ ଓ ଡ୍ରାଇଭିଙ୍ଗ ପଦ୍ଧତିକୁ । ଓ ହୋ ! ସେମାନେ ଏଭଳି ରାସ୍ତାରେ କିଭଳି ଗାଡ଼ି ଚଳାନ୍ତି!’’ ସେଦିନ ଆମ ଦେଶର ଡ୍ରାଇଭରମାନଙ୍କ ପ୍ରଶଂସା ଆମକୁ ଆମୋଦିତ କରିପାରିନଥିଲା, ବରଂ ଲଜ୍ଜିତ କରିଥିଲା । ସ୍ୱାଧୀନତା ପରେ ଆମ ଦେଶରେ ଗାଈଗୋରୁଙ୍କ ସଂଖ୍ୟା କମିବାରେ ଲାଗିଛି, ମଣିଷଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ୁଛି । ସହରରେ ଆମକୁ କ୍ଷୀର ଯୋଗାଇବାକୁ କଲବଲ ହୋଇ ଖୁଣ୍ଟରେ ବନ୍ଧାହୋଇ ରହିଥିବା ଗାଈଗୋରୁଙ୍କ ଦୁଃଖ ନକହିବା ଭଲ । ଯେଉଁ କେତେକ ଖୁଣ୍ଟରୁ ମୁକ୍ତ ହେଲେ ସେମାନେ ରାସ୍ତାକୁ ତ ନିଶ୍ଚିତ ଯିବେ । ଏଥିରେ ସେମାନଙ୍କର ଦୋଷ କ’ଣ ? ଏମାନଙ୍କ ସଂପର୍କରେ ଆମର ସଚେତନତାର ଅଭାବ ଏଭଳି ସମସ୍ୟା ସୃଷ୍ଟି କରିଛି । ସହରବଜାରରେ ରହୁଥିବା ଗୋପାଳକମାନେ ସକାଳୁ କ୍ଷୀର ସଂଗ୍ରହ ପରେ ଗାଈ ଗୋରୁଙ୍କୁ ଅବାଧରେ ଖାଦ୍ୟ ସଂଗ୍ରହ ପାଇଁ ମୁକ୍ତ କରିଦେଇଥାନ୍ତି । ପୁଣି ସନ୍ଧ୍ୟାରେ ସେମାନଙ୍କୁ କ୍ଷୀର ଦୁହିଁବାକୁ ଖୋଜି ନେଇଥାନ୍ତି । ସରକାରୀ ନୀତିନିୟମ ଯାହା ଥାଉ, ଯେପରି ଥାଉ ତାହା ସେମାନଙ୍କ ପାଇଁ କିଛି ଫରକ ଆଣି ନାହିଁ । ପୂର୍ବେ ସହର ବଜାର ଏତେ ଲୋକଗହଳି ପୂର୍ଣ୍ଣ ନଥିଲା, ଖୋଲା ଜମିଭୂମି ଚାରଣ ଭୂମି ଥିଲା, ମାତ୍ର ଏବେ ସବୁଆଡ଼େ ଘର ଆଉ ଘର । ପୋଖରୀ, ନାଳ, ନର୍ଦମା ସବୁ ପୋତି ସେଠାରେ ଘର ନିର୍ମାଣ ଚାଲିଛି । ମଣିଷଙ୍କ ଆବାସସ୍ଥଳ ଭଳି ଗାଈଗୋରୁଙ୍କ ଆବାସ କ୍ଷେତ୍ର ଗୋଶାଳା କାହିଁ ? ଯଦିବା ଗୋଶାଳା ନିର୍ମିତ ହୁଏ ଲୋକେ କ’ଣ ଗାଈଗୋରୁଙ୍କୁ ସେଠାରେ ଛାଡ଼ିବେ ? ଯେ ପର୍ଯ୍ୟନ୍ତ ଆମ ଲୋକଙ୍କ୍ ମାନସିକତା, ଚଳଣି ତଥା ଅନୁଭବରେ ପରିବର୍ତ୍ତନ ଓ ସଚେତନ ହେବାର ଇଚ୍ଛା ନ ଆସିଛି, ବୋଧହୁଏ ସେତେଦିନ ଯାଏ ଆମେ ସହର ମଝିରେ ଷଣ୍ଢ ଲଢ଼େଇ ଦେଖିଚାଲିଥିବା । କାରଣ ମଣିଷକୁ କେହି ବାଧ୍ୟ କରି ‘ମଣିଷ’ କରିପାରିବ ନାହିଁ ଯେ ପର୍ଯ୍ୟନ୍ତ ସେ ‘ମଣିଷ’ ହେବାକୁ ଇଚ୍ଛା କରିନାହିଁ । ଆମେ ଗୋଟିଏ ପଶୁକୁ ଶିକ୍ଷାଦେଇ ସର୍କସରେ ନଚାଇ ପାରୁଛୁ, ହେଲେ ଜଣେ ମଣିଷର ଯଦି ଇଚ୍ଛା ନଥିବ ତାକୁ ଜବରଦସ୍ତ ନଚାଇପାରିବୁ କି ?
ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, କଟକ- ୮