ଜାମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅତିକ୍ରମ କରି ପାକିସ୍ତାନ ଅଧିକୃତ କାଶ୍ମୀରରୁ ଦୁଇ ଜଣ ନାବାଳିକା ଭାରତ ମଧ୍ୟକୁ ଚାଲି ଆସିଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ଆମର ଜାମ୍ମୁ ସମ୍ବାଦଦାତା ଜଣାଇଛନ୍ତି, ଗତକାଲି ସକାଳ ପ୍ରାୟ ୮ଟା ୪୫ ମିନିଟ୍ ସମୟରେ ଗୁଲପୁର ସବ୍ସେକ୍ଟର ସରଳା ନିକଟରେ ସେମାନଙ୍କୁ ଠାବ କରାଯାଇଥିଲା। ସେମାନେ ପାକ୍ ଅଧିକୃତ କାଶ୍ମୀରର କାହୁଟା ତହସିଲ ଅନ୍ତର୍ଗତ ଅବାସ୍ପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ସେହି ଦୁଇ ଝିଅ ୧୭ ବର୍ଷୀୟ ଲାଇବା ଜବେର୍ ଏବଂ ତାଙ୍କ ସାନ ଭଉଣୀ ୧୩ ବର୍ଷୀୟ ସାନା ଜବେର୍ ବୋଲି ପରିଚୟ ମିଳିଛି। ସେମାନଙ୍କ ଡାକ୍ତରୀ ପରୀକ୍ଷା ପରେ ଅଧିକ ପଚରା ଉଚରା ପାଇଁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ତେବେ ଖୁବ୍ ଶୀଘ୍ର ସେମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯିବ ବୋଲି ସୂଚନା ମିଳିଛି।



