ଡା. ନିରୁପମା ମିଶ୍ରଙ୍କ ଦେହାନ୍ତ
ଭୁବନେଶ୍ୱର : ସ୍ବନାମଧନ୍ୟ ଡାକ୍ତର ନିରୁପମା ମିଶ୍ରଙ୍କ ରବିବାର ଅପରାହ୍ଣରେ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ସହିଦନଗରବାସିନ୍ଦା ସ୍ବର୍ଗତା ମିଶ୍ର ଭାରତର ପୂର୍ବତନ ଭାଇସ୍ ଆଡମିରାଲ ସ୍ବର୍ଗତ ହୀରାଲାଲ ଶର୍ମାଙ୍କ ବଡ଼ଝିଅ ଏବଂ ପୁରୀର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପଣ୍ଡିତ ରଘୁନାଥ ମିଶ୍ରଙ୍କ ପୁତ୍ରବଧୂ। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପ୍ରାଣା ମହିଳା ଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଡା. ମିଶ୍ର ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟ ମୁଖ୍ୟ ଆୟୁକ୍ତ କାଳୀପ୍ରସାଦ ମିଶ୍ରଙ୍କ ଧର୍ମପତ୍ନୀ। ମୃତ୍ୟୁଶଯ୍ୟା ନିକଟରେ ବଡ଼ଝିଅ ଅଭିନେତ୍ରୀ ଜ୍ୟୋତି ମିଶ୍ର, ସାନଝିଅ କୀର୍ତ୍ତିମୟୀ ମିଶ୍ର ଓ ପୁତ୍ର ଶକ୍ତି ପ୍ରସାଦ ମିଶ୍ରଙ୍କ ସହିତ ଅଭିନେତ୍ରୀ ଉଷସୀ ମିଶ୍ର, ଶିକ୍ଷାବିତ୍ ନଗେନ୍ଦ୍ର ଦତ୍ତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଟି. ପ୍ରସାଦ ରାଓ ଦୋରାଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏବଂ ଓଡ଼ିଶା ରେଡକ୍ରସ ସୋସାଇଟି ସେଣ୍ଟଜନ୍ ଆମ୍ବୁଲାନ୍ସର କର୍ମକର୍ତ୍ତା ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ‘ସମାଜ’ର ସମ୍ପାଦକ ତଥା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଉପସଭାପତି ନିରଞ୍ଜନ ରଥ, ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।
Comments are closed.