ଭୁବନେଶ୍ୱର: ସରକାରୀ ହେଉ ଅବା ବେସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ପରସ୍ପର ମଧ୍ୟରେ ଭାଇ ଡାକି ସମ୍ବୋଧନ କରୁଥିବା ଶୁଣିଥିବେ ନିଶ୍ଚୟ। କିନ୍ତୁ ଏହାକୁ ନେଇ ଏବେ ନୂଆ ନିର୍ଦେଶନାମା ଜାରି ହୋଇଛି। ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଭାଇ ଡାକିବାକୁ ନେଇ କଡା ପ୍ରତିବନ୍ଧକ ଲଗାଯାଇଛି। ରାଜ୍ୟ ସରକାରଙ୍କ ପଶୁସମ୍ପଦ ନିର୍ଦ୍ଦେଶାଳୟର ପଶୁପାଳନ ନିର୍ଦ୍ଦେଶକ ଏହି ନିର୍ଦେଶନାମା ଜାରି କରିଛନ୍ତି। ଏହାର ଉଲ୍ଲଙ୍ଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଚେତାଇ ଦିଆଯାଇଛି।
ନିର୍ଦେଶନାମା ଅନୁଯାୟୀ, କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କୁ ଭାଇ ଡାକିବା କିମ୍ବା ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅନ୍ୟ କର୍ମଚାରୀଙ୍କୁ ଭାଇ ଡାକିବା ଦ୍ବାରା ସରକାରୀ ମର୍ଯ୍ୟାଦା ମଧ୍ୟ ଭଙ୍ଗ ହେଉଛି। ଏହା ସହ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ବିଧି ୧୯୫୯ର ମଧ୍ୟ ଉଲ୍ଲଙ୍ଘନ ହେଉଛି। ତେଣୁ କାର୍ଯ୍ୟାଳୟରେ ମର୍ଯ୍ୟାଦା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି। ନଭେମ୍ବର ୧୬ ତାରିଖରେ ପଶୁପାଳନ ନିର୍ଦେଶକ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।



