ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳିତ

କେନ୍ଦୁଝରଗଡ଼ : ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ୯୦ତମ ଜିଲାସ୍ତରୀୟ ଓଡିଶା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଦରବାରହଲଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଅତିଥିଗଣ ଯୋଗଦେଇ ଓଡିଆ ଅସ୍ମିତାର ଜୟଗାନ କରି ମାତୃଭୂମି ଓ ମାତୃଭାଷାକୁ ଭଲ ପାଇବାକୁ ଆହ୍ୱାନ ଜଣାଇଛନ୍ତି । ଜିଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଜାତିର ସ୍ୱାଭିମାନକୁ ସର୍ବଦା ବଜାୟ ରଖିବା ନିମନ୍ତେ ପ୍ରତ୍ୟେକ ଓଡିଆ ସଙ୍କଳ୍ପ ନେବାକୁ ଆହ୍ୱାନ ଜଣାଇଥିଲେ । ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ତ୍ୟାଗ ଓ ବଳିଦାନ ଦେଇଥିବା ଉତ୍କଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ବିକଶିତ ଓଡିଶା ଗଠନ ନିମନ୍ତେ ଅଙ୍ଗୀକାରବଦ୍ଧ ହେବାକୁ ଆହ୍ୱାନ ଜଣାଇଥିଲେ । ଉତ୍କଳର ପୂର୍ବ ଗୌରବ, ପୂର୍ବ ମହିମାକୁ ମନେପକାଇ ନିଜ ମା’, ମାଟି ଓ ଜାତିକୁ ଭଲ ପାଇଲେ ଓଡ଼ିଶାର ଓ ଓଡ଼ିଆମାନଙ୍କର ମର୍ଯ୍ୟାଦା ବିଶ୍ୱ ଦରବାରରେ ବୃଦ୍ଧି ପାଇବ ବୋଲି କହିଥିଲେ । ଓଡ଼ିଶାର ପ୍ରାଚୀନ କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ଭବିଷ୍ୟତରେ କିପରି ଏହାକୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ଚିନ୍ତା ସମୟ ଆସିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ ନେତୃତ୍ୱ ଓ ଦୂରଦୃଷ୍ଟି ବଳରେ ଓଡିଶାରେ ବିକାଶର ନୂଆ ପର୍ବର ଆୟମାରମ୍ଭ ଘଟିଛି । ବିଭିନ୍ନ କ୍ଷେତ୍ରରେ ଓଡିଶା ଉଲ୍ଲେଖନୀୟ ସଫଳତା ହାସଲ କରି ଦେଶ କାହିଁକି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଥିଲେ । ଓଡିଶାର ପ୍ରଗତିକୁ ଅଧିକ ଗତିଯୁକ୍ତ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାରେ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ରହିଲେ ସାଧାରଣ ମଣିଷ ମୁହଁରେ ହସ ଫୁଟି ପାରିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଥିଲେ ।
ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ରାଜ୍ୟର ପୂର୍ବ ସୁରୀ ମାନଙ୍କୁ ମନେ ପକାଇ ସମସ୍ତଙ୍କୁ ସେହିଭଳି ନିଃସ୍ୱାର୍ଥପରତା ଭାବ ରଖି ରାଜ୍ୟ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଓଡିଶା ଦିବସ ଅବସରରେ ଜିଲାବାସୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ନିଜ ଅଭିଭାଷଣରେ ଜିଲା ତଥା ରାଜ୍ୟର ଉନ୍ନତି ଦିଗରେ ଓଡିଶା ଦିବସ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ଜିଲାପାଳ ଶ୍ରୀ ସିଂହ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ୨୦୩୬ ମସିହାରେ ଓଡ଼ିଶା ପ୍ରତିଷ୍ଠା ହେବାର ଶତବାର୍ଷିକୀ ଅବସରରେ ଭଲ କାମ କରି ସମାଜରେ ପ୍ରତିଷ୍ଠିତ ହେବା ପାଇଁ ଆହ୍ୱାନ କରିଥିଲେ । ଓଡିଆ ଭାଷାର ପ୍ରାଚୀନତା ଓ ଗାରିମା ଯୋଗୁଁ ଏହା ଶାସ୍ତ୍ରୀୟ ମାନ୍ୟତା ପାଇଛି, ଯାହାକି ପ୍ରତ୍ୟେକ ଓଡିଆ ପାଇଁ ଗର୍ବ ଓ ଗୌରବର ବିଷୟ । ଏହାକୁ ଅଧିକ ଋଦ୍ଧିମନ୍ତ କରିବାକୁ ପ୍ରତ୍ୟେକ ବ୍ୟକ୍ତି ପ୍ରତିବଦ୍ଧତା ରଖିବା ଏକାନ୍ତ ଆବଶ୍ୟକ ବୋଲି ଜିଲାପାଳ ଶ୍ରୀ ସିଂହ କହିଥିଲେ । କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ.ଡି., ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଏସିଏଫ ଏସ ନାଗରାଜୁ, ଉପଜିଲାପାଳ କେନ୍ଦୁଝର ଉମାଶଙ୍କର ଦଳାଇ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । ସମାରୋହରେ ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଶିଳ୍ପୀ, କଳାକାର ତଥା ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଅପରାହ୍ନ ୩ ଘଟିକାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ମିଳନୀ ସାହିତ୍ୟ ସଂସଦ କେନ୍ଦୁଝର ସହଯୋଗରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କର ପ୍ରତିମୂର୍ତିରେ ଅତିଥିଗଣ ମାଲ୍ୟାର୍ପଣ କରିଥିଲେ । ଓଡ଼ିଶା ଦିବସ ପାଳନ ଅବସରରେ ପ୍ରତ୍ୟୁଷରୁ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ପ୍ରସାରଣ କରାଯାଇଥିଲା ।
Comments are closed.