ଦାରିଦ୍ର୍ୟ ଦୂର କରିବାର ଏକମାତ୍ର ଚାବିକାଠି ହେଉଛି ଶିକ୍ଷା : ଧର୍ମେନ୍ଦ୍ର ପ୍ରଧାନ

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୧୪ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ମନ୍ତ୍ରୀଙ୍କ ଉଦବୋଧନ

ଡେସ୍କ : କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡାସ୍ଥିତ କ୍ୟାମ୍ପସରେ ଏହାର ୧୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।  କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଆଭାସି ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ କୋରାପୁଟ ଅଞ୍ଚଳର ସ୍ଥାନୀୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ଦିଗରେ ଗବେଷଣା ଏବଂ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

କୋରାପୁଟରେ ଜୈବିକ ପ୍ରଣାଳୀରେ ଉତ୍ପାଦନ ହେଉଥିବା ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରକୁ ନେବାକୁ ହେବ। ଏଥିପାଇଁ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଖାଦ୍ୟ ପ୍ରକ୍ରିୟାକରଣ କେନ୍ଦ୍ରର ସାହାଯ୍ୟ ନେଉ ଏବଂ ଗବେଷଣା ଦ୍ୱାରା ଜିଲ୍ଲାର ସୁପର ଫୁଡକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ଦିଗରେ ସହଯୋଗୀ ହେଉ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ କୋରାପୁଟରେ ଜୈବିକ ଚାଷ ପ୍ରଣାଳୀରେ ଉତ୍ପାଦିତ ହେଉଥିବା ଧାନ, ଆମ୍ବ, ମାଣ୍ଡିଆ, ପନିପାରିବା ଓ କୋରାପୁଟ କଫି ସ୍ୱତନ୍ତ୍ର । ପ୍ରଧାନମନ୍ତ୍ରୀ ମନ୍ କି ବାତ କାର୍ଯ୍ୟକ୍ରମରେ ମିଲେଟ୍ ବା ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ବାରୋପ କରିଛନ୍ତି । ତେଣୁ ଏ ଦିଗରେ ଆମକୁ ପ୍ରାଥମିକତା ଦେବାକୁ ହେବ । କୋରାପୁଟର ମାଣ୍ଡିଆରୁ ପ୍ରସ୍ତୁତ ବିସ୍କୁଟକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ହେବ।

ପ୍ରଧାନମନ୍ତ୍ରୀ ମୋଦି ୭୬ତମ ସ୍ୱାଧୀନତା ଦିବସ ଅବସରରେ ବିକଶିତ ଭାରତ ସହ ପାଞ୍ଚଟି ସଂକଳ୍ପ ନେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅପାର ସମ୍ଭାବନାର ଅଞ୍ଚଳର କୋରାପୁଟକୁ ବିନିର୍ମାଣ କ୍ଷେତ୍ରର ପେଣ୍ଠସ୍ଥଳୀ କରିବା। କେବଳ ବକ୍ସସାଇଟର ରପ୍ତାନୀ କଲେ ହେବ ନାହିଁ ବରଂ କୋରାପୁଟରେ ଉଚ୍ଚମାନର ଆଲୁମିନିୟମ ବିନିର୍ମାଣ କେନ୍ଦ୍ର ସ୍ଥାପନ କରିବାକୁ ହେବ । ଓଡ଼ିଶାକୁ ନୂଆ ଶିଖରକୁ ନେବା ପାଇଁ ସହଯୋଗୀ ହେବା ଓ ଦେଶର ଅର୍ଥନୀତିକୁ ମଜବୁତ୍ କରିବା ପାଇଁ ସାମୂହିକ ଉଦ୍ୟମ କରିବା ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦାରିଦ୍ର୍ୟ ଦୂର କରିବାର ଏକମାତ୍ର ଚାବିକାଠି ହେଉଛି ଶିକ୍ଷା।ଏହି ଶିକ୍ଷାର ସଦୁପଯୋଗ କରିବା ପାଇଁ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀ ଜାତୀୟ ଶିକ୍ଷା ନୀତିର କଳ୍ପନା କରିଛନ୍ତି । ଏହି ଶିକ୍ଷା ନୀତି ମାଧ୍ୟମରେ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଆଗକୁ ନେବା ପାଇଁ ଆମେ ସମସ୍ତେ ମିଶି ସଂକଳ୍ପ ନେବା ଦରକାର । ସେହିପରି ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯାଉଛି। ଜନଜାତିଙ୍କ ସଶକ୍ତୀକରଣ ମଧ୍ୟ ସେମାନଙ୍କ ଭାଷାରେ ହିଁ ଅନ୍ତର୍ନିହିତ। ଜନଜାତିଙ୍କୁ ସେମାନଙ୍କ ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନ କରାଗଲେ ଜନଜାତିଙ୍କ ପ୍ରାଥମିକ ଶିକ୍ଷାର ବିକାଶରେ ଅଭିବୃଦ୍ଧି ହେବ ଏବଂ ଗଭୀର ଅନୁଚିନ୍ତନ ପରିପ୍ରକାଶ ହେବ ।

ଜନସାଧାରଣଙ୍କ ଟିକସରେ ଆମ ରାଜ୍ୟ ଓ ଦେଶର ଶିକ୍ଷାନୁଷ୍ଠାନ ଚାଲୁଅଛି । ପ୍ରତିବଦଳରେ ଆମର ଦାୟିତ୍ୱ ହେଉଛି ଶିକ୍ଷା ମାଧ୍ୟମରେ ସାଧାରଣ ଲୋକଙ୍କୁ ତାଙ୍କ ଟିକସର ଉଚିତ୍ ପ୍ରାପ୍ୟ ଦେବା । ଭାରତକୁ ଶିକ୍ଷିତ ସମାଜ ଭାବେ ପ୍ରତିଷ୍ଠା କରିବା ଏବଂ ପରିଶ୍ରମ, ପରାକାଷ୍ଠା ଓ ପୁରୁଷାର୍ଥ ବଳରେ ନିଷ୍ପେସିତ ଲୋକଙ୍କ ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଦେଶ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଦେଶକୁ ସ୍ୱାଧୀନତା ଦେବା ଓ ଆଧୁନିକ ଓଡ଼ିଶା ନିର୍ମାଣ କରିବା ଓ ନାଗରିକଙ୍କୁ ଗଣତନ୍ତ୍ରର ଅଧିକାର ଦେବାରେ ଆକାଂକ୍ଷୀ ଜିଲ୍ଲା କୋରାପୁଟ ତଥା ଜନଜାତି ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାଏକ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂଙ୍କ ଭଳି ଅନେକ ନେତୃତ୍ୱଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

ବିଶ୍ଵବିଦ୍ୟାଳୟର ଭାରପ୍ରାପ୍ତ କୁଳପତି  ପ୍ରଫେସର ଶରତ କୁମାର ପଳିତା ଉଦଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ୧୩ ବର୍ଷ ସଫଳତାର ସହ ସମାପ୍ତ କରିଥିବାରୁ ବିଶ୍ଵବିଦ୍ୟାଳୟ ପରିବାରକୁ ଅଭିନନ୍ଦନ ଜଣାଇଥିଲେ । ସେ ୟୁଜିସି ମାଷ୍ଟର ଟ୍ରେନର୍ସ କାର୍ଯ୍ୟକ୍ରମ ପରିଚାଳନା, ଛଅଟି ଗୁରୁତ୍ୱପୂର୍ଣ୍ଣ ସଂଗଠନ ସହିତ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଗୁରୁତ୍ୱପୂର୍ଣ୍ଣ ସେମିନାର ଏବଂ ସମ୍ମିଳନୀ ପରିଚାଳନା ସମେତ ନିକଟ ଅତୀତରେ ବିଶ୍ୱବିଦ୍ୟାଳୟର ପ୍ରମୁଖ ବିକାଶ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ କିଛି ମାତ୍ରାରେ ସଫଳ ହୋଇଛି, କିନ୍ତୁ ଏହାକୁ ବହୁତ ଆଗକୁ  ଯାଇ ଶୈକ୍ଷିକ ଉତ୍କର୍ଷତା ହାସଲ ପାଇଁ ଅନେକ କାର୍ଯ୍ୟ କରିବାକୁ ପଡିବ । ସେ ପ୍ରତ୍ୟେକ ବିଭାଗ ଏବଂ ଏହାର ଅଧ୍ୟାପକଙ୍କ ସଫଳତା ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ଶ୍ରୀ ଅମିତାଭ କାନ୍ତ, ଶେର୍ପା, G- 20 ଭାରତ  ସ୍ଥାପନ ଦିବସ ବକ୍ତୃତା ପ୍ରଦାନ କରି  ଶିକ୍ଷାଗତ ସଫଳତା ପାଇଁ ପ୍ରୟାସ ଜାରି ରଖିଥିବାରୁ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରିଥିଲେ ।  ବିଶ୍ଵବିଦ୍ୟାଳୟରେ ୫୦ ପ୍ରତିଶତରୁ ଅଧିକ ଛାତ୍ରୀ ଥିବାରୁ ସେ ଖୁସି ବ୍ୟକ୍ତ  କରିଥଲେ।  ବିକାଶ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଏକ ସମ୍ମାନଜନକ ସ୍ଥାନ ସୃଷ୍ଟି କରିପାରିବ ବୋଲି ସେ କହିଥିଲେ। ସେ ଯୁବ ପିଢ଼ିଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ କମ୍ ବୟସରେ ସମ୍ମୁଖୀନ ହୋଇଥିବା ମହାମାରୀର ପ୍ରଭାବ ଦ୍ୱାରା ନିରାଶ ନ ହୁଅନ୍ତୁ; ବରଂ ସେମାନେ ଆତ୍ମବିଶ୍ୱାସୀ ହେବା ସହ ଆଗକୁ ବଢିବାକୁ ହେବ ।  ଭବିଷ୍ୟତ ପିଢ଼ି ପାଇଁ ନୂତନ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଡିଜିଟାଲ ଅର୍ଥନୀତି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଆର୍ଟିଫସିଆଲ ଇଣ୍ଟେଲିଜେନ୍ସ ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୋତ୍ସାହନକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଉଦ୍ୟୋଗୀ ସମାଜ ମଧ୍ୟ ଘରୋଇ ଏବଂ ବିଦେଶୀ ପୁଞ୍ଜି ସହିତ ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଉଚିତ୍ । ଆଜି ପର୍ଯ୍ୟନ୍ତ ଭାରତରେ ସତୁରି ହଜାରରୁ ଅଧିକ ଷ୍ଟାର୍ଟ ଅପ୍ କୁ ପ୍ରୋତ୍ସାହିତ ହୋଇଛି ଏବଂ ନୀତି ଆୟୋଗ ମଧ୍ୟ ବିକାଶ ପାଇଁ  ଯୋଜନା କରୁଛନ୍ତି । ବିଶ୍ୱ ସ୍ଥାୟୀତ୍ୱ ପ୍ରତି ଯୁବ ପିଢ଼ିର ଅଧିକ ଦାୟିତ୍ୱ ରହିଛି । କେବଳ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ନୁହେଁ ବରଂ କ୍ରୀଡା ଏବଂ ଜୀବନର ଅନ୍ୟାନ୍ୟ ଉତ୍ସ ପରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଯୁବ ପିଢ଼ି ଆଗକୁ ଯିବାକୁ ପଡିବ ।

ସମ୍ମାନିତ ଅତିଥି ଭାବେ ଆଇସିଏମଆରର ପୂର୍ବତନ ମହାନିର୍ଦ୍ଦେଶକ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ନିର୍ମଳ କୁମାର ଗାଙ୍ଗୁଲି, ସାମଗ୍ରିକ ବିକାଶ ପାଇଁ ଶିକ୍ଷା ଏବଂ ଗବେଷଣାର ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଅଧ୍ୟୟନ ବ୍ୟତୀତ ଛାତ୍ରଛାତ୍ରୀ ମାନେ ସଙ୍ଗୀତ, ସଂସ୍କୃତି, କ୍ରୀଡା, ଐତିହ୍ୟ ଏବଂ ଇତ୍ୟାଦି ଅନ୍ୟାନ୍ୟ ଦିଗ ବିଷୟରେ ଜାଣିବା ଉଚିତ୍ | ଜନଜାତିଙ୍କ ଜୀବିକାରେ ଉନ୍ନତି ଆଣିବାରେ ଆଦିବାସୀ ସଂସ୍କୃତି, ସ୍ୱାସ୍ଥ୍ୟ ଏବଂ ଜୈବିକ କୃଷି ଗଠନ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହାସଲ କରିବାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାହାଯ୍ୟ କରିବା ଉଚିତ୍ ।

ଏହି ଅବସରରେ କୋରାପୁଟର  ବିଧାୟକ ତଥା ଏବଂ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପାଡାଲ, ପଟାଙ୍ଗୀର ବିଧାୟକ  ପ୍ରୀତମ ପାଢୀ, ସୁନାବେଡା ମ୍ୟୁନିସିପାଲିଟିର ଅଧ୍ୟକ୍ଷ  ରାଜେନ୍ଦ୍ର ପାତ୍ର, ବିଶ୍ଵବିଦ୍ୟାଳୟର କାର୍ଯ୍ୟପରିଷଦର ସଦସ୍ୟ ପ୍ରଫେସର ମୀନା ହରିହରନ ଏବଂ ପ୍ରଫେସର ମଞ୍ଜୁଲା ରାଣା, ଭିଜିଟିଙ୍ଗ  ପ୍ରଫେସର ପ୍ର. ସୁନୀଲ କାନ୍ତ ବେହେରା, ୨୦୨ ସିଆରପିଏଫର କମାଣ୍ଡାଣ୍ଟ, ବ୍ରୁନେ ଏ, ବିଶିଷ୍ଟ ସାମାଜିକ କର୍ମୀ  କ୍ରୁଷ୍ଣ ସିଂହ ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ ।

ପ୍ରାରମ୍ଭରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଏସ କେ ପଳିତା ବିଶ୍ୱବିଦ୍ୟାଳୟ ପତାକା ଉତ୍ତୋଳନ କରି ବିଶ୍ୱବିଦ୍ୟାଳୟ ସମୁଦାୟକୁ ସମ୍ବୋଧିତ କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଅସିତ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ତିନୋଟି ପୁସ୍ତକ ଉନ୍ମୋଚନ କରାଯାଇଥିଲା ।

ଛାତ୍ର କଲ୍ୟାଣ ଡିନ୍ ଡକ୍ଟର ରମେନ୍ଦ୍ର କୁମାର ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅର୍ଥନୀତି ବିଭାଗର ସହାୟକ ପ୍ରଫେସର ଡକ୍ଟର ମିନତି ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧିକାରୀ, କର୍ମଚାରୀ, ଛାତ୍ର ଏବଂ ସ୍କଲର  ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

Comments are closed.