‘ଘଣ୍ଟେଶ୍ୱର ଅଞ୍ଚଳରେ ଶାନ୍ତି ଫେରାଇ ଆଣ’

ଧାମରା: ଗତ ବିଧାନସଭା ନିର୍ବାଚନ ପରଠାରୁ ଘଣ୍ଟେଶ୍ୱର ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି।ଗୁଣ୍ଡା ବାହିନୀ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରି ଘଣ୍ଟେଶ୍ୱର ଅଞ୍ଚଳରେ ନିୟମିତ ଭାବେ ଆତଙ୍କ ସୃଷ୍ଟି କରୁଛନ୍ତି। ଖଦାଳପୋଖରୀ ଗ୍ରାମପଞ୍ଚାୟତରେ ୬ ଜଣ ସାଧାରଣ ଲୋକଙ୍କୁ ଏହି ଅସାମାଜିକ ଯୁବକ ମାଡ ମାରି ଶାରୀରିକ ଭାବେ ପଙ୍ଗୁ କରିଛନ୍ତି। ବ୍ରହ୍ମଟିକ୍ରି, ରାଇପୁର, ତରଫ ରାଇପୁର ଗ୍ରାମର ସାଧାରଣ ଲୋକଙ୍କୁ ଘଣ୍ଟେଶ୍ୱର ହାଟକୁ ଆସିବା ପାଇଁ ଛାଡୁନାହାନ୍ତି। ଘଣ୍ଟେଶ୍ୱର ବଜାରର କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ଏହି ଅସାମାଜିକ ବ୍ୟକ୍ତିମାନେ ବିଭିନ୍ନ ସମୟରେ ଆକ୍ରମଣ କରୁଛନ୍ତି। ବିଭିନ୍ନ ଅଞ୍ଚଳରୁ ଘଣ୍ଟେଶ୍ୱର ବ୍ୟାଙ୍କକୁ ଆସୁଥିବା ମହିଳାମାନେ ଗୁଣ୍ଡା ବାହିନୀଙ୍କ ଦୌରାତ୍ମ୍ୟରେ ଆତଙ୍କିତ ହେଉଛନ୍ତି। ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ଘଣ୍ଟେଶ୍ୱର ଅଞ୍ଚଳର ୪ ପଞ୍ଚାୟତ ଯଥା ଗୋପୀନାଥପୁର, ତୋଟାପଡା, ଖଦାଳପୋଖରୀ ଓ ବଜରାପୁର ପଞ୍ଚାୟତରେ ବିଶେଷକରି ଖଦାଳପୋଖରୀ ଗ୍ରାମର ସାଧାରଣ ଜନତା ଭୟଭୀତ ଅବସ୍ଥାରେ ଅଛନ୍ତି। ସାଧାରଣ ଲୋକେ ପୁଲିସ ପାଖକୁ ସୁରକ୍ଷା ପାଇଁ ଦୌଡୁଥିବାବେଳେ ପୁଲିସ ଆସାମୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ। ଘଣ୍ଟେଶ୍ୱର ଅଞ୍ଚଳରେ ଚୋରାମଦ, ଗଞ୍ଜେଇ, ବ୍ରାଉନସୁଗର, କୋଇଲା ବେପାରୀମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଘଣ୍ଟେଶ୍ୱର ଅଞ୍ଚଳର ସାଧାରଣ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡ଼ିଛି। ଏହା ବିରୋଧରେ ଘଣ୍ଟେଶ୍ୱର ଅଞ୍ଚଳରେ ଶାନ୍ତି ଫେରାଇ ଆଣିବା ଦାବିରେ ଘଣ୍ଟେଶ୍ୱର ଆଞ୍ଚଳିକ ସୁରକ୍ଷା ମହାସଂଘ ପକ୍ଷରୁ ଆସନ୍ତା ଫେବୃଆରୀ ୨୦ ତାରିଖରେ ଗାରଡପୁର ତିନିଛକି ବିଶ୍ରାମଗାର ନିକଟରେ ଏକ ଗଣଧାରଣା ଦିଆଯିବାସହ ଆସନ୍ତା ଫେବୃଆରୀ ୨୧ ତାରିଖ ସକାଳ ୧୦ରୁ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବାଂଶଡା ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ମହାସଂଘ ପକ୍ଷରୁ ବିରିଆଡିଆଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
Comments are closed.