ଗୁରୁଡିଝାଟିଆ: ପୁଣ୍ୟମାସ ଶ୍ରାବଣର ଶେଷ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ୩୦ହଜାର କାଉଡିଆଙ୍କ ପକ୍ଷରୁ ଜଳଲାଗି କରାଯାଇଛି । କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ରାତି ୧ଟାରେ ପ୍ରଭୂଙ୍କ ପହଡ ଖୋଲାଯାଇ ମଙ୍ଗଳ ଆଳତୀ, ସ୍ନାନ, ବାଳଭୋଗ ଅର୍ପଣ କରାଯିବା ପରେ ରାତି ୨ଟାରେ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଥିଲା । ନୀତିପାଳିଆ ମୃତ୍ୟୁଞ୍ଜୟ ପଣ୍ଡା ପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ କରିଥିଲେ । ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ତରାଇ, ତହସିଲଦାର ପ୍ରିୟବ୍ରତ ଦାସ, ମାଜିଷ୍ଟ୍ରେଟ ମାନସ ରଞ୍ଜନ ବେହେରା ପ୍ରମୁଖଙ୍କ ଉପସ୍ଥିତିରେ ପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ ହୋଇଥିଲା।
ଦିନ ତମାମ ଶ୍ରଦ୍ଧାଳୁ ଓ କାଉଡିଆଙ୍କ ଭିଡ ଲାଗିଥିଲା। ଧାଡିଦର୍ଶନ ବ୍ୟବସ୍ଥା କରାଯାଇଥିଲା ବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳଙ୍କ ଉପସ୍ଥିତିରେ ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଗୁରୁଡିଝାଟିଆ ଥାନା ଅଧିକାରୀ ସୁମନ୍ତ କିସାନଙ୍କ ସହିତ ପୁଲିସ ଅଧିକାରୀ ଓ ଫୋର୍ସମାନେ ମୁତୟନ ହୋଇଥିଲେ। ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା ଓ ପୂଜକ ସମିତିର ସଦସ୍ୟମାନେ ଉପସ୍ଥିିତ ରହି ଶାନ୍ତି ଶୃଙ୍ଖଳାର ସହିତ କାଉଡିଆମାନଙ୍କୁ ଜଳଲାଗି କରିବାରେ ସହଯୋଗ କରିଥିଲେ ।



