ପ୍ରଭୁ ଧବଳେଶ୍ୱରଙ୍କ ଯୋଗୀବେଶ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ଗୁରୁଡିଝାଟିଆ : ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରାର ସୋମବାର ଥିଲା ଅନ୍ତିମ ଦିବସ । ପୂର୍ଣ୍ଣିମା ସାଙ୍ଗକୁ ସୋମବାର ପଡିଥିବାରୁ ପ୍ରଭୁ ଧବଳେଶ୍ୱରଙ୍କ ଯୋଗୀବେଶ ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ରାତ୍ରୀ ୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଧାଡି ଲଗାଇଥିଲେ। ନୀତିପାଳିଆ ରାମଚନ୍ଦ୍ର ପତ୍ରୀ(ଗୁଡୁନନା) ରାତି ସାଢେ ୧ଟାରେ ପ୍ରଭୂଙ୍କ ମଙ୍ଗଳଆଳତୀ, ଧୂପ, ୧୦୯ ଗରା ଜଳରେ ସ୍ନାନ କରାଇବା ସହିତ ସିଙ୍କୁଡିଭୋଗ ପରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ରାତ୍ରୀ ୨ଟାରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଦେବୋତ୍ତର ସୁପରଭାଇଜର ଭବାନୀ ଶଙ୍କର ପଣ୍ଡାଙ୍କ ଉପସ୍ଥିତିରେ ପ୍ରଭୁଙ୍କ ସମସ୍ତ ନୀତିକାର୍ଯ୍ୟ ସଂପନ୍ନ ସହିତ ଯୋଗୀବେଶ ଅନୁଷ୍ଠିତ ହୋଇଥିଲା। ଗତକାଲି ରାତ୍ରୀରେ ପୀଠ ପରିସରରେ ପ୍ରାୟ ୨୦ହଜାର ଶ୍ରଦ୍ଧାଳୁ ଗଜଭୋଗ ନେବା ଏବଂ ନଦୀରେ ଡଙ୍ଗା ଭସାଇ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଉପସ୍ଥିତ ରହିଥିଲେ। ଉପସ୍ଥିତ ଶ୍ରଦ୍ଧାଳୁମାନେ ଆଠଗଡ ଉପଖଣ୍ଡ ପ୍ରଶାସନ ଓ ସ୍ଥାନୀୟ ପଞ୍ଚାୟତର ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଉଦଘାଟନ କରିଥିବା ବେଳେ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ,ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ବେହେରା, ପୂଜକ ସମିତି ସଂପାଦକ ନରେନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର ସାହୁ ,ରସାନନ୍ଦ ସ୍ୱାଇଁ, ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।

ଆଜି ଭୋରରୁ ଶେଷ ପଞ୍ଚକ ସୋମବାର ପାଇଁ ପ୍ରାୟ କଂକ୍ରିଟ ସେତୁ ଠାରୁ ୧କିମି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଲମ୍ବାଧାଡି ଲଗାଇଥିଲେ। ଆଠଗଡ ଉପଖଣ୍ଡର ୧୦ଜଣ ମାଜିଷ୍ଟ୍ରେଟ ଉପସ୍ଥିତ ରହି ବିଭିନ୍ନ ସ୍ଥାନରେ ଭିଡକୁ ନିୟନ୍ତ୍ରଣ କରୁଥିବା ବେଳେ ୨ଜଣ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବଦତ୍ତ ବରାଳ ଓ କୃଷ୍ଣପ୍ରସାଦ ପଟ୍ଟନାୟକଙ୍କ ସହିତ ୮ଜଣ ଡିଏସପି ଓ ୧୬ଜଣ ଇନ୍ସପେକ୍ଟର କଡା ନିଘା ଦେଇଥିଲେ ରାତି ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ। ଆଜି କେନ୍ଦ୍ର ଶିକ୍ଷା,  ଦକ୍ଷତା ବିକଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ କୃଷିମନ୍ତ୍ରୀ ଦର୍ଶନ ପାଇଁ ଆସିଥିଲେ । ୫ଦିନ ଧରି ପ୍ରାୟ ସାଢେ ୫ଲକ୍ଷ ଶ୍ରଦ୍ଦାଳୁ ପ୍ରଭୂଙ୍କୁ ଦର୍ଶନ କରି ସୁରୁଖୁରୁରେ ଫେରି ଯାଇଥିବାରୁ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ତରାଇ ଆଗନ୍ତୁକ ଶ୍ରଦ୍ଧାଳୁଙ୍କୁ ସେମାନଙ୍କ ସହଯୋଗ, ଭକ୍ତିଭାବନା, ଶୃଙ୍ଖଳିତ ଦର୍ଶନ ପାଇଁ ଅକୁଣ୍ଠ ଚିତ୍ତରେ ପ୍ରଶାସନକୁ ସହଯୋଗ କରିଥିବାରୁ ପ୍ରଶାସନ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯିବା ସହ ପଞ୍ଚକ ଓ ବଡଓଷା ଯାତ୍ରରେ ନିୟୋଜିତ ଆରକ୍ଷୀ, ଦମକଳ ବାହିନୀ, ଓଡ୍ରାପ୍ଟ, ବିଭିନ୍ନ ବେସରକାରୀ ସଂଗଠନର କର୍ମକର୍ତ୍ତା, ସେବାକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଅନୁରୂପ ଭାବେ ଜି୍ଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଶ୍ରଦ୍ଧାଳୁମାନେ ଭକ୍ତିଭାବାପନ୍ନ ହୋଇ ଧାଡିରେ ଘଣ୍ଟାଘଣ୍ଟା ଧରି ସହନଶୀଳତା ଭାବରେ ଠିଆ ହୋଇ ପ୍ରଭୂଙ୍କୁ ଦର୍ଶନ କରି ଫେରିବାରେ ନିୟୋଜିତ ଆରକ୍ଷୀମାନଙ୍କୁ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଧବଳେଶ୍ୱର ପୀଠ ଓ ପୂଜକଙ୍କ ଉନ୍ନତି ପାଇଁ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପ୍ରଭୁ ଧବଳେଶ୍ୱରଙ୍କ ଅପାର ମହିମା। ଶ୍ରଦ୍ଧାଳୁଙ୍କ ଭିତରେ ଆସ୍ଥା, ବିଶ୍ୱାସ ପ୍ରଭୁଙ୍କ ପାଇଁ ବହୁତ ରହିଛି । ସେଥିପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବିଶେଷତଃ ପଞ୍ଚକ ସମୟରେ ଛୁଟି ଆସିଥାନ୍ତି। ଆଜି ପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇ ନିଜକୁ ଧନ୍ୟ ମଣୁଛି । ପ୍ରଥମ କରି ପ୍ରଭୁଙ୍କୁ ବଡଓଷା ଓ ପଞ୍ଚକ ଯାତ୍ରାର ପୂର୍ଣ୍ଣିମା ତିଥିରେ ଦର୍ଶନ କରିଛି । ଏହି ପୀଠର ବିକାଶ ପ୍ରଭୂଙ୍କ ଖ୍ୟାତି ଓ ଶ୍ରଦ୍ଦାଳୁଙ୍କ ଆସ୍ଥା ଅନୁଯାୟୀ ସେପରି ହୋଇନାହିଁ ଯାହା ହେବା ଆବଶ୍ୟକ। ଆଗାମୀ ଦିନରେ ପୀଠର ବିକାଶ ଓ ପୂଜକମାନଙ୍କ ଅଭିବୃଦ୍ଧି ଦିଗରେ ସାଧ୍ୟମତେ ସହଯୋଗ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।
ମହନଦୀରେ ୨ୟ କଂକ୍ରିଟ ସେତୁ ଓ ଝୁଲାପୋଲର ନବକଳେବର ହେବ: କୃଷିମନ୍ତ୍ରୀ ରଣେନ୍ଦ୍ର

କ୍ରମବର୍ଦ୍ଧିଷ୍ଣୁ ଶ୍ରଦ୍ଦାଳୁଙ୍କ ସଂଖ୍ୟା ଦୃଷ୍ଟିରୁ ପୀଠକୁ ଆଉଏକ କଂକ୍ରିଟ ସେତୁର ଆବଶ୍ୟକତା ଥିବାରୁ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯଉଛି । ଏହାଦ୍ୱାର ଶ୍ରଦ୍ଦାଳୁମାନେ ଗୋଟିଏ ସେତୁରେ ଆସିପାରିବେ ଓ ଅନ୍ୟ ସେତୁରେ ପ୍ରତ୍ୟାବର୍ତ୍ତନ କରିପାରିବେ। ସୁରକ୍ଷା ଦୃଷ୍ଟିରୁ ବିପଦ ସଂକୁଳ ଘୋଷଣା ହୋଇଥିବା ଝୁଲାସେତୁର ସଂପୂର୍ଣ୍ଣ ମରାମତି କରାଯାଇ ଏହାକୁ କାର୍ଯ୍ୟକ୍ଷମ କରାଯିବ ବୋଲି କୃ​ଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ କରି ଗଣମାଧ୍ୟମକୁ କହିଥିଲେ। ଏହି ପୀଠର ବିକାଶ ପ୍ରକ୍ରିୟା ରାଜ୍ୟ ସରକାରଙ୍କ ୫-ଟି ଜରିଆରେ ଚାଲୁରହିଛି । ରାଜ୍ୟର ଏକ ପ୍ରମୁଖ ଶୈବପୀଠ ଓ ପର୍ଯ୍ୟଟନସ୍ଥଳୀ ହିସାବରେ ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଥମ ପସନ୍ଦ ହେବ ବୋଲି କହିଥିଲେ। ମନ୍ତ୍ରୀ ଣ୍ରୀ ସ୍ୱାଇଁ ମହାନତୀରେ ଡଙ୍ଗା ଭସାଇଥିଲେ।

 

Comments are closed.