ଶୋକେସ୍ ଓଡିଶା ପୁରସ୍କାର ବିତରଣ ସମାରୋହ

ନୂଆଦିଲ୍ଲୀ : ଅଗ୍ରଣୀ ଗଣମାଧ୍ୟମ ତଥା ଇଭେଂଟ୍ କମ୍ପାନୀ ପ୍ରିଲ୍ୟୁଡ୍ ଗତ ଏପ୍ରିଲ ୩୦ ତାରିଖ ଦିନ ନୂଆଦିଲ୍ଲୀର ପ୍ରସିଦ୍ଧ ଲେ ମେରିଡିଏନ୍ ହୋଟେଲ୍ଠାରେ ଶୋକେସ ଓଡିଶା ପୁରସ୍କାର ବିତରଣ ସମାରୋହ ଆୟୋଜନ କରିଛି। ଏହି କାର୍ଯ୍ୟକ୍ରମରେ ବ୍ୟକ୍ତିବିଶେଷଙ୍କ ଅତୁଳନୀୟ ସଫଳତାକୁ ସ୍ୱୀକୃତି ଦିଆଯିବା ସହ ପାଳନ କରାଯାଇଥିଲା। ନିଜ ନିଜ ସ୍ଥାନରେ ମହତ୍ୱପୂର୍ଣ୍ଣ ଅବଦାନ ଥିବା ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଗୁଡିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମର ମହିମାମଣ୍ଡନ କରିଥିଲେ।

ଏହି ସମାରୋହର ଏକ ବର୍ଷ ପୂର୍ବରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯେଉଁଥିରେ ବିଶେଷଜ୍ଞଙ୍କ ଦ୍ୱାରା ଟିକିନିଖି ଯାଂଚ ଓ ମୂଲ୍ୟାଙ୍କନ କରାଯାଇଥିଲା। ବିଜେତାମାନଙ୍କୁ ସେମାନଙ୍କ ସଫଳତା, ପ୍ରଭାବ, ଅଭିନବ ପ୍ରୟାସ ଏବଂ ସେମାନେ ପ୍ରତିନିଧିତ୍ୱ କରୁଥିବା କ୍ଷେତ୍ର ଆଦି ଆଧାରରେ ଚୟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କିଛି ପ୍ରସିଦ୍ଧ ବକ୍ତା ଯୋଗ ଦେବା ସହିତ ‘୧୦୦ ବର୍ଷରେ ଓଡିଶା: ଓଡିଶାର ଭବିଷ୍ୟତ ପାଇଁ ଏକ ଦୂରଦୃଷ୍ଟିସମ୍ପନ୍ନ ଆଲୋଚନା’ ପ୍ରସଙ୍ଗରେ ଭାବନା ଉଦ୍ରେକକାରୀ ଅଲୋଚନା କରାଯାଇଥିଲା। ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର, ଓଏଫ୍ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ସଂଘମିତ୍ରା ବାରିକ ଏବଂ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ପିଏନ୍ଭି ଗ୍ରୁପ୍ ନିର୍ଦ୍ଦେଶକ ସାନୁ ରଥ ପରିଚାଳନା କରିଥିଲେ। ଶତବାର୍ଷିକୀରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଥିବା ଏବଂ ଏଥିପାଇଁ ରଣନୀତି ଅନୁସନ୍ଧାନ କରୁଥିବା ଓଡିଶା ପାଇଁ ଆଗକୁ ଆସୁଥିବା ସୁଯୋଗ ଓ ଆହ୍ୱାନ ସହ ସ୍ଥାୟୀ ଓ ସମନ୍ୱିତ ସମୃଦ୍ଧି ପାଇଁ ରଣନୀତି ଆଦି ବିଷୟରେ ଆଲୋଚନା କରାଯାଇଥିଲା।

ପ୍ୟାନେଲ ଆଲୋଚନା ସହିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଇଣ୍ଡିଆନ ଅଏଲ୍ର ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ରଞ୍ଜନ ମହାପାତ୍ର ଏବଂ ଦିଲ୍ଲୀ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଆଇଏଏସ୍ ସୁଭାଷୀ ପଣ୍ଡା ଯୋଗ ଦେଇଥିଲେ। ଅତିଥିମାନଙ୍କ ଭବ୍ୟ ଉପସ୍ଥିତି କାର୍ଯ୍ୟକ୍ରମର ଗୁରୁତ୍ୱକୁ ଆହୁରି ବଢାଇ ଦେଇଥିଲା।

ନିଜ ନିଜ କ୍ଷେତ୍ରରେ ସୁଦୃଢ ନେତୃତ୍ୱ, ଅଭିନବ ପ୍ରୟାସ ଓ ଉତ୍କର୍ଷତା ଦେଖାଇଥିବା ୫ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ଶୋକେସ୍ ଓଡିଶା ସମ୍ମାନ ପ୍ରଦାନ କରିଥିଲା। ବିଜେତାମାନଙ୍କ ମଧ୍ୟରେ ଇମ୍ଫା ଏମ୍ଡି ତଥା ଏଫ୍ଆଇସିସିଆଇର ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା, ଦିଲ୍ଲୀ ଏମ୍ସ୍ ଏମ୍ଡି ପ୍ରଦୀପ ସେଠୀ, ନ୍ୟୁଜ୍ ୧୮ ନେଟ୍ୱର୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ରାଜେନ ଗରାବଡୁ, ଓକ୍ସିଜୋ ପ୍ରାଇଭେଟ୍ ଲିମିଟେଡ୍ର ସହ ପ୍ରତିଷ୍ଠାତା ଅଶୋକ ମହାପାତ୍ର ଏବଂ ଭାଲ୍ୟୁ ୩୬୦ କମ୍ୟୁନିକେଶନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ଗୌରବ ପାତ୍ର ଆଦି ସାମିଲ ଥିଲେ।

ପ୍ରିଲ୍ୟୁଡ୍ ନୋବଲ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସତ୍ୟବ୍ରତ ସାନୁ ରଥ କହିଥିଲେ, ଆମେ ଶୋକେସ୍ ଓଡିଶା ପୁରସ୍କାର ସମାରୋହ ଆୟୋଜନ କରି ଆନନ୍ଦିତ। ଅବିଶ୍ୱସନୀୟ ସଫଳତା ହାସଲ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନଗୁଡିକୁ ସମ୍ମାନିତ କରି ଖୁସି ଲାଗୁଛି। ସେ ଏହି ଅବସରରେ କହିଥିଲେ, ସବୁକ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ପ୍ରୋତ୍ସାହନ ଦିଗରେ ଆମ ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଏହି କାର୍ଯ୍ୟକ୍ରମ। ଆମେ ଏଭଳି ପ୍ରଖ୍ୟାତ ବକ୍ତା ଓ ଅତିଥିଙ୍କୁ ଏକାଠି କରିବାର ସୁଯୋଗ ପାଇଥିବାରୁ ଧନ୍ୟ ମନେ କରୁଛୁ।
ସମଗ୍ର ବିଶ୍ୱର ପ୍ରଭାବଶାଳୀ ନେତୃତ୍ୱ ଏବଂ ଯୁଗାନ୍ତକାରୀ ପ୍ରତିଭାଙ୍କୁ ଏକାଠି କରିବା ନେଇ ପ୍ରିଲ୍ୟୁଡ୍ ସବୁବେଳେ ପ୍ରତିଶ୍ରୁତିବଦ୍ଧ ରହିଛି। ଗତ ୨୬ ବର୍ଷ ହେବ କାର୍ଯ୍ୟ କରି ଆସିଥିବା ଏହି କମ୍ପାନୀ ମିଡିଆ ଓ ଇଭେଂଟ୍ ଦୁନିଆରେ ଅଗ୍ରଣୀ ସ୍ଥାନରେ ପହଂଚିସାରିଛି ଏବଂ ଉତ୍କର୍ଷତାର ସହ ନୂଆ ନୂଆ ପାହାଚ ଛୁଇଁଚାଲିଛି।

 

Comments are closed.