www.samajalive.in
Sunday, December 14, 2025
16.1 C
Bhubaneswar

ଦିଲ୍ଲୀରେ ଘାତକ ଗ୍ରୀଷ୍ମ ଲହରୀ: ଅଂଶୁଘାତରେ ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ : ରାଜଧାନୀ ସମେତ ସମଗ୍ର ଏନ୍‌ସିଆରରେ ଗ୍ରୀଷ୍ମ ଲହରୀ ଅସହ୍ୟ ହୋଇଛି। ଗରମ ଯୋଗୁଁ ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଅସୁସ୍ଥ ଜୀବନରକ୍ଷାକାରୀ ଚିକିତ୍ସା ବ୍ୟବସ୍ଥାରେ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ନୋଏଡ଼ା ଅଞ୍ଚଳରେ ୧୪ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି। ରାମ ମନୋହର ଲୋହିଆ ସମେତ ଅନ୍ୟାନ୍ୟ ହସ୍ପିଟାଲରେ ଏବେ ୫୦ରୁ ୬୦ ଅସୁସ୍ଥ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ରାମ ମନୋହର ଲୋହିଆ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି ଯେ ମୃତକ ଓ ଅସୁସ୍ଥ ବ୍ୟକ୍ତିମାନେ ଶ୍ରମିକ ଶ୍ରେଣୀର ଏବଂ ଅଂଶୁଘାତ ଯୋଗୁଁ ସେମାନଙ୍କର ଏଭଳି ଅବସ୍ଥା ହୋଇଛି। ଡାକ୍ତର ଶୁକ୍ଳା କହିଛନ୍ତି ଯେ ଶ୍ରମିକମାନଙ୍କୁ ଖରାରେ କାମ କରାଯିବାରୁ ସେମାନେ ଅଂଶୁଘାତର ଶିକାର ହୋଇଛନ୍ତି। ଅସୁସ୍ଥ ବ୍ୟକ୍ତିମାନଙ୍କୁ ବିଳମ୍ବରେ ଡାକ୍ତରଖାନାରେ ଆଣିବାରୁ ସେମାନଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର)ରେ ରାତ୍ରିକାଳୀନ ତାପମାତ୍ରା ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ ରହିଛି। ଚଳିତ ଗ୍ରୀଷ୍ମ ଋତୁରେ ରାତ୍ରିକାଳୀନ ତାପମାତ୍ରା ସ୍ବାଭାବିକ ଭାବେ ପାଖାପାଖି ୨୭.୫ ଡିଗ୍ରୀ ରହୁଥିବାବେଳେ ଗତ କିଛି କାଳ ଧରି ଏହା ୩୫.୨ ଡିଗ୍ରୀ ଅତିକ୍ରମ କରିବା ଯୋଗୁଁ ଲୋକେ ଶାନ୍ତିରେ ଶୋଇପାରୁନାହାନ୍ତି। ଶୀତତାପ ନିୟନ୍ତ୍ରଣ ଯନ୍ତ୍ର (ଏସି) ମଧ୍ୟ କାମ କରୁନାହିଁ। ୨୦୧୨ରେ ଦିଲ୍ଲୀ ଏନ୍‌ସିଆରର ରାତ୍ରିକାଳୀନ ତାପମାତ୍ରା ସର୍ବାଧିକ ୩୪ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେପଟେ ଗ୍ରୀଷ୍ମ ଲହରୀ ଯୋଗୁଁ ଦିଲ୍ଲୀରେ ଜଳ ଓ ବିଦ୍ୟୁତ୍ ସଂକଟ ଦେଖାଯାଇଛି। ଦିଲ୍ଲୀର ଲୋଡ ଡେସପାଚ ସେଣ୍ଟରର ତଥ୍ୟ ଅନୁଯାୟୀ ମଙ୍ଗଳବାର ପିକ୍ ଆୱାରରେ ବିଦ୍ୟୁତ୍ ଆବଶ୍ୟକତା ୮୬୪୭ ମେଗାୱାଟ୍ ରହିଥିଲା; ଯାହା ଅତୀତର ବିଦ୍ୟୁତ୍ ଆବଶ୍ୟକତା ରେକର୍ଡ ଭାଙ୍ଗିଛି। ଖରା ପାଇଁ ଜଳ ସଂକଟ ଦେଖାଯାଇଥିବାରୁ ଲୋକେ ଟ୍ୟାଙ୍କର ପାଣି ଅପେକ୍ଷାରେ ରହିଛନ୍ତି। ଜଳ ସମସ୍ୟା ସମାଧାନ ପାଇଁ ଦିଲ୍ଲୀ ଜଳ ବୋର୍ଡ ଅଧ୍ୟକ୍ଷା ଅତିଶୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଗ୍ରୀଷ୍ମ ଲହରୀ ଯୋଗୁଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରର କାରବାର ମଧ୍ୟ ପ୍ରଭାବିତ ହୋଇଛି। ବହୁ ବିମାନ ଚଳାଚଳ ବାତିଲ କରାଯାଇଥିବାବେଳେ କେତେକକୁ ବିଳମ୍ବ କରାଯାଉଛି। ଦିଲ୍ଲୀର ସମସ୍ତ ସରକାରୀ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଗ୍ରୀଷ୍ମ ଲହରୀକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଅଂଶୁଘାତ ଚିକିତ୍ସା ଶାଖା (ୟୁନିଟ୍) ଖୋଲିବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବୁଧବାର ନିର୍ଦେଶ ଦେଇଛନ୍ତି। ନଡ୍ଡା ବୁଧବାର ପରିସ୍ଥିତିର ସମୀକ୍ଷା କରି ଅଂଶୁଘାତ ଆକ୍ରାନ୍ତଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁଯାୟୀ ଦିଲ୍ଲୀ ଓ ଉତ୍ତର ଭାରତରେ ଗ୍ରୀଷ୍ମ ଲହରୀ ଲାଗି ରହିବ। ଏଥିପାଇଁ ଦିଲ୍ଲୀକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ଘରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଆଇଏମଡି କହିଛି ଯେ ଜୁନ୍ ୩୦ ବେଳକୁ ଦିଲ୍ଲୀରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି। ମୌସୁମୀ ବର୍ଷା ପରେ ଦିଲ୍ଲୀବାସୀ ରୌଦ୍ର ତାପରୁ ଆଶ୍ବସ୍ତି ପାଇବେ ବୋଲି ଆଇଏମ୍‌ଡି କହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories