BJD Bijuli 480×75 Mob

ଦିଲ୍ଲୀ ପ୍ରଶାସନର ପ୍ରଶଂସନୀୟ ପଦକ୍ଷେପ, ଆଶାର ରୋଷେଇ

BJD Bijuli 480×75 Mob

କରୋନା ମହାମାରୀ କାରଣରୁ ସାଧାରଣ ଜନଜୀବନ ଖୁବ୍ ଅଧିକ ପ୍ରଭାବିତ ହୋଇଛି। ମହାନଗରୀ ଦିଲ୍ଲୀରେ ଅଧିକାଂଶ କର୍ମଜୀବୀ ଦମ୍ପତି କାମର ଚାପରେ ରହିବା କାରଣରୁ ଘରେ ରୋଷେୟା ରଖିବାକୁ ଉଚିତ୍ ମଣିଥାନ୍ତି। ହେଲେ ମହାମାରୀ କାରଣରୁ ସମସ୍ତେ ରୋଷେୟା ବନ୍ଦ କରିବାକୁ ନିଷ୍ପତ୍ତି ନେଲେ। ଏପାଖେ ପର ଘରେ ରୋଷେଇ କରି ଦି’ ପଇସା ରୋଜଗାର କରୁଥିବା ମହିଳାମାନେ ଜୀବିକା ହରାଇଲେ। ନୂଆ ଦିଲ୍ଲୀ ପ୍ରଶାସନ ଏଇ ମହିଳାମାନଙ୍କୁ ପୁଣି ଆତ୍ମନିର୍ଭରଶୀଳ କରାଇବାର ପଦକ୍ଷେପ ନେଇ ଚର୍ଚ୍ଚା ପରିସରକୁ ଆସିଛି। ୩ ମାସରେ ୬ହଜାର ମହିଳାଙ୍କୁ ରୋଜଗାର ଯୋଗାଇଦେବାର ପ୍ରଶାସନର ଲକ୍ଷ୍ୟ। ପ୍ରାରମ୍ଭିକ ପର୍ଯ୍ୟାୟରେ ‘ଉମ୍ମିଦ କି ରସୋଇ’ (ଆଶାର ରୋଷେଇ) ନାମରେ ପଦକ୍ଷେପ ନିଆଯାଇଛି। ସହରର କେତୋଟି ପ୍ରାନ୍ତରେ ଏହାର ଷ୍ଟଲ୍ ଲାଗିଥିବାବେଳେ ମହିଳାମାନେ ସେଠାକୁ ଆସି ଖାଦ୍ୟ ବିକ୍ରି କରିଥାନ୍ତି। ଘରୁ ସେମାନେ ଖାଦ୍ୟ ତିଆରି କରି ଆଣୁଥିବାର ପ୍ରକାଶ। ଲକ୍‌-ଡାଉନ୍ ପୂର୍ବରୁ ଆରତୀ ସିଂ ନାମ୍ନୀ ଜଣେ ମହିଳା ନୋଏଡାରେ ବିଭିନ୍ନ ଲୋକଙ୍କ ଘରେ ରୋଷେଇ କରି ପେଟ ପୋଷୁଥିଲେ। ଏବେ ତାଙ୍କ କାମ ବନ୍ଦ ହେବା ପରେ ପରିବାରର ଗୁଜୁରାଣ୍ଟ ମେଣ୍ଟାଇବା କାଠିକର ହୋଇପଡ଼ିଲା। ଏଇ ‘ଉମ୍ମିଦ କି ରସୋଇ’ ତାଙ୍କ ପାଇଁ ଆଶାର କିରଣ ହେଲା। ଘରୁ ରାଜମା-ଭାତ ରୋଷେଇ କରି ସେ ପ୍ରଥମଦିନ ଷ୍ଟଲ୍‌ରେ ବିକ୍ରି ଆରମ୍ଭ କଲେ। ଦିନ ୨ଟା ସୁଦ୍ଧା ତାଙ୍କର ଖାଦ୍ୟ ବିକ୍ରି ହୋଇଗଲା। ପ୍ରଶାସନର ଏଇ ସହାୟତାକୁ ଆରତୀ ଖୁବ୍ ପ୍ରଶଂସା କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କୁ ବଡ଼ବଡ଼ ହୋଟେଲର ସେଫ୍‌ଙ୍କ ଠାରୁ ତାଲିମ ଦିଆଯାଇଛି। ଏହା ପରେ ଅନ୍ୟତମ ମୁଖ୍ୟ କଥା ହେଲା ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଖାଦ୍ୟ ବିକ୍ରି କରିବା। ସମସ୍ତ ନିୟମକୁ ଯଥା ଭାବେ ପାଳନ କରି ମହିଳାମାନେ କାମ କରୁଛନ୍ତି। ରୋଜଗାରର ଏଇ ନୂଆ ପନ୍ଥାରେ ସେମାନେ ପୁଣି ସଳଖି ଛିଡ଼ା ହେବାର ଚେଷ୍ଟାରେ ଲାଗିପଡ଼ିଛନ୍ତି। n

Comments are closed.