ଡେରାଡୁନ୍ : ହରିୟାଣାରେ ସିବିଏସ୍ଇ ଟପ୍ପର ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ନେଇ ସୃଷ୍ଟ ଉତ୍ତେଜନା ଥମି ନ ଥିବାବେଳେ ପୁଣି ଏକ ଲଜ୍ଜାଜନକ ଖବର ପଦାକୁ ଆସିଛି। ଡେରାଡୁନର ଏକ ଘରୋଇ ଆବାସିକ(ବୋର୍ଡିଂ) ସ୍କୁଲର ଜଣେ ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ ଉପରିସ୍ଥ ଶ୍ରେଣୀର ୪ଜଣ ଛାତ୍ର ଗଣବଳାତ୍କାର କରିଛନ୍ତି। ଏହି ଘଟଣା ଅଗଷ୍ଟ ୧୪ରେ ଘଟିଥିଲେ ମଧ୍ୟ ବିଳମ୍ବରେ ଲୋକଲୋଚନକୁ ଆସିଛି। ରବିବାର ଡେରାଡୁନ ପୁଲିସ ଅଧୀକ୍ଷକ(ଏସ୍ଏସ୍ପି) ନିବେଦିତା କୁରେଟି କୌଣସି ସୂତ୍ରରୁ ଏ ବିଷୟରେ ସୂଚନା ପାଇ ତଦନ୍ତ କରିବାରେ ଅତ୍ୟନ୍ତ ଚିନ୍ତାଜନକ କଥା ସାମ୍ନାକୁ ଆସିଛି। ସୂଚନାନୁଯାୟୀ, ଗଣବଳାତ୍କାର ଯୋଗୁଁ ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିବାବେଳେ ଏହି ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଚପାଇଦେବା ଉଦ୍ୟମ କରିଛନ୍ତି। କେବଳ ସେତିକି ନୁହେଁ; ପୀଡ଼ିତାଙ୍କ ଗର୍ଭପାତ ପାଇଁ ମଧ୍ୟ ତାଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିଥିବା ଜଣାପଡ଼ିଛି।
ଗଣବଳାତ୍କାର ଅଭିଯୋଗର ପ୍ରମାଣ ମିଳିବା ପରେ ୧୭ ବର୍ଷ ବୟସ୍କ ୪ ଜଣ ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ ସୋମବାର ଗିରଫ କରିଛି। ଘଟଣାକୁ ଚପାଇବା ଉଦ୍ଦେଶ୍ୟରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଉକ୍ତ ସ୍କୁଲର ନିର୍ଦେଶକ, ଅଧ୍ୟକ୍ଷ, ପ୍ରଶାସନିକ ଅଧିକାରୀ, ତାଙ୍କ ପତ୍ନୀ ଏବଂ ହଷ୍ଟେଲର ତତ୍ତ୍ୱାବଧାରକଙ୍କୁ ମଧ୍ୟ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଭାରତୀୟ ପିଙ୍ଗଳ କୋଡ୍ ଏବଂ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକସୋ) ଆଇନାନୁଯାୟୀ ମାମଲା ରୁଜୁ କରିଛି। ମଙ୍ଗଳବାର ଗିରଫ ଅଭିଯୁକ୍ତମାନଙ୍କୁ ଜୁଭେନାଇଲ (ନାବାଳକ) କୋର୍ଟରେ ଏବଂ ଅନ୍ୟାନ୍ୟ ଅଭିଯୁକ୍ତମାନଙ୍କୁ ଅନ୍ୟ ଏକ କୋର୍ଟରେ ହାଜର କରାଯାଇଥିବା ପୁଲିସ ସୂଚନା ଦେଇଛି।
ଥାନାଧିକାରୀ ନରେଶ ରାଠୋରଙ୍କ ସୂଚନା ମୁତାବକ ପୀଡ଼ିତା ଛାତ୍ରୀ ଭିନ୍ନ ରାଜ୍ୟରୁ ଆସି ଏଠାରେ ପାଠ ପଢୁଥିଲେ। ଗଣବଳାତ୍କାର ଘଟଣା ସମ୍ବନ୍ଧରେ ସେ ସ୍କୁଲ ପ୍ରଶାସନକୁ ଅବଗତ କରିଥିଲେ। ପୀଡ଼ିତା ଗର୍ଭବତୀ ଥିବା ଜାଣିବା ସତ୍ତ୍ବେ ଏ ବିଷୟରେ ପୁଲିସ ତଥା ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ପରିବର୍ତ୍ତେ ସ୍କୁଲ ପ୍ରଶାସନ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ବାଧ୍ୟ କରିଥିଲେ। ଏଥିନେଇ ତାଙ୍କୁ ଗର୍ଭପାତ ଔଷଧ ଦିଅଯାଇଥିଲା ଏବଂ ପରେ ଏକ ନର୍ସିଂହୋମକୁ ନିଆଯାଇଥିଲା। ଏପରିକି ଘଟଣା ବିଷୟରେ କାହାରି ନିକଟରେ ପ୍ରକାଶ ନ କରିବାକୁ ତାଙ୍କୁ କୁହାଯାଇଥିଲା। ଡାକ୍ତରୀ ପରୀକ୍ଷା ରିପୋର୍ଟ ଆସିବା ପରେ ଏହି ଘଟଣା ସମ୍ବନ୍ଧରେ ଅଧିକ ସୂଚନା ମିଳିବ ବୋଲି ପୁଲିସ କହିଛି।
ଡେରାଡୁନ୍ ବୋର୍ଡିଂ ସ୍କୁଲରେ ନାବାଳିକାଙ୍କୁ ଗଣବଳାତ୍କାର
Popular Categories



