ଭୁବନେଶ୍ୱର/କଲକାତା: କଲକାତାରେ ଆରମ୍ଭ ହୋଇଛି ଓଡ଼ିଶା ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଏକ୍ମୋ ଚିକିତ୍ସା। ମଙ୍ଗଳବାର କଲକାତା ବିମାନ ବନ୍ଦରରୁ ସବୁଜ ବଳୟ ମଧ୍ୟରେ ମେଡିକା ହାସ୍ପାତାଳକୁ ଶ୍ରୀ ପାଣିଗ୍ରାହୀଙ୍କୁ ନିଆଯାଇ ଏକ୍ମୋ ଦ୍ବାରା ସ୍ବତନ୍ତ୍ର ଆଇସିୟୁରେ ରଖାଯାଇଛି।
ଡାକ୍ତରଖାନାର ଚେୟାରମ୍ୟାନ୍ ଡା. ଆଲୋକ ରାୟ କହିଛନ୍ତି ଯେ ଶ୍ରୀ ପାଣିଗ୍ରାହୀ କୋଭିଡ ନିମୋନିଆରେ ଆକ୍ରାନ୍ତ ହୋଇଛନ୍ତି। ଅମ୍ଳଜାନ ମାତ୍ରା ଯଥେଷ୍ଟ କମ୍। ଏହି ହାଇପ୍ରୋକ୍ସିଆ ଚିକିତ୍ସା ଚାରିଜଣିଆ ଡାକ୍ତରୀଦଳ ଡା. ଦ୍ବିପାଞ୍ଜନ, ଡା. ଅର୍ପଣ, ଡା. ତନ୍ମୟ ବାନାର୍ଜୀ ଏବଂ ଡା. ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାରେ ଚାଲିଛି। ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଉଦ୍ବେଗଜନକ। ବର୍ତ୍ତମାନ ସେ ଯଥେଷ୍ଟ କମ୍ ପରିମାଣର ଅମ୍ଳଜାନ ଗ୍ରହଣ କରୁଛନ୍ତି, ଯାହାକୁ ନେଇ ଡାକ୍ତରଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଡା. ରାୟଙ୍କ କହିବାନୁଯାୟୀ, ଏସିଆ ମହାଦେଶର ସବୁଠାରୁ ଉନ୍ନତମାନର ଏକ୍ମୋ ଚିକିତ୍ସା ମେଡ଼ିକାରେ ରହିଛି। ଚିକିତ୍ସା କରୁଥିବା ଡା. ସେଠୀ କହିଛନ୍ତି, ଡାକ୍ତରଖାନା ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଆଶା କରାଯାଏ ଶ୍ରୀ ପାଣିଗ୍ରାହୀ ସ୍ବାଭାବିକ ସ୍ଥିତିକୁ ଶୀଘ୍ର ଫେରି ଆସିବେ।



