ପାଣିର ଗାର ସାଜିଲା ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିଶୃତି, ଆରମ୍ଭ ହୋଇନି ପାଣିଭଣ୍ଡାର-କନ୍ଦର୍ପ ରାସ୍ତାର ମରାମତି କାର୍ଯ୍ୟ
ଦେବଗଡ: କ୍ଷତିଗ୍ରସ୍ତ ପାଣିଭଣ୍ଡାର-କନ୍ଦର୍ପ ରାସ୍ତା ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବାରୁ ଖୁବଶୀଘ୍ର ଏହା ଉପରେ ଆଉଏକ ପରସ୍ତ(ଲୋୟାର)ପିଚୁ ପଡିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ ଦେବଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ସୋରେନ। ମାତ୍ର ଆଜକୁ ପ୍ରତିଶୃତି ଦେବାର ୧୪ ଦିନ ବିତିଯାଇଥିଲେ ମଧ୍ୟ ନିର୍ବାହୀ ଯନ୍ତ୍ରୀ ସୋରେନ ପ୍ରତିଶୃତି ପାଳନ କରିନଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି କ୍ଷତିଗ୍ରସ୍ତ ରାସ୍ତାର ପୁନଃନିର୍ମାଣ/ମରାମତି ହେବା ନେଇ ମଧ୍ୟ ସାଧରଣରେ ସନ୍ଦେହ ସୃଷ୍ଟି ହୋଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ ନିର୍ମାଣକାରୀ ସଂସ୍ଥା ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ରାତି ଦିନ ନିୟୋଜିତ ହୋଇଥିବା ପୁରୁଷ ଓ ମହିଳା ଶ୍ରମିକଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନ କରିବାକୁ ଉଚିତ ମଣିନାହିଁ। ଏଠାରେ ସୂଚନା ଯୋଗ୍ୟ ଯେ ଦେବଗଡ ଜିଲାର ସବୁଠାରୁ ଅନୁନ୍ନତ ତଥା ଆଦିବାସୀ ଅଧ୍ୟୁଷିତ ତିଲେଇବଣି ବ୍ଲକ ଲଇମୁରା ଗ୍ରାମ ପଞ୍ଚାୟତରେ ଆର୍.ଡି.(ଗ୍ରାମ୍ୟ ନିର୍ମାଣ)ବିଭାଗ ପକ୍ଷରୁ ପ୍ରାୟ ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ ପାଣିଭଣ୍ଡାର-କନ୍ଦର୍ପ (୩.୧୦୦କି.ମି.)ରାସ୍ତାର ନିର୍ମଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ନିର୍ମାଣର ୪୮ଘଂଟା ନପୁରୁଣୁ ରାସ୍ତାରୁ ପିଚୁ ଉଠିବା ଆରମ୍ଭ ହୋଇଥିଲା। କାଳକ୍ରମେ ପିଚୁ ବୋଳା ଚିପ୍ସ ଓ ବଜୁରି ଉଠିଯିବା ସହ ଇତିମଧ୍ୟରେ ରାସ୍ତାର ବିଭିନ୍ନ ସ୍ଥାନରେ ବହୁ ଖଳାଲ ଖମା ସୃଷ୍ଟି ହୋଇଛି। ଭଲଭାବେ ରୋଲିଂ କରାଯାଇନଥିବାରୁ ଅନେକ ସ୍ତାନର ରସ୍ତାଟି ଆବୁଡାଖାବୁଡା ରହିଛି। ଆବଶ୍ୟକତା ଠାରୁ କମ୍ ମୋଟେଇର ପିଚୁବୋଳା ଚିପ୍ସ ଓ ବଜୁରୀ ବିଛାଯାଇଥିବାରୁ ବିଭିନ୍ନ ସ୍ଥାନରେ ମେଟାଲ ଗୁଡିକ ଉପରକୁ ଦେଖାଯିବା ସହ ରାସ୍ତାରେ ଘାସ ମଧ୍ୟ କଅଁଳିବାରେ ଲାଗିଛି। ଫଳରେ ରାସ୍ତାର ସ୍ଥାୟୀତ୍ୱ ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକଟ କରିଛନ୍ତି। ଏ ସମ୍ପର୍କରେ ଅଞ୍ଚଳବାସୀ ଏକାଧିକବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଫଳରେ ବିଭାଗୀୟ ଯନ୍ତ୍ରୀ ମାନଙ୍କ ସହ ନିର୍ମାଣକାରୀ ସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଏଭଳି ଅନିୟମିତତା ଏବଂ ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବା ଉଭୟ ପାଣିଭଣ୍ଡାର ଓ କନ୍ଦର୍ପ ଗ୍ରାମବାସୀ ଅଭିଯୋଗ କରିଥିଲେ।
ଏଭଳି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରଞ୍ଜନ ଚାରଡିଆ ଓ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ କୁମାର ସୋରେନଙ୍କୁୁ ପଚାରିବାରୁ ଅଞ୍ଚଳବାସୀ ଏନେଇ ଅଭିଯୋଗ କରିଥିବା ସ୍ୱୀକାର କରିଥିଲେ। ଏଥିସହ ଓଭର ହିଟ୍ ଯୋଗୁଁ ଏଭଳି ସମସ୍ୟା ଦେଖା ଦେଇଥିବା ଦର୍ଶାଇ ଏହାର ମରାମତି ପାଇଁ ନିର୍ମାଣ କାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ଉତ୍ତର ଦେଇଥିଲେ। ଏ ସମ୍ପର୍କରେ ଗତ ଜୁନ ମାସ ୨୫ ତାରିଖରେ ‘ସମାଜ’ ତଥ୍ୟ ଭିତ୍ତିକ ସଚିତ୍ର ଖବର ପ୍ରକାଶ ପାଇବାରୁ ୨୮ ତାରିଖ ଦିନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ସୋରେନ ନିର୍ମାଣ କର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଏସ୍.ଡି.ଓ.ଙ୍କ ସହ ଉକ୍ତ ରାସ୍ତାକୁ ଯାଇ ରାସ୍ତାର ଅବସ୍ଥା ଅନୁଧ୍ୟାନ କରିଥିଲେ। ଅନୁଧ୍ୟାନ ପରେ ନିର୍ବାହୀ ଯନ୍ତ୍ରୀ ସୋରେନ ଓଭର ହିଟ ଯୋଗୁଁ ପିଚୁ ବୋଳା ଚିପ୍ସ ଓ ବଜୁରି ଉଠିଯାଇଥିବା ଏବଂ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିବା ସହ ଉକ୍ତ ରାସ୍ତାରେ ପିଚୁର ଆଉ ଏକ ପରସ୍ତ ପକାଯିବ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଇତିମଧ୍ୟରେ ଏହାର ୧୪ ଦିନ ବିତି ଯାଇଥିଲେ ହେଁ ମରାମତି କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋଇ ନୈରାଶ୍ୟ ଭାବ ପ୍ରକାଶ ପାଇଛି। ସେହିପରି ଦେବଗଡ ଜିଲାପାଳ ଏବଂ ବିଭାଗୀୟ ମୂଖ୍ୟଯନ୍ତ୍ରୀ ତୁରନ୍ତ ମରାମତି ଏବଂ ଶ୍ରମିକଙ୍କ ବକେୟା ପ୍ରାପ୍ୟ ପ୍ରଦାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।
Comments are closed.