ପୋଖରୀରୁ ନବବଧୂର ମୃତଦେହ ଉଦ୍ଧାର
ଯୌତୁକ ନିର୍ଯ୍ୟାତନା ଦେଇ ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପଘର ଲୋକେ
ତିର୍ତ୍ତୋଲ : ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ଗୁରୁବାର ପୋଖରୀରୁ ଜଣେ ନବବଧୂର ମୃତଦେହ ଉଦ୍ଧାର କରାଯାଇଛି। ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବାସହ ମିଳିମିଶି ମାରି ପୋଖରୀରେ ପୋଫାଡି ଦେଇଥିବା ନେଇ ମୃତ ନବବଧୂ ଚିନ୍ନୟୀଙ୍କ ବଡବାପା ସୁରେଶ ଦାସ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ କେସ୍ ନଂ ୨୪୩/୧୯ରେ ଏକ ମାମଲା ଋଜୁ କରିଛି। ଅଭିଯୁକ୍ତ ଶାଶୁଘରର ସଦସ୍ୟମାନଙ୍କୁ ଥାନାକୁ ଆଣି ଘଟଣା ସମ୍ପର୍କରେ ପଚରାଉଚୁରା ଚଳାଇଥିବା ଥାନା ଅଧିକାରୀ କୃଷ୍ଣପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି।
ଅଭିଯୋଗ ମୁତାବକ, ତିର୍ତ୍ତୋଲ ଥାନା ସଲମପୁର ଗ୍ରାମର ସ୍ୱର୍ଗତ ବୀରକିଶୋର ଦାସଙ୍କ ଝିଅ ଚିନ୍ମୟୀ ବଣିତୋ ଗ୍ରାମର ରାମଚନ୍ଦ୍ର ବେହେରାଙ୍କ ବଡପୁଅ ରାଜକିଶୋରଙ୍କୁ ଗତ ୨୦୧୯ ମସିହା ଫେବୃଆରୀ ମାସ ୧୦ ତାରିଖରେ ବୈଦିକରୀତିରେ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ସ୍ୱର୍ଣ୍ଣ ଅଳଙ୍କାର, ଆସବାବ ପତ୍ର ଓ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। କିଛି ଦିନ ପରେ ଶାଶୁଘର ଲୋକେ ଆଉ ଅଧିକ ଯୌତୁକ ଆଣିବା ପାଇଁ ଚିନ୍ମୟୀଙ୍କୁ ନିର୍ଯ୍ୟାତନା ସହ ମାରିଦେବା ପାଇଁ ଧମକ ଚମକ ଦେଇ ଆସୁଥିଲେ। ଚିନ୍ମୟୀଙ୍କ ଖୁଡୁତାଶୁର ସୁକୁଟା ବୁଧବାର ଠାରୁ ଚିନ୍ମୟୀ ଘରୁ କୁଆଡେ ଚାଲିଯାଇଛି ଓ ପରେ ତାଙ୍କ ମୃତଦେହ ଗ୍ରାମ ପୋଖରୀରେ ଭାସୁଥିବା ସମ୍ପର୍କରେ ଚିନ୍ନୟୀଙ୍କ ବାପଘରକୁ ଫୋନ ଯୋଗେ ଗୁରୁବାର ଭୋରରୁ ଖବର ଦେଇଥିଲେ। ପୁଲିସ ଖବରପାଇ ଘଟଣାସ୍ଥଳକୁ ଯାଇ ମୃତଦେହକୁ ପୋଖରୀରୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଜଗତସିଂହପୁର ପଠାଇଥିଲା। ଅନ୍ୟପକ୍ଷରେ ବିବାହ ୬ ମାସ ନପୁରୁଣୁ ଏଭଳି ମୃତ୍ୟରେ ଚିନ୍ମୟୀର ବାପଘର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
Comments are closed.