କଟକ: ସେବାର ପର୍ଯ୍ୟାୟବାଚୀ ଶବ୍ଦ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ସେ ଥିଲେ ସେବାର ଅନନ୍ୟ ପ୍ରତିଭୂ। ଜଣେ ସାମାଜିକ କର୍ମୀ ଭାବେ ଓଡ଼ିଶାକୁ ଭାରତବର୍ଷରେ ପରିଚୟ ଦେଇଥିଲେ। ତାଙ୍କ ତ୍ୟାଗ ନିଦର୍ଶନକୁ ବିଚାର କଲେ ସେ ହିମାଳୟ ଠାରୁ ବଡ଼ ଥିଲେ। ଯେଉଁ ସମୟରେ ଦେଶ ସ୍ବତନ୍ତ୍ରତାର ଲଢ଼େଇ ଲଢ଼ୁଥିଲା, ସେତେବେଳେ କିଛି ମନୀଷୀ ରାଷ୍ଟ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଧ୍ୟାତ୍ମିକ ଭାରତ ଆଧାରରେ ଶିକ୍ଷା ପ୍ରଣାଳୀ ବିଷୟରେ ଚିନ୍ତା କରୁଥିବା ବ୍ୟକ୍ତିଙ୍କ ମଧ୍ୟରେ ଗୋପବନ୍ଧୁ ଅନ୍ୟତମ ଥିଲେ। ତତ୍କାଳୀନ ସମୟରେ ସେ ପରିକଳ୍ପନା କରିଥିବା ଶିକ୍ଷା ବ୍ୟବସ୍ଥାକୁ ଆଜିର ସରକାର ଜାତୀୟ ଶିକ୍ଷାନୀତିରେ ସନ୍ନିବେଶିତ କରି କାର୍ଯ୍ୟକାରୀ କରୁଛନ୍ତି। ଯଦି ଗୋପବନ୍ଧୁ ଅଧିକ ବର୍ଷ ବଞ୍ଚିଥାନ୍ତେ, ତାହେଲେ ସେ ରାଷ୍ଟ୍ରୀୟ ଆନ୍ଦୋଳନର ପ୍ରମୁଖ ଜନକ ହୋଇପାରିଥାନ୍ତେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଲୋକସେବକ ମଣ୍ଡଳ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗ ଦେଇ ଏହା କହିଥିଲେ। ସେ କହିଥିଲେ ଯେ, ଲାଲ ଲଜ୍ପତ୍ ରାୟଙ୍କ ସହ ମିଶି ଉତ୍କଳମଣି ଭାରତରେ ସାମାଜିକ ମୂଲ୍ୟବୋଧ ନବ ସୃଜନ ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ। ଯେଉଁଥି ପାଇଁ ଆଜି ‘ସମାଜ’ ଲୋକସେବକ ମଣ୍ଡଳର ଏକ ଅଂଶ ହୋଇଛି। ବିଭିନ୍ନ ନୈସର୍ଗିକ ଆପତ୍ତି ଓ ବିପତ୍ତି ସମୟରେ ଯଦି କିଏ ଓଡ଼ିଶାବାସୀଙ୍କ ସହାୟକ ହୋଇଛି, ତାହା ହେଉଛି ଗୋପବନ୍ଧୁଙ୍କର ଆଦର୍ଶର ସେବା ପ୍ରଣାଳୀ ଏବଂ ‘ସମାଜ’ ଅନୁଷ୍ଠାନ। ଶହେ ବର୍ଷ ମଧ୍ୟରେ କେଉଁ ପଞ୍ଚାୟତ ନଥିବ ଯେଉଁଠାରେ ‘ସମାଜ’ର ରିଲିଫ ପହଞ୍ଚି ନାହଁି। ନିର୍ବିବାଦୀୟ ଭାବେ ଓଡ଼ିଶାରେ ୧୦୫ର ଉପଲବ୍ଧି ହେଉଛି ‘ସମାଜ’। ଓଡ଼ିଆ ଲୋକଙ୍କ ଆସ୍ଥା ‘ସମାଜ’ ସହ ଯୋଡ଼ି ହୋଇଛି। ସବୁ ଘାତ ପ୍ରତିଘାତ ପରେ ଓଡ଼ିଆ ଜାତି ମୁଣ୍ଡ ଟେକି ସଭ୍ୟତାକୁ ବଞ୍ଚାଇ ରଖିବା କ୍ଷେତ୍ରରେ ‘ସମାଜ’ ଓ ଗୋପବନ୍ଧୁଙ୍କର ବିଚାର ପ୍ରେରିତ କରିଛି। ଆଜିର ସମୟରେ ଗୋପବନ୍ଧୁଙ୍କ ବିଚାରର ଆବଶ୍ୟକତା ରହିଛି। ଗୋପବନ୍ଧୁଙ୍କର ଅଧୁରା କାମକୁ ପୂରା କରିବାକୁ ରାଜ୍ୟ ସରକାର ବକୁଳବନକୁ ପୁର୍ନନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଆଗାମୀ ଏକବିଂଶ ଶତାବ୍ଦୀର ପୂରା ସମୟ ଗୋପବନ୍ଧୁଙ୍କ ବିଚାର ପୁନଃଗ୍ରହଣ କରିବା ପାଇଁ ପ୍ରୟାସ କଲେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ।
ସମ୍ମାନିତ ଅତିଥି ଭାବେ ପୁରୀ ସାଂସଦ ଡ.ସମ୍ବିତ ପାତ୍ର କହିଲେ, ସଂଘର୍ଷ ଅନ୍ୟନାମ ହେଉଛନ୍ତି ଗୋପବନ୍ଧୁ। ଯିଏ ନିଜ ବିଷୟ ଚିନ୍ତା ନ କରି ସମାଜ ପାଇଁ ଚିନ୍ତା କରନ୍ତି, ତାଙ୍କ ବିଷୟରେ ସମାଜ ଚିନ୍ତା କରେ। ଆଜି ବି ଗୋପବନ୍ଧୁଙ୍କୁ ଲୋକମାନେ ମନେ ରଖିଛନ୍ତି। ତାଙ୍କ ବିଚାରଧାରାରେ ସେ ଜୀବିତ ରହିଛନ୍ତି। ତେଣୁ ଅନ୍ୟ ପାଇଁ ବଞ୍ଚିଲେ ଆମେ ଗୋପବନ୍ଧୁ ହୋଇପାରିବା। ଏଥିପାଇଁ ଆଜିର ପିଢ଼ିଙ୍କୁ ଅନୁଚିନ୍ତନ ଆବଶ୍ୟକତା ରହିଛି ବୋଲି ଡା.ପାତ୍ର କହିଥିଲେ।
ଲୋକସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାର କହିଲେ, ଗୋପବନ୍ଧୁ ଦାସଙ୍କ ଦ୍ବାରା ଆରମ୍ଭ ହୋଇଥିବା କାର୍ଯ୍ୟ ଲୋକସେବକ ମଣ୍ଡଳ ଦ୍ବାରା ଜାରି ରହିଛି। ଏହାକୁ କିଭଳି ଆଗକୁ ନିଆଯାଇପାରିବ, ତାହା ସମସ୍ତଙ୍କର ଦାୟିତ୍ବ;କିନ୍ତୁ ସମ୍ପ୍ରତି ସମାଜରେ ସଚ୍ଚୋଟତା ସହ କାର୍ଯ୍ୟ କରିବା ଏକ ଆହ୍ବାନ ପାଲଟିଛି। ସ୍ବାଧୀନତା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ନିଃସ୍ବାର୍ଥପର ଭାବରେ ସେବା ଏବଂ ତ୍ୟାଗ କରୁଥିଲେ। ଏବେ ସମାଜସେବା କରୁଥିବା ଲୋକ ନିଜର ଭବିଷ୍ୟତ କଥା ପ୍ରଥମେ ଚିନ୍ତା କରୁଛନ୍ତି;କିନ୍ତୁ ୧୦୦ ବର୍ଷ ଧରି ଚାଲିଥିବା ‘ସମାଜ’ କିଭଳି ଆହୁରି ୧୦୦ ବର୍ଷ ବଞ୍ଚିବ ସେଥିପାଇଁ ଲୋକସେବକ ମଣ୍ଡଳ କାର୍ଯ୍ୟ କରିବ ବୋଲି ଶ୍ରୀ ରାଜକୁମାର ମତ ଦେଇଥିଲେ।
ଲୋକସେବକ ମଣ୍ଡଳର ଉପସଭାପତି ଶ୍ରୀ ଦୀପକ ମାଲବ୍ୟ କହିଥିଲେ, କୌଣସି ବ୍ୟକ୍ତିର ଜୀବନ ଶହେ ବର୍ଷରୁ କମ୍ ହୋଇଥାଏ; ହେଲେ ଏକ ଅନୁଷ୍ଠାନର ଆୟୁଷ ୧୦୦ବର୍ଷରୁ ଅଧିକ ଥାଏ। ଆଜିର ସମୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଜଣେ ଅନୁଷ୍ଠାନରେ ପରିଣତ ହୋଇଛନ୍ତି। ସେ ଜଣେ ଲୋକନାୟକ ଏବଂ ରାଜର୍ଷି। ରାଜନୀତିରେ ରହି ମଧ୍ୟ ସମାଜରେ ଋଷି ଭଳି କାର୍ଯ୍ୟ କରୁଥିଲେ ଏବଂ ଲୋକଙ୍କ ସେବା କରୁଥିଲେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥି ନୂତନ ପିଢ଼ିଙ୍କୁ ପ୍ରେରଣା ଦେଇଥାଏ ବୋଲି ଶ୍ରୀ ମାଲବ୍ୟ ମତ ପ୍ରକାଶ କରିଥିଲେ।
‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ଡ.ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ କହିଥିଲେ, ଉତ୍କଳମଣି ପରିକଳ୍ପନା କରିଥିବା ‘ସମାଜ’ ଆଜି ବଟବୃକ୍ଷରେ ପରିଣତ ହୋଇଛି। ଶିକ୍ଷା, ସାମାଜିକ ଜୀବନ, ରାଜ୍ୟର ବିକାଶ ଆଦି କ୍ଷେତ୍ରରେ ଲୋକଙ୍କ ସହ ରହି ଆସିଛି। ତେଣୁ ରାଜ୍ୟକୁ ଆହୁରି ଅଧିକ ବିକାଶିତ କରିବାକୁ ହେଲେ ତାଙ୍କ ନିର୍ଦେଶିତ ପଥରେ ଯିବାକୁ ହେବ ବୋଲି ଡ. ଆଚାର୍ଯ୍ୟ କହିଥିଲେ।
ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ରାଜେନ୍ଦ୍ର ଜେନା ଧନ୍ୟବାଦ ଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ଓ ‘ସମାଜ’ର ଉପମୁଖ୍ୟ ସହସମ୍ପାଦକ ଆଦିତ୍ୟ ପତିଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଅତିଥିମାନେ ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା ଉନ୍ମୋଚନ କରିଥିଲେ। ଏଥିସହ ଓଡ଼ିଆ ବାଗ୍ମିତାର ଶୀର୍ଷ ସମ୍ମାନ ସ୍ବରୂପ ରାଜ୍ୟସ୍ତରୀୟ ‘ଓଜସ୍ବିନୀ ଓଡ଼ିଶା- ଗୋପବନ୍ଧୁ ସ୍ମାରକ ବକ୍ତୃତା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ‘ସମାଜ’ର ସମ୍ପାଦକ ତପନ ମିଶ୍ର ଅତିଥି ପରିଚୟ ଦେଇଥିଲେ। କାର୍ଯ୍ୟବାହୀ ବାର୍ତ୍ତା ସମ୍ପାଦକ ଅନୁପମ ପ୍ରହରାଜ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟବାହୀ ବାର୍ତ୍ତା ସମ୍ପାଦକ କାଳୀପ୍ରସନ୍ନ ଶତପଥୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପୂର୍ବାହ୍ଣରେ ଗଡ଼ଗଡ଼ିଆ ଘାଟରେ ଗୋପବନ୍ଧୁଙ୍କୁ ତିଳତର୍ପଣ କରାଯିବା ସହ ବକ୍ସି ବଜାରସ୍ଥିତ ଗୋପବନ୍ଧୁ ଭବନ ପରିସରରେ ଏକ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ସେବାର ଅନନ୍ୟ ପ୍ରତିଭୂ…
ସେବାର ଅନନ୍ୟ ପ୍ରତିଭୂ ଗୋପବନ୍ଧୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ
Popular Categories



