ହାଇଦରାବାଦ: ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲା ଅନ୍ତର୍ଗତ ଶଙ୍କରପଲ୍ଲୀ ନିକଟରେ ଜଣେ ଯୁବତୀ ରେଳଧାରଣା ଉପରେ ପ୍ରାୟ ୩୦ ସେକେଣ୍ଡ ଧରି କାର୍ ଚଳାଇ ଗିରଫ ହୋଇଛନ୍ତି। ଯୁବତୀଙ୍କ ଏଭଳି ବିଶୃଙ୍ଖଳ କାର୍ଯ୍ୟ ପାଇଁ ସେହି ରୁଟ୍ରେ ଚଳାଚଳ କରୁଥିବା ଏକାଧିକ ଟ୍ରେନ୍କୁ ବାତିଲ କରାଯାଇଥିବାବେଳେ ଆଉ କେତେକ ଟ୍ରେନ୍ର ଗତିପଥକୁ ପରିବର୍ତ୍ତନ କରାଯାଇଛି। ରେଳବାଇ ପୁଲିସ, କର୍ମଚାରୀ ଏବଂ ସାଧାରଣ ଲୋକଙ୍କ ସହାୟତାରେ କାର୍କୁ ଅଟକା ଯାଇଥିବାବେଳେ ଯୁବତୀଙ୍କୁ ବହୁକଷ୍ଟରେ ବାହାରକୁ ଅଣାଯାଇଥିଲା। ତେବେ ଯୁବତୀଙ୍କ ଏହି କାର୍ଯ୍ୟ ପଛର ରହସ୍ୟ ଜଣାପଡିନାହିଁ। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ ଯୁମତୀ ଜଣକ ରେଳଧାରଣା ଉପରେ କିଆ ସୋନେଟ୍ କାର ଚଳାଇଥିଲେ। କିଛି ବାଟ ଗୋଡାଇବା ପରେ ରେଳବାଇ ପୁଲିସ କାର୍କୁ ଅଟକାଇବାରେ ସଫଳ ହୋଇଥିଲା। ତେବେ ଯୁବତୀ ଜଣକ ବାହାରକୁ ବାହାରିବାକୁ ସ୍ପଷ୍ଟ ମନା କରିଦେଇଥିଲେ। ଜବରଦସ୍ତ ତାଙ୍କୁ ବାହାରକୁ ଆଣି ହ୍ୟାଣ୍ଡକପ୍ ପକାଯାଇଥିଲା। ଏଥିରେ କ୍ଷୁବ୍ଧ ହୋଇ ଯୁବତୀ ଜଣକ ଜୋରରେ ଚିତ୍କାର କରିବା ସହ ପୁଲିସକୁ ଗାଳିଫଜିତ କରିିଥିଲେ। କାର୍ ମଧ୍ୟରୁ ଯୁବତୀଙ୍କ ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ୍ କାର୍ଡ ଜବତ କରାଯାଇଛି। ଯୁବତୀ ଜଣକ ଉଚ୍ଚଶିକ୍ଷିତା ହୋଇଥିବାବେଳେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରି କରୁଛନ୍ତି। ସମ୍ଭବତଃ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ସଂପୃକ୍ତ ଯୁବତୀ ଏଭଳି କାର୍ଯ୍ୟ କରୁଥିବା ରେଳବାଇ ପୁଲିସ ଆଶଙ୍କା କରୁଛି।
Popular Categories



