www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ସାଆନ୍ତେଙ୍କ ଘୋଷଯାତ୍ରା

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାପ୍ରଭୁଙ୍କୁ ଅପେକ୍ଷା କରିଛନ୍ତି ତିନିରଥ। ଭକ୍ତ ଓ ଭଗବାନଙ୍କ ମହାମିଳନ ପାଇଁ ଚାହିଁ ବସିଛି ବଡ଼ଦାଣ୍ଡ। ଦେଶ ବିଦେଶର ବିଭିନ୍ନ ସ୍ଥାନରୁ ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଶୁକ୍ରବାର ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ବଡ଼ଠାକୁର ଶ୍ରୀବଳଭଦ୍ର, କାଳିଆ ଠାକୁର ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଅପେକ୍ଷା କରିଛି ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ। ଅଗଣିତ ଶ୍ରଦ୍ଧାଳୁଙ୍କ ଗହଣକୁ ଆସିବା ପାଇଁ ଅପେକ୍ଷା କରିଛନ୍ତି ପରଂବ୍ରହ୍ମ। ଗୁରୁବାର ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ପରେ ଶ୍ରୀନଅର ସମ୍ମୁଖ ରଥଖଳାରୁ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଛି। କଡ଼ା ସୁରକ୍ଷା ବଳୟରେ ରହିଛି ତିନିରଥ। ରଥଯାତ୍ରା ଯେତିକି ନିକଟ ହେଉଛି ଭକ୍ତଙ୍କ ସଂଖ୍ୟା ସେତିକି ବଢ଼ି ଚାଲିଛି। ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଚଳାଇଛି।
ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୬ଟାରେ ଦାରୁବ୍ରହ୍ମଙ୍କ ମଙ୍ଗଳ ଆଳତି କରାଯିବ। ତଡ଼ପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ବେଶ କରାଯିବ। ସକାଳ ୮ଟାରୁ ୯ଟା ମଧ୍ୟରେ ସକାଳ ଧୂପରେ ପ୍ରଭୁଙ୍କୁ ଖେଚୁଡ଼ି ଭୋଗ କରାଯିବ। ଶାସ୍ତ୍ରୀୟ ବିଧି ଅନୁଯାୟୀ ଦେଉଳ ପୁରୋହିତ ରଥ ପ୍ରତିଷ୍ଠା କରିବେ। ମଙ୍ଗଳା ଅର୍ପଣ ପରେ ଆରମ୍ଭ ହେବ ପହଣ୍ଡି ବିଜେ ନୀତି। ଶ୍ରୀ ମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ଗହଣରେ ଝୁଲି ଝୁଲି ରଥ ଉପରକୁ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ। ଦିନ ୧୨ଟା ୩୦ ସୁଦ୍ଧା ମହାପ୍ରଭୁଙ୍କ ପହଣ୍ଡି ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମଦନମୋହନ ଓ ରାମକୃଷ୍ଣ ରଥ ଉପରେ ବିଜେ କରିବେ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ରଥ ଉପରେ ଛେରା ପହଁରା କରିବେ। ଏହାପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲଗାଯିବ। ଅପରାହ୍ଣ ୪ଟା ସୁଦ୍ଧା ରଥ ଟଣାଯିବା ସମ୍ଭାବନା ରହିଛି।
ଶ୍ରୀଗୁଣ୍ଡିଚା ଯାତ୍ରାରେ ଶୁକ୍ରବାର ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଅଭୂତପୂର୍ବ ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର। ଭକ୍ତଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା ପାଇଁ ୨୦୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ରଥ କର୍ଡନ ଦାୟିତ୍ୱରେ ରାପିଡ ଆକ୍ସନ ଫୋର୍ସ ରହିଛନ୍ତି। ସ୍ବତନ୍ତ୍ର ତାଲିମପ୍ରାପ୍ତ କମାଣ୍ଡୋ, ଜାତୀୟ ସୁରକ୍ଷା ବାହିନୀ, ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ କୁକୁର ନିୟୋଜିତ ହୋଇଛନ୍ତି। ଦୁଇ ହଜାରରୁ ଊର୍ଦ୍ଧ୍ବ ଅଭିଜ୍ଞ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ବ୍ୟବସ୍ଥାର ତଦାରଖ ଦାୟିତ୍ୱ ଦିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର, ତିନିରଥ ଓ ବଡ଼ଦାଣ୍ଡ ପାଞ୍ଚସ୍ତରୀୟ ସୁରକ୍ଷା ବଳୟରେ ରହିଛି। ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକ ସମେତ ପୁରୀ- ଭୁବନେଶ୍ୱର ଓ ପୁରୀ- କୋଣାର୍କ ଜାତୀୟ ରାଜପଥରେ ୨୭୫ କ୍ଲୋଜ୍‌ ସର୍କିଟ କ୍ୟାମେରା ଲଗାଯାଇଛି। ତଟରକ୍ଷୀ ବାହିନୀ ଏବଂ ମେରାଇନ ପୁଲିସ ସମୁଦ୍ରରେ ପଇଁତରା ମାରୁଛନ୍ତି। ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ନୋ ଫ୍ଲାଇଂ ଜୋନ୍‌ କରାଯାଇଛି। ମହାକୁମ୍ଭ ମେଳା ଢାଞ୍ଚାରେ ସବୁ ବିଭାଗ ଅଧିକାରୀଙ୍କୁ ନେଇ ସମନ୍ୱିତ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ପୁରୀ ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories